• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମୂକ ବଧିର ଯୁବକ ଯୁବକଙ୍କ ଇସାରା ବୁଝି ପାରିଲେନି ଲୋକେ । ଲୋରିରେ ୭କିମି ଟାଣିଟାଣି ନେଲେ ମାଆର ଶବ । ଠାର ମାଧ୍ୟମରେ ସାହାଯ୍ୟ ମାଗୁଥିଲେ ଯୁବକ ଜଣକ, ହେଲେ କୌଣସି ପଟୁ ତାଙ୍କୁ କିଛି ସାହାଯ୍ୟ ମିଳିଲାନି । ଲୋକେ କେବଳ ତାମସା ଦେଖୁଥିଲେ । ଏପରି ଦୃଶ୍ୟ ଦେଖିଲେ ସମସ୍ତଙ୍କର ପିଲାଦିନ କଥା ମନେପଡ଼ୁଥିବ । କିନ୍ତୁ ଏହାର ପଛ କଥା ଜାଣିଲେ ସମସ୍ତଙ୍କ ହୃଦୟ ଥରିଯିବ । ହାତ ଟଣା କାଠ ଗାଡ଼ିଟିରେ ଘୋଡ଼ା ଯାଇଥିଲା ଏକ ମଣିଷର ଶବ । ଏମିତି ଦୃଶ୍ୟ ଦେଖିବାକୁ ମିଳିଥିଲା ଗୁଜରାଟ ଭରୁଚ ଓ ଆଙ୍କେଲଶ୍ୱର ମଧ୍ୟରେ ଥିବା ରାସ୍ତା କଡ଼ ନର୍ମଦା ନଦୀ କୂଳରେ।

କାଠ ଗାଡ଼ିରେ ଘୋଡ଼ା ହୋଇ ରହିଥିଲା ଜଣେ ବୃଦ୍ଧାଙ୍କ ମୃତଦେହ । ଆଉ ଗାଡ଼ିଟି ଟାଣୁଥିବା ପାଗଳ ପରି ଦିଶୁଥିବା ଯୁବକ ଜଣକ ମୃତ ବୃଦ୍ଧାଙ୍କ ପୁଅ । ଏ ଦୃଶ୍ୟ ଯିଏ ଦେଖିଲା, ସେ ମନେ ପକେଇଲା ଶ୍ରବଣ କୁମାରଙ୍କ କଥା । ପୂରା ଘଟଣାଟି ଆହୁରି ହୃଦୟ ବିଦାରକ।

ଯୁବକ ଜଣକ ଜଣେ ମୂକ ବଧିର ମଣିଷ । ଭିକ ମାଗି ବଞ୍ଚୁଥିଲେ ସେ ଓ ତାଙ୍କର ମାଆ। ଦିନକ ତଳେ ହଠାତ ମାଆଙ୍କର ମୃତ୍ୟୁ ହୋଇଥିଲା । ହେଲେ ମୂକ ଓ ବଧିର ହୋଇଥିବାରୁ ବିଚରା ଯୁବକ ଏ କଥା କାହାକୁ କହିବି ପାରିଲା ନାହିଁ । ତା ରୂପ ଭେକ ବି ଏମିତି ଯେ ସମସ୍ତେ ତାକୁ ପାଗଳ ଓ ଇତର ବୋଲି ଭାବିଲେ । ଶେଷରେ ଅନ୍ୟ ଉପାୟ ନପାଇ ସେ କାଠ ଗାଡ଼ିରେ ମାଆର ମୃତଦେହକୁ ଘୋଡ଼େଇ ୭ କିଲୋମିଟର ଟାଣି ଟାଣି ନର୍ମଦା ନଦୀକୂଳକୁ ନେଇ ଚାଲିଲେ ।

ବାଟରେ ଏହି ହୃଦୟ ବିଦାରକ ଦୃଶ୍ୟ କିଛି ଲୋକ ଦେଖି ଏହାର ଭିଡିଓ ସୁଟିଂ କରି ସୋସିଆଲ୍ ମିଡିଆରେ ଛାଡ଼ିବା ପରେ ଅଳ୍ପ ସମୟ ଭିତରେ ନର୍ମଦା ନଦୀକୂଳକୁ ଛୁଟିଥିଲା ସାମାଜିକ କର୍ମୀଙ୍କ ସୁଅ । ଆଉ ରୀତିନୀତି ଅନୁଯାୟୀ ବୃଦ୍ଧା ମାଆଙ୍କର ଶେଷକୃତ୍ୟ ସଂପନ୍ନ କରାଇଥିଲେ। ମାଆକୁ ହରାଇ ବିଚରା ଯୁବକଟି ଭୋ ଭୋ ହୋଇ କାନ୍ଦୁଥିଲା । କାରଣ ଏହାପରେ ଏ ସାରା ଦୁନିଆରେ ଆଉ ତାର ନିଜର ବୋଲି କେହି ରହିଲେ ନାହିଁ ।

ଏ ଦୃଶ୍ୟ ଏବେ ସାରା ଦେଶରେ ହଇଚଇ ସୃଷ୍ଟି କରିଥିବା ବେଳେ, ମୂକ ବଧିର ଏହି ଯୁବକଙ୍କର ମାଆଙ୍କ ପ୍ରତି ଥିବା ପ୍ରେମ ଓ ଭଲପାଇବାକୁ ସମସ୍ତେ ପ୍ରଶଂସା କରୁଛନ୍ତି । କାହା କାହା ପାଟିରୁ ବାହାରି ଆସୁଛି- ଇଏ ହେଉଛନ୍ତି ଏ ଯୁଗର ଶ୍ରବଣ କୁମାର।…

ସୁରଟରୁ ଶୈଲେଶ ଚମ୍ପାନେରିଆଙ୍କ ରିପୋର୍ଟ ଓଟିଭି