• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବର ଆସିଲାନି ବୋଲି ନିଜ ଭାଇକୁ ବିବାହ କଲା କନ୍ୟା । ଆପଣଙ୍କୁ କଥାଟି ଯେମିତି ଅଡ଼ୁଆ ଲାଗୁଛି ଆମକୁ ବି ସେମିତି ଅଳନୁଭବ ହୋଇଥିଲା। ତେବେ ଏଭଳି ପରିସ୍ଥିତି କାହିଁକି ଉପୁଜିଲା ତାହା ଜାଣିବା ପାଇଁ ପୁରା କାହାଣୀଟିକୁ ଆପଣଙ୍କୁ ପଢ଼ିବାକୁ ହେବ ।

ଉତ୍ତର ପ୍ରଦେଶର ମହାରାଜଗଞ୍ଜରୁ ଏହି ଘଟଣା ସାମ୍ନାକୁ ଆସିଛି । ମାର୍ଚ୍ଚ ୫ ତାରିଖରେ ଏଠାରେ ଏକ ସମୁହ ବିବାହ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଅନେକ ଦମ୍ପତ୍ତି ଏଠାରେ ବିବାହ କରିଥିଲେ । ଏଠାରେ ବିବାହ ପାଇଁ ଉପସ୍ଥିତ ଥିବା ଜଣେ କନ୍ୟାଙ୍କ ବର ନଆସିବାରୁ ସେ ନିଜ ଭାଇକୁ ବିବାହ କରିଛନ୍ତି । ଏଥିପାଇଁ ଜଣେ ବ୍ୟକ୍ତି ମଧ୍ୟସ୍ତି ମଧ୍ୟ କରିଥିଲେ । ଏହି ଖବର ପ୍ରଚାର ହେବା ପରେ ଉକ୍ତ ଭାଇ ଭଉଣୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ସେମାନଙ୍କୁ ଠକ ବୋଲି କୁହାଯାଇଛି ।

ତେବେ ଭାଇ ଭଉଣୀ ଏଭଳି କରିବାର କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ଏଠାରେ ଯେଉଁମାନେ ବିବାହ କରୁଥିଲେ, ସେମାନଙ୍କୁ ୫୧ ହଜାର ଟଙ୍କା ସହାୟତା ଦିଆଯାଉଥିଲା । ୩୫ ହଜାର ଟଙ୍କା ସିଧା କନ୍ୟାଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯାଉଥିଲା । ଆଉ ୧୦ ହଜାର ଟଙ୍କା ଉପହାର କିଣାକିଣି ପାଇଁ ଦିଆଯାଉଥିଲା । ପରେ ବାକି ୬ ହଜାର ଟଙ୍କା ବିବାହ ଆୟୋଜନ କରିବାକୁ ଦିଆଯାଉଥିଲା । ଏହି ୫୧ ହଜାର ଟଙ୍କା ପାଇବା ପାଇଁ କନ୍ୟା ନିଜ ଭାଇକୁ ବିବାହ କରିବାକୁ ନିଷ୍ପତ୍ତି ନେଲା ।

କାରଣ ସମୁହ ବିବାହ କାର୍ଯ୍ୟକ୍ରମରେ ଯେତେବେଳେ ତାଙ୍କ ବରକୁ ଖୋଜା ପଡ଼ିଲା ସେତେବେଳେ ସେ ସେଠାରେ ଉପସ୍ଥିତ ନଥିଲେ । କୌଣସି କାରଣ ବଶତଃ ବର ପହଞ୍ଚି ପାରିନଥିଲେ । ତେଣୁ ଗାଁର ଡେଭଲପ୍‌ମେଣ୍ଟ ଅଫିସର ବର ସ୍ଥାନରେ  କନ୍ୟାଙ୍କ ଭାଇକୁ ଛିଡ଼ା କରିବାର ଉପାୟ ବତାଇଥିଲେ । ଆଉ ସେହି ଉପାୟ ଆପଣାଇଥିଲେ କନ୍ୟା । ଉକ୍ତ ଡେଭଲପ୍‌ମେଣ୍ଟ ଅଫିସରଙ୍କୁ ଚାକିରିରୁ ସସ୍‌ପେଣ୍ଡ କରାଯାଇଛି ।

ସୂଚନାଯୋଗ୍ୟ, ଏହି ସମୁହ ବିବାହ କାର୍ଯ୍ୟକ୍ରମ ସରକାରଙ୍କ ପକ୍ଷରୁ ଆୟୋଜନ କରାଯାଉଥିଲା । ମୁଖ୍ୟମନ୍ତ୍ରୀ ମାସ୍ ମ୍ୟାରେଜ୍‌ ସ୍କିମ୍‌ ଅଧିନରେ ପ୍ରତ୍ୟେକ ଦମ୍ପତ୍ତିଙ୍କୁ ୫୧ ହଜାର ଟଙ୍କା ସହାୟତା ରାଶି ଦିଆଯାଉଥିଲା ।

ତେବେ ସେହି କନ୍ୟାଙ୍କ ନାଁ ପ୍ରୀତି ଯାଦବ ବୋଲି ଜଣାପଡ଼ିଛି । ଆଉ ତାଙ୍କ ଭାଇଙ୍କ ନାଁ କ୍ରିଷ୍ଣା । ଯେଉଁ ବରକୁ ଆସିପାରିଲେ ନାହିଁ, ସେ ହେଉଛନ୍ତି ରମେଶ ଯାଦବ ।