• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବିବାହ ପୂର୍ବରୁ ଲିଭିଗଲା ଜୀବନ ଦୀପ । ଆସନ୍ତା ୧୧ ତାରିଖରେ ଥିଲା ବାହାଘର । ନିମନ୍ତ୍ରଡ କାର୍ଡ ବି ଛପା ସରିଥିଲା । ବନ୍ଧୁବାନ୍ଧବଙ୍କୁ ନିମନ୍ତ୍ରଣ କାର୍ଡ ବାଣ୍ଟୁଥିଲେ ପରିବାର ଲୋକେ । ବାହାଘର ଆଉ ଦଶ ଦିନ ଥିବାରୁ ବର ନିଜର ଦାଦା ସହିତ ମାର୍କେଟିଂ କରିବା ପାଇଁ ଆସୁଥିଲେ ବଲାଙ୍ଗିର ସହରକୁ । ହଠାତ ଅନ୍ୟ ଏକ ବାଇକ ସହିତ ଜୋରଦାର ଧକ୍କା ହୋଇଥିଲା । ଘଟଣାସ୍ଥଳରେ ଚାଲିଯାଇଥିଲା ବରର ଜୀବନ । ତେବେ ଏହି ଘଟଣା ପରେ ସାରା ଗାଁରେ ଖେଲିଯାଇଛି ଶୋକର ଛାୟା । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ଥାନା ଲସ୍ତଲା ଗାଁରେ ।

ଲସ୍ତଲା ଗାଁର ବାହାଦୁଲ ବରାଡଙ୍କ ବଡ ପୁଅର ବାହାଘର ନିଜ ଗାଁର କୃପାସିନ୍ଧୁ ଜେନାଙ୍କ ଝିଅ ଉର୍ବଶୀ ସହିତ ସ୍ଥିର ହୋଇଥିଲା । ୧୧ ତାରିଖରେ ଥିଲା ବାହାଘର । ଆଜି ବାହାଘର ସଉଦା ପାଇଁ ହିମାଂଶୁ ନିଜର ଦାଦା(କାକା),ବିଜୟ ବରାଡ ସହିତ ବାଇକରେ ବଲାଙ୍ଗିରକୁ ଯାଉଥିଲା । ସାଉନ୍ତପୁର ଠାରେ ହଠାତ ଅନ୍ୟ ଏକ ବାଇକ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଘଟଣା ସ୍ଥଳରେ ହିମାଂଶୁଙ୍କର ମୃତ୍ୟୁ ହୋଇଥିବା ବେଲେ ଦାଦା ବିଜୟ ବରାଡ ଗୁରୁତର ହୋଇଥିଲେ । ଏହା ସହିତ ଅନ୍ୟ ବାଇକରେ ଥିବା ବଲାଙ୍ଗିର ସହର ବିଭୂତିପଡାର ବବଲୁ ସ୍ୱାଇଁ ମଧ୍ୟ ଗୁରୁତର ହୋଇଥିଲେ । ଉଭୟ ଗୁରୁତରଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ସେମାନଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲରୁ ବୁର୍ଲା ଭୀମସାରକୁ ସ୍ଥାନାନ୍ତର କରାଯାଇଛି ।

ଅନ୍ୟପଟେ ମୃତ ହିଂମାଶୁଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇ ଅଧିକ ତଦନ୍ତ ଜାରୀ ରଖିଛି । ଦଶ ଦିନ ପରେ ଯେଉଁ ଲସ୍ତଲା ଗାଁରେ ହିଂମାଶୁଙ୍କ ବରଯାତ୍ରୀ ଶୋଭଯାତ୍ରା ବାହାରି ଥାଆନ୍ତା, ଯେଉଁ ଗାଁ ବାଣ,ବାଜା ରୋଷଣୀରେ ଉଠୁ ଥାଆନ୍ତା ପଡୁଥାଆନ୍ତା । ସେହି ଗାଁରେ ଆଜି ବାହାରିବ ହିଂମାଶୁର କୋକେଇ ଶୋଭାଯାତ୍ରା । ଡିଜେର ଗୀତ ବଦଳରେ ଶୁଭିବ ରାମ ନାମ ସତ୍ୟ ହେ । ବାହାଘରର ହୋମ ନିଆଁ ଜାଗାରେ ଜଳିବ ଜୁଇର ନିଆଁ । ସତରେ ଅଜବ ଏହି ବିଧିର ବିଧାନ । ବାହାଘରର ଦଶ ଦିମ ଆଗରୁ ବରର ଏଭଳି ମୃତ୍ୟୁରେ ସାରା ଲସ୍ତଲା ଗାଁ ସ୍ତବ୍ଦ ।