• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଶ୍ରୀକ୍ଷେତ୍ର ପୁରୀକୁ ଆସିଲା ଅଯୋଧ୍ୟା ନଗରୀରୁ ନିମନ୍ତ୍ରଣ ପତ୍ର । ଭବ୍ୟ ମନ୍ଦିରରେ ଶ୍ରୀରାମ ବିଗ୍ରହଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହରେ ଯୋଗ ଦେବା ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥ, ବିଭିନ୍ନ ମଠର ମହନ୍ତ ଏବଂ ଛତିଶାନିଯୋଗ ନାୟକଙ୍କୁ ଆନୁଷ୍ଠାନିକ ଭାବେ ନିମନ୍ତ୍ରଣ କରାଯାଇଛି । ରାଜ୍ୟର ବିଭିନ୍ନ ମଠ ଓ ଆଶ୍ରମକୁ ମଧ୍ୟ ଆସିଛି ନିମନ୍ତ୍ରଣ । ସେପଟେ ମନ୍ଦିରର ଗର୍ଭଗୃହରେ ପ୍ରତିଷ୍ଠା ହେବାକୁ ଥିବା ରାମଲାଲାଙ୍କ ମୂର୍ତ୍ତି ଓ ମୂର୍ତ୍ତିକାରଙ୍କୁ ନେଇ ଜୋର ଧରିଛି ଚର୍ଚ୍ଚା ।

ଶ୍ରୀକ୍ଷେତ୍ରମଣିଙ୍କୁ ରାମନଗରୀରୁ ଆସିଛି ସାଦର ନିମନ୍ତ୍ରଣ । ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ବାଜିଲା ଶଙ୍ଖ । ପାନ, ଗୁଆ, ନଡ଼ିଆ, ଅକ୍ଷତ ଚାଉଳ, ଉପବିତ ଓ ନୂଆବସ୍ତ୍ର ସହ ସଜେଇ ହୋଇ ରହିଛି ନିମନ୍ତ୍ରଣ ପତ୍ର । ଆସନ୍ତା ୨୨ ତାରିଖରେ ଅଯୋଧ୍ୟାରେ ଶ୍ରୀରାମଙ୍କ ପ୍ରାଣପ୍ରତିଷ୍ଠା ସମାରୋହ ପାଇଁ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଆଜି ବିଧି ମୁତାବକ ନିମନ୍ତ୍ରଣ କରାଯାଇଛି । ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ଓ ବିଶ୍ୱ ହିନ୍ଦୁ ପରିଷଦର ବରିଷ୍ଠ ସଦସ୍ୟଙ୍କ ସହିତ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ରର କ୍ଷେତ୍ରୀୟ ସଂଯୋଜକ ଶ୍ରୀମନ୍ଦିର ଭିତରକୁ ଯାଇ କାଳିଆ ସାଆନ୍ତଙ୍କୁ ନିମନ୍ତ୍ରଣ କରିଛନ୍ତି । ଏଥିସହ ଛତିଶା ନିଯୋଗ ନାୟକ ଏବଂ ରାଧାବଲ୍ଲଭ, ପାପୁଡ଼ିଆ, ଉତ୍ତରପାର୍ଶ୍ୱ ଓ ମହିପ୍ରକାଶ ମଠର ମହନ୍ତଙ୍କୁ ବି ଜାନୁଆରୀ ୨୧ ପୂର୍ବରୁ ପହଞ୍ଚିବା ପାଇଁ ନିମନ୍ତ୍ରଣ ଆସିଛି ଅଯୋଧ୍ୟା ନଗରୀରୁ ।

କେବଳ ପୁରୀ ନୁହେଁ, ରାଜ୍ୟର ବିଭିନ୍ନ ସ୍ଥାନର ମଠ ମହନ୍ତଙ୍କୁ ସମାରୋହରେ ଯୋଗ ଦେବା ପାଇଁ ଏବଂ ବିଶ୍ୱ ହିନ୍ଦୁ ପରିଷଦ ବରିଷ୍ଠ ସଦସ୍ୟଙ୍କୁ ସେବା ପ୍ରଦାନ ପାଇଁ ନିମନ୍ତ୍ରଣ ଆସିଛି । ଏଭଳି ନିମନ୍ତ୍ରଣ ପାଇ ଖୁସିରେ ଗଦଗଦ କୋରାପୁଟ ଜୟପୁର ସ୍ଥିତ ରାମଭକ୍ତ ବାବୁଭାଇ ବଜରଙ୍ଗୀ ଏବଂ ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକ୍ ମୀନାଝୋଲା ଜନକଲ୍ୟାଣ ଆଶ୍ରମର ବାବା ଜାନକାନନ୍ଦ ଗିରି ।

ପ୍ରାଣ ପ୍ରତିଷ୍ଠା ତିଥି ପାଖେଇବା ସହ ଗର୍ଭଗୃହରେ ବିରାଜିବାକୁ ଥିବା ରାମଲାଲାଙ୍କ ବିଗ୍ରହକୁ ନେଇ ଉତ୍ସୁକତା ବଢ଼ୁଛି, ଆଉ ତା ସହ ବଢ଼ୁଛି ଚର୍ଚ୍ଚା ଓ ଗୁଜବ । ମହୀଶୂରର ପ୍ରଖ୍ୟାତ ସ୍ଥପତି ଅରୁଣ ଯୋଗୀରାଜଙ୍କ ନିର୍ମିତ ମୂର୍ତ୍ତି ଗର୍ଭଗୃହ ଲାଗି ଚୂଡ଼ାନ୍ତ ହୋଇଥିବା, କେନ୍ଦ୍ରମନ୍ତ୍ରୀ ପହଲ୍ଲାଦ ଯୋଶୀ ସୋସିଆଲ ମିଡିଆରେ ପ୍ରକାଶ କରିଥିଲେ । ତେବେ ସେ ଅରୁଣ ଯୋଗୀରାଜଙ୍କ ସହ ଯେଉଁ ରାମ-ସୀତା ମୂର୍ତ୍ତି ଫଟୋ ପୋଷ୍ଟ କରିଥିଲେ, ତାହା ହିଁ ୩ଟି ବିକଳ୍ପ ମଧ୍ୟରୁ ବିଜେତା ହୋଇଥିବା ଚର୍ଚ୍ଚା ହେଉଥିଲା ।

ହେଲେ ଏହାକୁ ଖଣ୍ଡନ କରିଛନ୍ତି ଅଯୋଧ୍ୟା ରାମମନ୍ଦିରର ମୁଖ୍ୟ ପୂଜକ। ବାସ୍ତବ କଥା ହେଉଛି, ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ପକ୍ଷରୁ ଏପର୍ଯ୍ୟନ୍ତ ମୂର୍ତ୍ତିର ଫଟୋ କିମ୍ବା ମୂର୍ତ୍ତିକାରଙ୍କ ନାଁ, ସାର୍ବଜନୀନ କରାଯାଇ ନାହିଁ। ହେଲେ ଏକଥା ସ୍ପଷ୍ଟ ଯେ, ଗର୍ଭଗୃହରେ ରାମଲାଲାଙ୍କ ୫ ବର୍ଷୀୟ ବାଲ୍ୟାବସ୍ଥାର ବିଗ୍ରହ ପ୍ରତିଷ୍ଠା ହେବ ।

ଏସବୁ ଭିତରେ ଆଜି ଅଯୋଧ୍ୟାରେ ପହଞ୍ଚିଛି ରାମଲାଲାଙ୍କ ମାମୁଘର ଛତିଶଗଡ଼ରୁ ପଠାଯାଇଥିବା ଚାଉଳ ଭାର । ପ୍ରାଣପ୍ରତିଷ୍ଠା ସମାରୋହ ପାଇଁ ୧୧ଟି ଟ୍ରକରେ ଆସିଛି ୩ଶହ ଟନ୍ ଚାଉଳ ।

  • Reported by:
  • MADHUSUDAN MISHRA , T GOURISHANKAR