• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  •  ଗ୍ରୀନ୍ କ୍ରାକର ଛଡ଼ା ଅନ୍ୟ ବାଣ ବିକ୍ରି ଓ ବ୍ୟବହାର ସମ୍ପୂର୍ଣ୍ଣ ନିଷେଧ

  • ଗାଇଡଲାଇନ୍ ମାନି କମ୍ ବାଣ ଫୁଟାଇବାକୁ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ପରାମର୍ଶ

ଭୁବନେଶ୍ୱର : ବାଣ ଓ ଆଲୋକର ପର୍ବ ଦୀପାବଳିରେ ଏଥର ଶୁଭିନପାରେ କାନଫଟା ଶବ୍ଦ । କାରଣ ରାଜ୍ୟ ସରକାର ସବୁଜ ବାଣ ବ୍ୟତୀତ ଅନ୍ୟ ସମସ୍ତ ବାଣର ବିକ୍ରି ଓ ବ୍ୟବହାରକୁ ସମ୍ପୂର୍ଣ୍ଣ ନିଷେଧ କରିଥିବା ବେଳେ ବ୍ୟବସାୟୀଙ୍କୁ ବିଳମ୍ବରେ ଅନୁମତି ମିଳିଛି । ଆଉ ଏଥିପାଇଁ ବେପାର ପାଇଁ ହାତରେ ସମୟ ବି ନାହିଁ । ତେଣୁ ଏଥର ଦୀପାବଳି କେବଳ ଦୀପ ଓ ଆଲୋକ ଭିତରେ ସୀମିତ ରହିବା ନେଇ ଆଶା କରାଯାଉଛି । ସେପଟେ ଗ୍ରୀନ୍ କ୍ରାକର ପ୍ରତି ବି ସତର୍କ ରହିବା ସହ ଗାଇଡଲାଇନ୍ ମାନି ଯଥାସମ୍ଭବ କମ୍ ଫୁଟାଇବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

ଆଉ ଦିନକ ପରେ ଦୀପାବଳି । ଆଲୋକର ଏ ପର୍ବର ଅବ୍ୟବହିତ ପୂର୍ବରୁ ବଜାରରେ ଖୁବ୍ ଭିଡ଼ ଜମିବା କଥା । ହେଲେ ଏ ବର୍ଷ କେବଳ ସବୁଜ ବାଣ ଛଡ଼ା ଅନ୍ୟ ସମସ୍ତ ପ୍ରକାର ବାଣର ବିକ୍ରି ଓ ବ୍ୟବହାରକୁ ସରକାର ସମ୍ପୂର୍ଣ୍ଣ ନିଷେଧ କରିବା ପରେ ବଜାର ଖାଁ ଖାଁ ।

ବାଣ ବିକ୍ରିର ପ୍ରାଣ କେନ୍ଦ୍ର ଖୋର୍ଦ୍ଧା ଜିଲ୍ଲାର ଜଟଣୀ ସହରରୁ କଟକ, ଭୁବନେଶ୍ୱର ଓ ପୁରୀ ସହ ରାଜ୍ୟର ଅନ୍ୟ ଅଞ୍ଚଳକୁ ଲକ୍ଷ ଲକ୍ଷ ଟଙ୍କାର ବାଣ ଯାଇଥାଏ । କିନ୍ତୁ ବାଣ ଉପରେ କଟକଣା ପରେ ଏବର୍ଷ ସେ ସ୍ଥିତି ନାହିଁ । ବାଲେଶ୍ୱର ସହରରେ ଦୀପାବଳିର ଦିନକ ଆଗରୁ ଯେଉଠି ଲୋକଙ୍କ ଉପସ୍ଥିତିରେ ପରିବେଶ ଗହଳ ହେବା କଥା, ସେଠି କାଁ ଭାଁ ଲୋକଙ୍କ ଆତଯାତ ହେଉଛି । ପରମ୍ପରା ବଞ୍ଚାଇ ରଖିବାକୁ ଲୋକେ କେବଳ ଦୀପ ଆଉ ରଙ୍ଗୀନ୍ ଆଲୋକରେ କାମ ଚଳାଇ ନେବାକୁ ପ୍ରସ୍ତୁତ ।

କରୋନା ସଂକ୍ରମଣ ଓ ପ୍ରଦୂଷଣକୁ ରୋକିବା ଲାଗି ପୂର୍ବରୁ ବାଣ ବିକ୍ରି ଓ ଫୁଟା ଉପରେ ନିଷେଧାଦେଶ ଜାରି କରିଥିଲେ ରାଜ୍ୟ ସରକାର । ତେବେ ଦୀପାବଳିରେ କେବଳ ସବୁଜ ବାଣ ବିକ୍ରିକୁ ଅନୁମତି ଦେବା ଲାଗି ହାଇକୋର୍ଟ ଯାଇଥିଲା ରାଜ୍ୟ ବାଣ ବ୍ୟବସାୟୀ ସଂଘ । ହାଇକୋର୍ଟ ଗତକାଲି ଏ ନେଇ ଅନୁମତି ଦେବା ପରେ ସାରେ SRC ଜାରି କରିଥିଲେ ସ୍ୱତନ୍ତ୍ର ଗାଇଡଲାଇନ୍ ।

ଏଥିରେ ତୈଳ ଓ ବିସ୍ଫୋରକ ନିରାପତ୍ତା ସଂସ୍ଥା PESO ଦ୍ୱାରା ଅନୁମୋଦିତ ବା ସାର୍ଟିଫିକେଟ୍ ପାଇଥିବା ବ୍ୟବସାୟୀ ହିଁ ସବୁଜ ବାଣ ବିକ୍ରି କରିପାରିବେ । ଏଥିପାଇଁ ଅଧିକୃତ ବ୍ୟବସାୟୀ ପ୍ରଶାସନ ନିକଟରୁ ଅନୁମତି ହାସଲ କରିବାକୁ ପଡ଼ିବ ବୋଲି ନିର୍ଦ୍ଦେଶ ଦେଇଥିଲେ । ତେଣୁ ଆଜି ସକାଳୁ ଭୁବନେଶ୍ୱର ଓ କଟକରେ ଡେପୁଟି ପୋଲିସ କମିଶନରଙ୍କ ଅଫିସ ଆଗରେ ଭିଡ଼ ଜମାଇଥିଲେ ବ୍ୟବସାୟୀ ।

ଏପଟେ କେବଳ ଗ୍ରୀନ୍ କ୍ରାକରକୁ ଅନୁମତି ମିଳିଥିଲେ ବାଣ ଫୁଟାଇବା ବେଳେ ସର୍ବଦା ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ସରକାର ଧାର୍ଯ୍ୟ କରିଥିବା ସମୟ ରାତି ୮ଟାରୁ ୧୦ଟା ମଧ୍ୟରେ ହିଁ ବାଣ ଫୁଟାଇବା ସହ ଯେତେ ସମ୍ଭବ କମ୍ ବାଣ ଫୁଟାଇବେ । ତାହା ପ୍ରଦୂଷଣ କମାଇବା ସହ କେବଳ କୋଭିଡ୍ ନୁହେଁ, ଅନ୍ୟ ରୋଗୀଙ୍କ ପାଇଁ ମଧ୍ୟ ଉପକାରୀ ସାବ୍ୟସ୍ତ ହେବ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।

ଅନ୍ୟପଟେ ଦୀପାବଳିରେ କେବଳ ସବୁଜ ବାଣ ବ୍ୟତୀତ ଅନ୍ୟ ବାଣ ବିକ୍ରିକୁ ନିଷେଧ କରାଯାଇଥିବା ସତ୍ତ୍ୱେ ଆଜି କଟକ ପଦ୍ମପୁର ଅଞ୍ଚଳରେ କିଛି ବ୍ୟବସାୟୀ ଅଧିକ ପ୍ରଦୂଷଣକାରୀ ବାଣ ବିକ୍ରି କରୁଥିବା ଦେଖିବାକୁ ମିଳିଥିଲା । ଜଗତପୁର ପୋଲିସ ଚଢାଉ କରି ବହୁ ପରିମାଣର ବାଣ ଜବତ ସହ ଏ ମାମଲାରେ ଜଣକୁ ଗିରଫ କରିଛି ।