• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ନିକଟରେ ୫୦୦ କୋଟିରୁ ଅଧିକ ଟଙ୍କା ପଡ଼ି ରହିଛି । ଏଯାବତ୍ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ଖର୍ଚ୍ଚ କରି ପାରିନାହାନ୍ତି । ଅନ୍ୟପକ୍ଷରେ ଭିତ୍ତିଭୂମି ବିକାଶ ଲାଗି ଅନ୍ୟ ସଂସ୍ଥାକୁ ସହାୟତା ମାଗୁଛନ୍ତି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ । ଏଥିରୁ ନିବୃତ୍ତ ରହିବାକୁ ବିଶ୍ୱବିଦ୍ୟାଳୟକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ତେବେ ବିଶ୍ୱବିଦ୍ୟାଳୟର ଏଭଳି ଆଚରଣକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର । ଏନେଇ କୁଳପତିଙ୍କୁ ଚିଠି ଲେଖି ଅବଗତ କରିଛନ୍ତି । ଚିଠିରେ ଉଲ୍ଲେଖ କରିଛନ୍ତି, ବିଶ୍ୱବିଦ୍ୟାଳୟର ସାମଗ୍ରୀକ ବିକାଶ ପାଇଁ ରାଜ୍ୟ ସରକାର ନିୟମିତ ଭାବେ ପର୍ଯ୍ୟାପ୍ତ ଅର୍ଥ ଯୋଗାଇ ଦେଉଛନ୍ତି । ହେଲେ ଅନ୍ୟଠାରୁ କାହିଁକି ସହାୟତା ମଗାଯାଉଛି ବୋଲି ସେ ପ୍ରଶ୍ନ କରିଛନ୍ତି ।

ଏଭଳି କରିବା ପରିବର୍ତ୍ତେ ବିଶ୍ୱବିଦ୍ୟାଳୟ ପାଖରେ ଥିବା ଅର୍ଥକୁ ଉପଯୋଗ କରିବା ଦିଗରେ ପଦକ୍ଷେପ ନେବାକୁ କୁହାଯାଇଛି । ଭୂତତ୍ତ୍ୱ ବିଭାଗର ବିକାଶ ପାଇଁ ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ଓଡ଼ିଶା ମାଇନିଂ କର୍ପୋରେସନ ବା ଓଏମସିକୁ ଆର୍ଥିକ ସହାୟତା ମଗାଯାଇଥିଲା । ଏକକାଳୀନ ଭାବେ ୧୦ କୋଟି ଏବଂ ଆସନ୍ତା ୧୦ ବର୍ଷ ପାଇଁ ବାର୍ଷିକ ୨ କୋଟି ଟଙ୍କା ଦେବାକୁ ପ୍ରସ୍ତାବ ଦିଆଯାଇଥିଲା ।

ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଏହି ପ୍ରସ୍ତାବ ଉପରେ ଓଏମସି ପକ୍ଷରୁ ଉଚ୍ଚଶିକ୍ଷା ବିଭାଗକୁ ଅବଗତ କରାଯାଇଥିଲା । ଏ ଦିଗରେ କେଣସି ଅର୍ଥ ଦିଆଯାଇଛି କି ନାହିଁ ଜାଣିବାକୁ ଚାହିଁଥିଲେ ଓଏମସି କର୍ତ୍ତୃପକ୍ଷ । ବିଶ୍ୱବିଦ୍ୟାଳୟ ନିଜସ୍ୱ ପାଣ୍ଠିରେ ବିଭାଗର ଉନ୍ନତି କରିପାରିବ ବୋଲି ବିଭାଗ ପକ୍ଷରୁ ଜଣାଯାଇଛି । ଏବେ ବିଶ୍ୱବିଦ୍ୟାଳୟ ପାଖରେ ପ୍ରାୟ ୫ଶହ କୋଟି ଟଙ୍କା ମହଜୁଦ ରହିଥିବା ଚିଠିରେ ଉଲ୍ଲେଖ ରହିଛି ।