• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ମେଡ଼ିକାଲ ଆସିଲେ ସମସ୍ତେ ନାଟ ଟେକନ୍ତି । କିଏ କିଏ ମେଡ଼ିକାଲରୁ ଆସିଲା ପରେ ଗାଧୁଆପାଧୁଆ ବି କରନ୍ତି । ଏମିତିକି ମେଡ଼ିକାଲରୁ ବାହାରୁଥିବା ଗନ୍ଧରେ ଅନେକ ବାନ୍ତି ବି କରିପାରନ୍ତି । ହେଲେ ସମ୍ବଲପୁରରେ ଏମିତି ଏକ ମେଡିକାଲ ଦେଖୁଛନ୍ତି ଯେଉଁଠିକୁ ଗଲେ ବାନ୍ତି ହେବନି କି ବିରକ୍ତ ଲାଗିବନି ବରଂ ଖୁସି ଲାଗିବ ।

ମେଡ଼ିକାଲ କାନ୍ଥରେ ମେଂଚା ମେଂଚା ଚିତ୍ର ହୋଇଛି । ପୁଣି ଉପରେ ଓଡ଼ିଆ ଚଳଚ୍ଚିତ୍ରର ପୋଷ୍ଟର ବି ଲାଗିଛି । ଖାଲି ଏତିକି ନୁହେଁ ବରଂ ଝିଲିମିଲି ଲାଇଟ୍‌ ବି ଜଳୁଛି । ପରିସ୍କାର ଓ ପରିଛନ୍ନତା ଦେଖିବା ପରେ ଘଣ୍ଟାଏ ବସିବାକୁ ମନ ଡାକିବ । ସେଇଥି ଲାଗି ତ ମେଡ଼ିକାଲକୁ ମିଳିଛି ପୁରସ୍କାର ।

ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଏବେ ଭାରି ଚର୍ଚ୍ଚା । ଉପଖଣ୍ଡ ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସ୍ଥରୀୟ କାୟାକଳ୍ପ ପୁରସ୍କାର ପାଇ ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛି ସେହି ମେଡିକାଲ । ଆବଶ୍ୟକତା ଅନୁସାରେ ଡାକ୍ତର ନାହାନ୍ତି, ଉନ୍ନତମାନର ଚିକିତ୍ସା ସେବା ଉପଲବ୍ଧ ନାହିଁ । ହେଲେ ତାହାରି ମଧ୍ୟରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ଇଚ୍ଛାଶକ୍ତି ପାଇଁ ନିରାପଦ ମାତୃ ପ୍ରସବରେ ଆଗୁଆ ହୋଇ ସ୍ୱତନ୍ତ୍ର ପୁରସ୍କାର ପାଇଛି ମେଡିକାଲ । ଏତେ ସବୁ ପରେ ବି ମେଡିକାଲ ପୁରସ୍କାର ପାଇବା ପରେ ସବୁଆଡ଼ୁ ମିଳୁଛି ପ୍ରଶଂସାର ସୁଅ ।

ମେଡିକାଲରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ନିଯୁକ୍ତି ପାଇଁ ବାରମ୍ବାର ଦାବି ହେଉଛି । କିନ୍ତୁ ଏଯାଏଁ କର୍ମଚାରୀ ନିଯୁକ୍ତି ହୋଇପାରିଲାନାହିଁ । କିନ୍ତୁ ଖୁସିର କଥା ମେଡ଼ିକାଲରେ ନିୟୋଜିତ ଥିବା କର୍ମଚାରୀଙ୍କ ବ୍ୟବହାର ଓ ପରିଚ୍ଛନତା ପାଇଁ ଏଇ ମେଡିକାଲକୁ ଆସିବାକୁ ପସନ୍ଦ କରୁଛନ୍ତି ଲୋକେ । ତେବେ କର୍ମଚାରୀ ଓ ନାକଟିଦେଉଳ ଜନସାଧାରଣଙ୍କ ସହଯୋଗରେ ଆଜିର ସଫଳତା ମିଳିଛି ବୋଲି ମେଡିକାଲ ଅଧିକାରୀ କହିଛନ୍ତି ।

(ରେଢାଖୋଲରୁ ରମାକାନ୍ତ ମହାନନ୍ଦଙ୍କ ରିପୋର୍ଟ)