• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଯୁଆଡ଼େ ଦେଖିବେ ସିଆଡେ ଝୁଲୁଛି ତାଲା । ପୁଣି କବାଟ ସାମ୍ନାରେ କୋଉଠି ଗାଈ ଶୋଇଛି ତ ଆଉ କୋଉଠି ବିଲେଇ ଶୋଇଛି । ହେଲେ ଝରକା ବାଟେ ଘରର ଅବସ୍ଥା ଦେଖିବା ପରେ ସମସ୍ତଙ୍କର ଉଡିଯିବ ହୋସ୍‌ । କାରଣ କୌଣସି ପରିତ୍ୟକ୍ତ ଘର ନୁହେଁ ବରଂ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ । ଅବ୍ୟବସ୍ଥା କାରଣରୁ ସ୍ଥିତି ପୂରା ସଙ୍ଗୀନ ହେଲାଣି ।

କୌଣସି ଉପାନ୍ତ ଅଞ୍ଚଳର ଦୃଶ୍ୟ ନୁହେଁ ବରଂ ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ସହର ଛାତି ଉପରେ ଥିବା ଚରମ୍ପା ବରାଳ ପୋଖରୀ ଅଞ୍ଚଳ ପୌରପାଳିକା ଚିକିତ୍ସାଳୟରେ । ପୌରପାଳିକାର ଚିକିତ୍ସାଳୟ ହୋଇଥିବାରୁ ପ୍ରତିଦିନ ସକାଳୁ ସଂଜ ଯାଏଁ ଲୋକଙ୍କର ଲାଗେ ଲାଇନ୍‌ । କିନ୍ତୁ ଏମିତି ଅବ୍ୟବସ୍ଥା ପାଇଁ ଚିକିତ୍ସା ସେବା ଲାଗି ନାହିଁନଥିବା ଅସୁବିଧାର ସାମ୍ନା କରୁଛନ୍ତି ଲୋକେ ।

ଖାଲି ମେଡିକାଲ ଘର ଅବ୍ୟବସ୍ଥାରେ ଅଛି ତାହା ନୁହେଁ ବରଂ ମେଡିକାଲ ଭିତରେ ଥିବା ସବୁ ଯନ୍ତ୍ରପାତିର ଅବସ୍ଥା ବି ସଙ୍ଗୀନ । କୋଉଠି ସାଲାଇନ୍‌ ଷ୍ଟିକ୍‌ ତଳେ ପଡ଼ିଛି ତ ଆଉ କୋଉଠି ମେଡିକାଲ ବେଡ୍‌ର ବେଡସିଟ୍‌ ଅଳିଆ ହୋଇ ତଳେ ପଡିଛି । ଜାଣିଆଶ୍ଚର୍ଯ୍ୟ ହେବେ କି ମାତ୍ର କିଛିଦିନ ପୂର୍ବେ ଭଦ୍ରକ ଜିଲ୍ଲା ଗସ୍ତରେ ଯାଇ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ ୫-ଟି ସଚିବ । ହେଲେ ଖୋଦ୍‌ ପୌରପାଳିକା ମେଡିକାଲର ଚିତ୍ର ଦେଖିବା ପରେ ଆପଣ ବି ବୁଝିପାରୁଥିବେ ଏଇଠି ଉନ୍ନତି କେମିତି ଚାଲିଛି?

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏଇ ମେଡିକାଲରେ ମାସେ କି ବର୍ଷେ ନୁହେଁ ବରଂ ୩ ବର୍ଷ ହେଲାଣି ଝୁଲୁଛି ତାଲା । ଆଉ ଚିକିତ୍ସା ପାଇଁ ଡହକବିକଳ ହେଉଛନ୍ତି ଲୋକେ । ଯଦି ମେଡିକାଲକୁ ଯିବାକୁ ପଡୁଛି ତେବେ ରେଲୱେ କ୍ରସିଂ ଦେଇ ପ୍ରାୟ ୯ କିମି ବାଟ ଗଲା ପରେ ମିଳୁଛି ଚିକିତ୍ସା ସେବା । ସେପଟେ ପୌରପାଳିକାର ଅବ୍ୟବସ୍ଥା ସମ୍ପର୍କରେ ଜିଲ୍ଲା ଚିକିତ୍ସାଧିକାରୀଙ୍କୁ ପଚାରିବାରୁ ସେ କହିଛନ୍ତି ମେଡିକାଲ ପୌରପାଳିକା ଦାୟିତ୍ୱରେ ରହିଛି । ତେଣୁ ପୌରପାଳିକା କର୍ତ୍ତୃପକ୍ଷ ଡାକ୍ତର ନିଯୁକ୍ତି ବାବଦରେ ଜଣାଇଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସ୍ୱାସ୍ଥ୍ୟ ଓ ଶିକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର । ହେଲେ ପ୍ରକୃତରେ ରାଜ୍ୟରେ କେମିତି ସ୍ୱାସ୍ଥ୍ୟ ସେବା ଭୁଶୁଡ଼ିବାରେ ଲାଗିଛି ତାହା ଏହାର ଉଦାହରଣ ନିଶ୍ଚୟ ।

 

  • Reported by:
  • Partha Sarathi nayak