• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ଗୁମୁଡୁମାହା ଗୁଳିକାଣ୍ଡ ଘଟଣାକୁ ପୁରିଛି ୫ ବର୍ଷ ।

    ସୁରକ୍ଷା କର୍ମୀଙ୍କ ଗୁଳିରେ ୧୩ ମାସର ଶିଶୁ ସମେତ ୫ଜଣ ନିରୀହଙ୍କ ଯାଇଥିଲା ଜୀବନ ।

    ହେଲେ ଏବେ ବି ମିଳିନି ନ୍ୟାୟ ।

କନ୍ଧମାଳ: ବହୁ ଚର୍ଚ୍ଚିତ କନ୍ଧମାଳ ଜିଲ୍ଲା ଗୁମୁଡୁମାହା ଗୁଳିକାଣ୍ଡ ଘଟଣାକୁ ପୁରିଛି ୫ ବର୍ଷ । ଏହି ଦିନି ସୁରକ୍ଷା କର୍ମୀଙ୍କ ଗୁଳିରେ ୧୩ ମାସର ଶିଶୁ ସମେତ ୫ଜଣ ନିରୀହଙ୍କ ଯାଇଥିଲା ଜୀବନ । ସେ ସମୟରେ ଏହାକୁ ନେଇ ଚର୍ଚ୍ଚା ଲାଗି ରହହିଥିଲା । ଗଣ୍ଡା ଗଣ୍ଡା ମନ୍ତ୍ରୀ ନେତାଙ୍କ ସୁଅ ଛୁଟିଥିଲା ଏହି ଗାଁକୁ । ହେଲେ ଏବେ ଘଟଣାକୁ ୫ ବର୍ଷ ବିତିଛି । କିନ୍ତୁ ଏବେ ବି ଗମୁଡୁମାହା ଏନକାଉଣ୍ଟରରେ ପ୍ରାଣ ହରାଇଥିବା ପରିବାର ସଦସ୍ୟଙ୍କୁ ମିଳିନି ନ୍ୟାୟ ।

୨୦୧୬ ମସିହା ଜୁଲାଇ ୮ ତାରିଖ । ରାତି ପ୍ରାୟ ୮ଟା । ଝିପ୍ ଝିପ୍ ବର୍ଷା ସମୟରେ ମନରେଗା ଟଙ୍କା ନେଇ ବାଲିଗୁଡାରୁ ଜଙ୍ଗଲିଆ ରାସ୍ତାରେ ଅଟୋ ଯୋଗେ ଫେରୁଥିଲେ ଗୁମୁଡୁମାହାର କିଛି ଲୋକ । ଗାଁ ମୁଣ୍ଡ ପିପାଲିପଟାରେ କାଦୁଅରେ ଦବିଗଲା ଅଟୋ । ସେତେବେଳେ ଚାରିଆଡ଼ ଅନ୍ଧାର । ଅଟୋରେ ବସିଥିବା ଲୋକେ ତଳକୁ ଓହ୍ଲାଇଥିଲେ । ଆଉ କାଦୁଅରୁ ଅଟୋକୁ ହଟାଇବାକୁ ଚେଷ୍ଟା କରିଥିଲେ । ହେଲେ ଠିକ୍‌ ସେତିକି ବେଳେ ହଟାଥ୍‌ ଫୁଟିଥିଲା ଗୁଳି । ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ୧୩ ମାସର ଶିଶୁ ସମେତ ୫ ଜଣ ନିରୀହ ଲୋକଙ୍କ ପ୍ରାଣ ଯାଇଥିଲା । ଏହି ଘଟଣା ପରେ ଗୁମୁଡୁମାହା ଗାଁକୁ ନେତା ମନ୍ତ୍ରୀଙ୍କ ସୁଅ ଛୁଟିବା ସହ ଉନ୍ନୟନ ମୂଳକ କାମ ଲାଗି ପ୍ରତିଶ୍ରୁତି ମିଳିଲା । ହେଲେ ସରକାର ଗୁମୁଡୁମାହା ଗୁଳିକାଣ୍ଡ ଘଟଣାର କମିଶନ ରିପୋଟର୍କୁ ସାର୍ବଜନୀନ କଲେନି । ଯାହାକୁ ନେଇ ଏବେ ଗ୍ରାମବାସୀ ମନରେ ରହିଛି ପ୍ରବଳ ଅସନ୍ତୋଷ ।

ଅନ୍ୟପଟେ ସରକାର ଦେଇଥିବା ପ୍ରତିଶ୍ରୁତି ମଧ୍ୟରୁ କେବଳ ରାସ୍ତା ନିର୍ମାଣ ଓ ବିଦ୍ୟୁତ ଯୋଗାଣ ଛଡ଼ା, ଆଜି ବି ଏଠାକାର ଲୋକେ ସବୁ ସୁବିଧାରୁ ବଞ୍ଚିତ । ଏନେଇ ଗାଁ ଲୋକେ ଅନେକ ଥର ଅଭିଯୋଗ ମଧ୍ୟ କରିଛନ୍ତି । ପିଇବା ପାଣି ସମସ୍ୟା ଲୋକଙ୍କୁ ହନ୍ତସନ୍ତ କରୁଥିବା ବେଳେ ସ୍ୱାସ୍ଥ୍ୟକେନ୍ଦ୍ର ନିର୍ମାଣ ହୋଇନି । ଅନ୍ୟପଟେ ଏଠରେ ମୋବାଇଲ ଟାଓ୍ୱାର ନିର୍ମାଣ ପାଇଁ ଲୋକ ଅନେକ ଦାବି କରିଥିଲେ ମଧ୍ୟ ତାହା ଏବେ ସାତ ସପନ ପାଲଟିଛି । ମୋବାଇଲ ଟାୱାର ନିର୍ମାଣ କରିବାର ନାଁ ଧରୁନାହାନ୍ତି କେହି । ନା ବଡ଼ ବଡ଼ ଅଧିକାରୀ ଲୋକଙ୍କ କଥା ଶୁଣୁଛନ୍ତି ନା କେହି ଏହି ଅଞ୍ଚଳକୁ ଗୁରୁତ୍ୱ ଦେଉଛନ୍ତି ।