• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଲୋକଙ୍କ ଲାଗି ତିଆରି ହେଲା ବସଷ୍ଟାଣ୍ଡ...ହେଲେ ତାହା ଭିତରେ ଗାଈ ଚରୁଛନ୍ତି ତ ଗଣ୍ଡାଗଣ୍ଡା ଗଡୁଛି ମଦବୋତଲ । ପୁଣି ଅସାମାଜିକ ବ୍ୟକ୍ତିଙ୍କ ଜମୁଛି ଆଡ୍ଡା । ଏ ସବୁ ଦେଖିବା ପରେ ସମସ୍ତଙ୍କୁ ବିରକ୍ତ ଲାଗିବା ସ୍ୱାଭାବିକ । ଆଉ କହିବେ ବସଷ୍ଟାଣ୍ଡ ଯଦି ହେବାର ଥିଲା ତେବେ ଏ ଅବସ୍ଥା କାହିଁକି ହେଲା ? ଏଥିପାଇଁ ଦାୟୀ କିଏ?

ଲକ୍ଷେ କି ୨ ଲକ୍ଷ ନୁହେଁ ବରଂ ଦେଢ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିଲା ବସଷ୍ଟାଣ୍ଡ । ଆଶାଥିଲା ଉନ୍ନତମାନର ଯାତ୍ରୀ ସେବା ମିଳିବ...ଲୋକେ ଖୁସି ହେବେ । ହେଲେ ସବୁ ଆଶା ଆଶାରେ ହିଁ ରହିଗଲା । ଅର୍ଥାତ୍‌ ନିର୍ମାଣ ସରିବାର ପ୍ରାୟ ୨ ବର୍ଷ ବିତିଗଲା ହେଲେ ବସଷ୍ଟାଣ୍ଡ କାର୍ଯ୍ୟକ୍ଷମ ହୋଇପାରିଲା ନାହିଁ । ସ୍ଥିତି ଏବେ ଏମିତି ହେଲାଣି ଏ ବସଷ୍ଟାଣ୍ଡକୁ ବସ୍‌ ଆସୁନାହାନ୍ତି କି ଯାତ୍ରୀ ବି ଆସୁନାହାନ୍ତି । ହେଲେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇ ରାସ୍ତା , ଦୋକାନଘର, ଯାତ୍ରୀ ପ୍ରତୀକ୍ଷାଳୟ ସହ ଆଲୋକୀକରଣ ହୋଇଛି କିନ୍ତୁ କାମରେ ଲାଗୁନି ।

ରାୟଗଡା ଗୁଡାରୀ ବିଜୁ ପଟ୍ଟନାୟକ ବସ ଷ୍ଟାଣ୍ଡର ଅବସ୍ଥା ଏବେ ଶୋଚନୀୟ । ପ୍ରଶାସନ ଭାବିଥିଲା ନୂଆ ବସଷ୍ଟାଣ୍ଡ ହେଲେ ବସ ସବୁ ଏଠାରେ ହିଁ ରହିବ । ହେଲେ ସ୍ଥିତି ଯଥା ପୂର୍ବଂ ତଥା ପରଂ ଅବସ୍ଥାରେ ରହିଛି । ଅର୍ଥାତ୍‌ ଏଠାକୁ ଆଜିଯାଏଁ ଦିନେ ହେଲେ ବି ବସ୍‌ ଆସିଲା ନାହିଁ । ବରଂ ଗାଈଗୋରୁଙ୍କ ଚରାଭୂଇଁ ପାଲଟିଗଲା । ଯାହାକୁ ନେଇ ତେଜିବାରେ ଲାଗିଲାଣି ଅସନ୍ତୋଷ ।

ବସଷ୍ଟାଣ୍ଡରେ ଥିବା ଫଳକରେ ପ୍ରଥମେ ଲୋକାର୍ପିତ ଆଉ ପରେ ଲେଖାଯାଇଛି ଶିଳାନ୍ୟାସ । ଏହା ଦେଖିବା ପରେ ଯିଏନାହିଁ ସିଏ କହିବ ଏଠି ଲୋକଙ୍କୁ ଦ୍ଵନ୍ଦରେ ରଖାଯାଇଛି । ୨୦୧୮ରେ ଶାସକ ଦଳର ନେତାଏ ଆସି ବିଜୁ ପଟ୍ଟନାୟକ ବସଷ୍ଟାଣ୍ଡର ଶିଳାନ୍ୟାସ କରିଥିଲେ । ଆଉ ପର୍ଯ୍ୟାୟ କ୍ରମେ ଦୋକାନ ଘର, ଯାତ୍ରୀ ପ୍ରତୀକ୍ଷାଳୟ, ଆଲୋକୀକରଣ, ରାସ୍ତା, ଶୌଚାଳୟ କରାଯାଇଥିଲା । ହେଲେ ମୁଖ୍ୟ ରାସ୍ତାରୁ ନବନିର୍ମିତ ବସଷ୍ଟାଣ୍ଡ ଦୂରତା ଅଧିକ ଥିବାରୁ ଲୋକମାନେ ଏଠାକୁ ଗଲେନି, ତେଣୁ ବସଷ୍ଟାଣ୍ଡର ଅବସ୍ଥା ଏବେ କେମିତି ତାହା ସ୍ପଷ୍ଟ ଭାବରେ ଦେଖାଯାଉଛି ।

ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଲୋକଙ୍କ ଲାଗି ରାଜ୍ୟ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇ ନୂଆ ବସଷ୍ଟାଣ୍ଡ ତିଆରି ହେବା ପରେ ବି ବ୍ୟବହାର ନହେବାରୁ ତେଜିବାରେ ଲାଗିଛି ଅସନ୍ତୋଷ । ତେଣୁ ତୁରନ୍ତ ଏହାର ସମାଧାନ ନହେଲେ ଆଗାମୀ ଦିନରେ ଆନ୍ଦୋଳନ ହେବ ବୋଲି କହିଲେଣି ଲୋକେ । ସେପଟେ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ କହୁଛନ୍ତି, ଖୁବଶୀଘ୍ର ସମସ୍ୟାର ସମାଧାନ ହେବ ଓ ନୂଆବସ୍‌ଷ୍ଟାଣ୍ଡ କାର୍ଯ୍ୟକ୍ରମ ହେବ ।

 

(ଗୁଣୁପୁରରୁ ଇନ୍ଦ୍ରଜିତ୍‌ ପଣ୍ଡାଙ୍କ ରିପୋର୍ଟ)