• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ରାଜ୍ୟରେ ଆଗକୁ ଉତ୍କଟ ହେବ କି ଭୂତଳ ଜଳସ୍ତର ? ବାଙ୍ଗାଳୁରୁ ଭଳି ଭୁବନେଶ୍ବରବାସୀ ବି ଭୋଗିବେନି ତ ଜଳସଙ୍କଟ ସ୍ଥିତି ? କାରଣ ରାଜଧାନୀରୁ ରାଜ୍ୟବ୍ୟାପି ଦ୍ରୁତଗତିରେ ଭୂତଳ ଜଳସ୍ତର ଖସୁଛି । ମାଟି ଯେତିକି ଶୋଷୁଛି ତାର ୮୬ ପ୍ରତିଶତ ଜଳ ଉତ୍ତୋଳନ ହେଉଥିବାବେଳେ ରାଜ୍ୟର ୯ଟି ବ୍ଲକର ଭୂତଳ ଜଳସ୍ତର ସ୍ଥିତି ସେମି-କ୍ରିଟିକାଲ ସ୍ତରରେ ପହଞ୍ଚିଛି । ଯାହାକୁ ନେଇ ଚିନ୍ତା ବଢ଼ିଛି ।

ପୁରୁଣା ଭୁବନେଶ୍ବର କପିଳପ୍ରସାଦର ଅଞ୍ଚଳର ମମତା ମାର୍ଥା । ୨୬ ବର୍ଷ ତଳେ କପିଳପ୍ରସାଦ ଗାଁକୁ ଆସିଥିଲେ ବୋହୂ ସାଜି । ସେତେବେଳେ ତାଙ୍କ ଘରେ ଥିବା କୂଅ ଗୁଡ଼ିକରେ ସବୁ ୠତୁରେ ଭରି ରହୁଥିଲା ପାଣି । କିନ୍ତୁ ଗତ ୩-୪ ବର୍ଷ ହେଲା, ଜଳସ୍ତର ଏବେ ସାଂଘାତିକ ହ୍ରାସ ପାଉଛି । ପାଖପଡ଼ୋଶୀ ବର୍ଷସାରା ମଧ୍ୟ କୂଅର ପାଣି ବ୍ୟବହାର କରୁଥିଲେ । ତଥାପି କୂଅରୁ ପାଣି ସରେନି କିନ୍ତୁ ଏବେ ଦିନ କେଇଟା ପରେ ଆଉ କୂଅରୁ ଟୋପାଏ ବି ମିଳିବନି ବୋଲି କହିଛନ୍ତି ମମତା । 

କେବଳ ପୁରୁଣା ଭୁବନେଶ୍ବର ନୁହେଁ, ରାଜ୍ୟର ଅନେକ ସ୍ଥାନରେ ଉଦବେଗଜନକ ହାରରେ ଖସୁଛି ଭୂତଳ ଜଳସ୍ତର । କେନ୍ଦ୍ରୀୟ ଭୂତଳ ଜଳ ବୋର୍ଡର ତଥ୍ୟ କହୁଛି, ୨୦୨୦ରେ ରାଜ୍ୟର ୬ଟି ବ୍ଲକର ଭୂତଳ ଜଳସ୍ତର ସେମି କ୍ରିଟିକାଲ ବର୍ଗରେ ଥିଲା । କିନ୍ତୁ ୨୦୨୩ ବେଳକୁ ଏ ସଂଖ୍ୟା ୯କୁ ବଢ଼ିଛି । ଅର୍ଥାତ୍ ଏସବୁ ବ୍ଲକରେ ଯେତିକି ପାଣି ମାଟିତଳକୁ ଯାଉଛି, ତାର ୭୦ ପ୍ରତିଶତରୁ ଅଧିକ ଉତ୍ତୋଳନ ହେଉଛି । ସେମି କ୍ରିଟିକାଲ ବର୍ଗରେ ଥିବା ବ୍ଲକ ଗୁଡ଼ିକ ହେଉଛି ଖୋର୍ଦ୍ଧା, ଭୁବନେଶ୍ବର, ବୋଲଗଡ଼, ତାଳଚେର, ବାଲିଆପାଳ, କୋରେଇ, ଝାରସୁଗୁଡ଼ା, ନୟାଗଡ଼ ଓ ନୂଆପଡ଼ା । 

ଭୁବନେଶ୍ବର ବ୍ଲକରେ ଯେତିକି ଭୂତଳ ଜଳ ରିଚାର୍ଜ ହେଉଛି, ତା’ର ୮୬ ପ୍ରତିଶତ ଉତ୍ତୋଳନ ହେଉଛି । ଭୂତଳ ଜଳ ବୋର୍ଡ ଆଞ୍ଚଳିକ ନିର୍ଦ୍ଦେଶକଙ୍କ କହିବା କଥା, ଦେଶରେ ଭୂତଳ ଜଳ ଉତ୍ତୋଳନ ହାର ୬୪ ପ୍ରତିଶତ ଏବଂ ଆମ ରାଜ୍ୟରେ ୪୬ ପ୍ରତିଶତ । ତେବେ ସହରୀକରଣ ତଥା ଅର୍ଥନୈତିକ ବିକାଶ ଯୋଗୁ ରାଜ୍ୟରେ ଭୂତଳ ଜଳ ବ୍ୟବହାର ବଢ଼ୁଥିବାରୁ ଆଗକୁ ସଙ୍କଟଜନକ ସ୍ଥିତି ଉପୁଜିପାରେ । 

ତେବେ ଜଳ ବିଶେଷଜ୍ଞ ଓ ପରିବେଶବିତ୍ କହିଛନ୍ତି, ରାଜ୍ୟରେ ଭୂତଳ ଜଳ ସ୍ତର ହ୍ରାସ ପଛରେ ସହରୀକରଣ ଓ ଭୂତଳ ଜଳର ଅପବ୍ୟବହାର ହିଁ ଦାୟୀ । ବହୁ ସହରାଞ୍ଚଳର ସବୁ ଅଞ୍ଚଳକୁ ପେଭର୍ ବ୍ଲକ ଓ କଂକ୍ରିଟ ଚାଦରରେ ଘୋଡ଼ାଇ ଦିଆଯାଉଥିବାରୁ ବର୍ଷାଜଳ ମାଟି ତଳକୁ ଯାଇପାରୁନି । ଏମିତିକି ବଡ଼ ବଡ଼ କୋଠାରୁ ମାଟି ଭିତରକୁ ବର୍ଷାଜଳ ଛାଡ଼ିବା ନେଇ ବ୍ୟବସ୍ଥା ନାହିଁ । 

କଳଖାନା ଗୁଡ଼ିକ ବି ଭୂତଳ ଜଳ ବ୍ୟବହାର କରୁଛନ୍ତି । ଫଳରେ ଭୂତଳ ଜଳ ରିଚାର୍ଜ ହୋଇପାରୁନି । ତେଣୁ ଏବେଠୁ ଉଚିତ ପଦକ୍ଷେପ ନନେଲେ ଆଗକୁ ବାଙ୍ଗାଳୁରୁ ଭଳି ଜଳସଙ୍କଟ ସ୍ଥିତି ଉପୁଜିପାରେ ବୋଲି ଆଶଙ୍କା କରିଛନ୍ତି ଜଳ ବିଶେଷଜ୍ଞ ଓ ପରିବେଶବିତ୍। ଏବେ ଅପେକ୍ଷା, ରାଜ୍ୟରେ ଭୂତଳ ଜଳସ୍ତର ସଙ୍କଟ ମୁହାଁ ହୋଇଥିବାବେଳେ ରାଜ୍ୟ ସରକାର ଆଗକୁ କି ପଦକ୍ଷେପ ନେଉଛନ୍ତି।

  • Reported by:
  • KAPILENDRA PRADHAN