• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ପେସାରେ ସେ ଜଣେ ଆୟୁର୍ବେଦ ସହାୟକ ସରକାରୀ କର୍ମଚାରୀ କିନ୍ତୁ ନିଶା ତାଙ୍କର ତୁଳସୀ ମାଳି ତିଆରି କରିବା । କଟକ ଜିଲ୍ଲା ନିଆଳୀ ବ୍ଲକ ବିଳାସୁଣୀ ପଞ୍ଚାୟତ ବାଲିକୁଦ ଗ୍ରାମର କମଳ ଧ୍ୱଜ ପ୍ରଧାନ । ସରକାରୀ ଡ୍ୟୁଟି ପରେ ଅବସର ସମୟକୁ ସେ ଅପଚୟ ନକରି ଲାଗି ପଡନ୍ତି ତୁଳସୀ ମାଳୀ ତିଆରିରେ । ଛୋଟ ବେଳରୁ ଥିବା ସ୍ୱପ୍ନ ତାଙ୍କର ଏବେ ସାକାର ହୋଇଛି ।

ପୁରୀ ରଥ ଯାତ୍ରାକୁ ଜେଜେ ଯାଉଥିବା ବେଳେ କମଳ ଛୋଟ ବେଳେ ଥରେ କହିଥିଲେ ଜେଜେ ମୋ ପାଇଁ ପୁରୀରୁ ତୁଳସୀ ମାଳି ଆଣିବ । ଜେଜେ କିନ୍ତୁ ଛୋଟ ପିଲାଟିର କଥାକୁ ଖାମଖିଆଲିରେ ନେଇଯାଇ ମାଳୀ ଆଣିନଥିଲେ । ସେହି କଥା କିନ୍ତୁ କମଳଙ୍କ ମନରେ ଏକ ଦୃଢ ନିଷ୍ପତ୍ତି ନେଇଥିଲା । ସେ ବଡ ହେଲେ ତୁଳସୀ ମାଳୀ ତିଆରି କରିବେ ବୋଲି ନିଷ୍ପତ୍ତି ନେଲେ । ସମୟ କ୍ରମରେ ପାଠପଢା ଚାକିରି ବିବାହ ଆଦି କାମ ଶେଷ ହେବା ପରେ ଛୋଟ ବେଳର ସେହି ନିଷ୍ପତିକୁ ମନେ ପକାଇ ଏବେ ୧୫ ବର୍ଷ ଧରି ତିଆରି କରି ଚାଲିଛନ୍ତି ତୁଳସୀ ମାଳୀ ।

ଶହ ଶହ ଭଳିକି ଭଳି ଗୋଲ, ମୃଦଙ୍ଗ, ଲମ୍ବା ଆଦି ମାଳି ତିଆରି କରି ସେ ଏବେ ଚର୍ଚ୍ଚାରେ । ତୁଳସୀ ମାଳି ତିଆରି କରି ବିକ୍ରୀ କରି ସେଥିରୁ ଦୁଇ ପଇସା ରୋଜଗାର କରିବା ତାଙ୍କର ଲକ୍ଷ ନୁହେଁ । ବରଂ ସାଧୁ ସନ୍ୟାସୀ ବ୍ରାହ୍ମଣ ପଣ୍ଡିତମାନଙ୍କୁ ସେ ନିଜ ହାତ ତିଆରୀ ମାଳୀ ଦାନ କରିବା ସହ ନିଜ ସକ୍ଷମ ଅନୁଯାୟୀ ଦକ୍ଷିଣା ଦେଇ ଆତ୍ମତୃପ୍ତି ଲାଭ କରନ୍ତି ।

ସେଥିପାଇଁ ପ୍ରଥମେ ତୁଳସୀ ଗଛ ଯୋଗାଡ କରି ତାକୁ ଖଣ୍ଡ ଖଣ୍ଡ କରି କାଟି ପାଣିରେ ଭିଜାଇ ଥାନ୍ତି । ପରେ ମାଳି ଆକାର ପ୍ରକାର ଅନୁସାରେ ତାକୁ ଛୋଟ ଖଣ୍ଡ କରି ପ୍ରଥମେ ମଝିକୁ କଣା କରି ମାଳି ତିଆରି କରିଥାନ୍ତି । କାଳେ ତୁଳସୀ ଗୋଡରେ ବାଜିବ ସେଥିପାଇଁ ମଧ୍ୟ ସେ ହୁସିଆର ରୁହନ୍ତି । ତିଆରି ସମୟରେ ନିଜ ଗୋଡକୁ ଗାମୁଛାରେ ଘୋଡାଇ ମାଳି ତିଆରିରେ ଲାଗି ପଡନ୍ତି । ତୁଳସୀର ଶୁଖିଲା ଡାଙ୍ଗକୁ ଲୋକେ ପାଣିରେ ଫିଙ୍ଗି ଦେଇଥାନ୍ତି । ସେ କିନ୍ତୁ ସେଥିରୁ ସୁନ୍ଦର ସୁନ୍ଦର ମାଳୀ ତିଆରି କରି ଏବେ ମାଳି ତିଆରି ନିଶାରେ ମସଗୁଲ ହୋଇ ଯାଇଛନ୍ତି । କମଳଙ୍କ ଏହି ପ୍ରତିଭା ତାଙ୍କୁ ଏବେ ଜଣେ ନିଆରା ମଣିଷର ପରିଚୟ ଦେଇଛି ।

ରିପୋର୍ଟର- ବିନୟ ମିଶ୍ର