/odishatv-khabar/media/post_attachments/uploadimage/library/16_9/16_9_0/Habisyalis_1666888126.jpg)
Habisyalis
ହବିଷ୍ୟାଳୀଙ୍କ ମୁହଁରେ ନବୀନ ଜଣାଣ । ନବୀନ କୁଆଡ଼େ ଚଳନ୍ତି ଠାକୁର, ସିଏ ପୁଣି ବ୍ରହ୍ମା,ବିଷ୍ଣୁ ଓ ମହେଶ୍ୱର । ଖାଲି ସେତିକି ନୁହେଁ ନବୀନ ବି କରୁଣା ସାଗର ମଧ୍ୟ । ପୁରୀରେ କାର୍ତ୍ତିକ ବ୍ରତ କରିବାକୁ ଯାହା ପାଇଁ ଆସିଛନ୍ତି, ସେଇ ମହାପ୍ରଭୁ ଜଗନ୍ନାଥଙ୍କୁ ଛାଡ଼ି ହବିଷ୍ୟାଳୀଙ୍କ ତୁଣ୍ଡରେ ଭିନ୍ନ ଭିନ୍ନ ଉପମାରେ ଏଭଳି ନବୀନ ଜଣାଣ ବେଶ୍ ଚର୍ଚ୍ଚାରେ ରହିଛି । ଜଣେ ହବିଷ୍ୟାଳୀ ଆଖି ମୁଜି ପଦକୁ ପଦ ଛନ୍ଦି ନବୀନ ଗୁଣ ଗାଉଛନ୍ତି, ଆଉ ତାକୁ ଶହ ଶହ ହବିଷ୍ୟାଳୀ ମହା ଆନନ୍ଦରେ ପାଳି ଧରୁଛନ୍ତି ।
ଆଗରେ ପୁରୀ ଜିଲ୍ଲାପାଳଙ୍କ ସହ ଅନ୍ୟ ପ୍ରଶାସନିକ ଅଧିକାରୀମାନେ ବସି ଏସବୁକୁ ଢକ ଢକ କରି ପିଇ ଯାଉଛନ୍ତି । ଖାଲି ନବୀନ ନୁହଁନ୍ତି ମନ୍ତ୍ରୀ ମାନଙ୍କ ଗୁଣ କୀର୍ତ୍ତନ ବି ହୋଇଥିଲା । ଗତ ୨୪ ତାରିଖରେ ବଗଲା ଧର୍ମଶାଳା ହବିଷ୍ୟାଳୀ ଶିବିରରେ ଜଗାକୁ ଛାଡ଼ି ଏମିତିକା ଭଜନ କଣ ପାଇଁ ବୋଲି ପ୍ରଶ୍ନ କରିବାରେ ଜଣେ ହବିଷ୍ୟାଳୀ କହିଥିଲେ, ଜଣେ ତ ଗାଉଥିଲେ ଆମେ ମୁର୍ଖ ଲୋକ ପାଳି ଧରୁଥିଲୁ । ଏଣେ ହବିଷ୍ୟାଳି ଶିବିରରେ ନବୀନଙ୍କ ଗୁଣ କୀର୍ତ୍ତନ କଥା ଶୁଣି ନାକ ଟେକିଲେଣି ଅନ୍ୟ ସାଧାରଣ ହବିଷ୍ୟାଳୀ ।
ଏଣେ ହବିଷ୍ୟାଳୀ ଶିବିରରେ ନବୀନ ବନ୍ଦନାକୁ କିନ୍ତୁ ଆଦୌ ସହଜରେ ହଜମ କରିପାରି ନାହାନ୍ତି ଖୋଦ୍ ଶ୍ରାମନ୍ଦିର ସେବାୟତ । ନବୀନଙ୍କୁ ଯେଉଁମାନେ ମହାପ୍ରଭୁଙ୍କ ସହ ତୁଳନା କରିଛନ୍ତି, ସେମାନେ କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ଧର୍ମୀୟ ଭାବନା ପ୍ରତି ଗଭୀର ଆଞ୍ଚ ଆଣିଛନ୍ତି ବୋଲି କହିଛନ୍ତି ।
ତେବେ ହବିଷ୍ୟାଳୀଙ୍କ ମୁହଁରେ ନବୀନ ଭଜନକୁ ନେଇ ଖପ୍ପା ହେଲେଣି ବିରୋଧୀ । ରାଜ୍ୟ ସରକାରକୁ କଡ଼ା ଭାଷାରେ ସମାଲୋଚନା କରି ବିଜେପି କହିଛି, ଏ ଗୀତ ପ୍ରଶାସନିକ ଅଧିକାରୀଙ୍କ ଦ୍ୱାରା ଲେଖାଯାଇଛି ଓ ହବିଷ୍ୟାଳୀଙ୍କୁ ଜୋରଜବରଦସ୍ତ ଗାଇବାକୁ କୁହାଯାଇଛି । ଯାହା ଓଡ଼ିଶାବାସୀଙ୍କ ଧାର୍ମିକ ଭାବନା ପ୍ରତି କୁଠାରଘାତ ଆଗକୁ ଅତି ଗର୍ବେ ହତଲଙ୍କା ଭଳି ହେବ ।
ସେହିପରି କଂଗ୍ରେସ କହିଛି କିଛି ଲୋକଙ୍କୁ ଯୋଜନାବଦ୍ଧ ଭାବେ ଅଣାଯାଇ ତାଙ୍କ ମୁହଁରେ ନବୀନ ବନ୍ଦନା କରାଯାଉଛି । ଅସଲରେ ତ ଲୋକେ ବିଜେଡି ସରକାରକୁ ଗାଳି ଦେଉଛନ୍ତି । ଜବାବରେ ବିଜେଡି କହିଛି, ଯଦି ହବିଷ୍ୟାଳୀ ନବୀନ ବାବୁଙ୍କ ପ୍ରଶଂସା କଲେ, ଏଥିରେ କାହାର ଗାତ୍ରଦାହ ହେଉଛି କାହିଁକି ?
ନିକଟରେ ବିଜେଡି ସରକାରର ଜଣେ ପ୍ରଭାବଶାଳୀ ମନ୍ତ୍ରୀ ପ୍ରତାପ ଦେବ, ମହାପ୍ରଭୁ ଜଗନ୍ନାଥଙ୍କୁ ଗୌଣ କରି ନବୀନଙ୍କ ପାଇଁ ଲୋକେ ଓଡ଼ିଶାକୁ ଚିହ୍ନୁଥିବା କହିଥିଲେ । ଯାହାକୁ ନେଇ ସୃଷ୍ଟି ହୋଇଥିଲା ହଇଚଇ ।
(ରିପୋର୍ଟ- ପୁରୀରୁ ପ୍ରଦୀପ ମହାନ୍ତି, ଭଦ୍ରକରୁ ପାର୍ଥସାରଥୀ ନାଏକ ଓ ଭୁବନେଶ୍ୱରରୁ ହରିହର ଚାନ୍ଦ)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)