/odishatv-khabar/media/post_attachments/uploadimage/library/16_9/16_9_0/IMAGE_1629546523.jpg)
Mayurbhanj
ବାରିପଦା, ଯାଜପୁର (ମାଣିକଲାଲ ପାଣି ଓ ଅଭୟ ପତି) : ଅସୁରକ୍ଷିତ ଜାତୀୟ ରାଜପଥ । ଯାଜପୁର ଜିଲ୍ଲା ଦେଇ ଯାଇଥିବା ୨୦ ନମ୍ବର NH ହେଉ କିମ୍ବା ମୟୂରଭଂଜ ଦେଇ ଯାଇଥିବା ୪୯ ନମ୍ବର NH, ଏଗୁଡିକ ଏବେ ମରଣଯନ୍ତା । ଗାଡି ଚଳାଇବାକୁ ଡରୁଛନ୍ତି ଡ୍ରାଇଭର, ଯାଆସ କରିବାକୁ ଭୟ କରୁଛନ୍ତି ଲୋକେ ।
ମୟୂରଭଂଜ ଜିଲ୍ଲାରେ ଘାଟି ରାସ୍ତା ପାଲଟିଛି ମରଣଯନ୍ତା । ରାସ୍ତାରେ ଯିବାକୁ ଡରୁଛନ୍ତି ଡ୍ରାଇଭର । ୪୯ ନମ୍ବର ଜାତୀୟ ରାଜପଥର ଏହି ବାଙ୍ଗିରୀପୋଷି ଘାଟିରେ ଗତ ୭ ବର୍ଷରେ ୫୨ ଜଣଙ୍କ ପ୍ରାଣହାନି ହୋଇଛି, ଆହତ ହୋଇଛନ୍ତି ଶତାଧିକ । ୨ ଦିନ ତଳେ ଘାଟିର ଶହେ ଫୁଟ ରାସ୍ତା ତଳକୁ ଖସିପଡିଥିଲା ମାଲ ବୋଝେଇ ଟ୍ରକ । ଏହିପରି ଛୋଟ ବଡ଼ ଦୁର୍ଘଟଣା ବାଙ୍ଗିରୀପୋଷି ଘାଟିରେ ନିତିଦିନିଆ ହୋଇଗଲାଣି । ଏହି ରାସ୍ତା ଜିଲ୍ଲାର ସମସ୍ତ ଅଞ୍ଚଳକୁ ଯୋଡୁଥିବାରୁ ଦୈନିକ ହଜାର ହଜାର ଦୁଇଚକିଆଠୁ ଭାରି ଯାନ ଚଳାଚଳ କରିଥାଏ । ଘାଟିର ଉପର ଓ ତଳ ମୁଣ୍ଡରେ ରାସ୍ତା ପ୍ରଶସ୍ତିକରଣ ହୋଇସାରିଥିବା ବେଳେ ଏହି ଅଙ୍କାବଙ୍କା ପାହାଡ଼ି ରାସ୍ତା ପ୍ରଶସ୍ତିକରଣ ପାଇଁ ଅନେକ ଥର ଆନ୍ଦୋଳନ, ରାସ୍ତାରୋକ ହୋଇଛି, ହେଲେ ଫଳ ଶୂନ୍ ।
ସେହିପରି ଯାଜପୁର ଜିଲ୍ଲା ଦେଇ ଯାଇଥିବା ୨୦ ନମ୍ବର ଜାତୀୟ ରାଜପଥର ପାଣିକୋଇଲି ଛକ ବି ଅସୁରକ୍ଷିତ । ଭଦ୍ରକ, ଯାଜପୁର ଓ କେନ୍ଦୁଝର ତିନି ଜିଲ୍ଲାର ସଂଯୋଗସ୍ଥଳୀ ହେଉଛି ପାଣିକୋଇଲି ଛକ । ଟ୍ରାଫିକ୍ ଛକର ବେହାଲ୍ ଅବସ୍ଥା । ବଡ଼ ବଡ଼ ଗାତ ସୃଷ୍ଟି ହେବା ଫଳରେ ଗାଡି ଗୁଡିକ ବିପଦଜନକ ଭାବେ ଯାଆସ କରୁଛି । ଗାଡି ମୋଟର କଥା ଛାଡ, ଏହି ରାସ୍ତାରେ ସ୍କୁଲ, କଲେଜ ଛାତ୍ରଛାତ୍ରୀ ମାନେ ମଧ୍ୟ ଯିବାକୁ ନିରାପଦ ମଣୁନାହାନ୍ତି । ଦୀର୍ଘ ଦିନ ଧରି NH ସଂପ୍ରସାରଣ ନାଁରେ ଯେଉଁଠି ଇଚ୍ଛା ସେଠି ଡାଇଭର୍ସନ କରାଯାଉଥିବାରୁ ଗାଡି ଚାଳକ ମାନେ ବେପରୁଆ ଭାବେ ଗାଡି ଚଳାଉଛନ୍ତି । ଫଳରେ ପ୍ରତିଦିନ ଘଟୁଛି ଦୁର୍ଘଟଣା, ଅକାଳରେ ଝଡ଼ିଯାଉଛି ବହୁ ଜୀବନ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)