• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଭୁବନେଶ୍ୱର ଭୁଆସୁଣୀ ଡମ୍ପିଂୟାର୍ଡ ବିବାଦ ପ୍ରସଙ୍ଗ ଲୋକସେବା ଭବନରେ ଚାଲିଥିବା ଉଚ୍ଚସ୍ତରୀୟ ବୈଠକ ଶେଷ ହୋଇଛି । ଏଥିରେ ଗୃହ ର୍ନିମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ, ସଚିବଙ୍କ ସହ ବିଏମସି ମେୟର ଓ କମିଶନର ଯୋଗ ଦେଇଥିଲେ । ଏହାସହ ଦାରୁଠେଙ୍ଗ ପଞ୍ଚାୟତର ପ୍ରତିନିଧି ମଧ୍ୟ ଉପସ୍ଥିତ ଥିଲେ ।

ଆଲୋଚନାରେ ଜଟଣୀ ବିଧାୟକ ସୁର ରାଉତରାୟ ଓ ଦାରୁଠେଙ୍ଗ ସରପଞ୍ଚ ତପନ ଚକ୍ରବର୍ତ୍ତୀ ମଧ୍ୟ ଯୋଗ ଦେଇଥିଲେ । ବୈଠକ ପରେ ସମସ୍ୟାର ସମାଧାନ ନେଇ ଉଭୟ ପକ୍ଷ ଆଶାବାଦୀ ଅଛନ୍ତି । ବୈଠକ ପ୍ରାୟତ ସଫଳ ହୋଇଥିବା ନଗକ ଉନ୍ନୟନ ମନ୍ତ୍ରୀ କହିଛନ୍ତି । ଗତ ୩ ସପ୍ତାହରୁ ଅଧିକ ଦିନ ଧରି ଏହି ବିବାଦ ଲାଗି ରହିଛି । ଭୁବନଶ୍ୱରରୁ ଦାରୁଠେଙ୍ଗା ଭୁଆସୁଣୀ ଡମ୍ପିଂୟାର୍ଡକୁ ଅଳିଆ ଯାଇପାରୁନାହିଁ । ଦାରୁଠେଙ୍ଗର ଭୁଆସୁଣୀ ଡମ୍ପିଂୟାର୍ଡରେ ଅଳିଆ ପଡ଼ିପାରୁନଥିବାରୁ କେବଳ ସୈନିକ ସ୍କୁଲ ପଛ ପଟ ଡମ୍ପିଂୟାର୍ଡରେ ଆବର୍ଜନା ପଡୁଛି ।

ଉଚ୍ଚସ୍ତରୀୟ ବୈଠକ ଶେଷରେ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀଙ୍କ ପ୍ରତିକ୍ରିୟା ମିଳିପାରିଛି । ସେ କହିଛନ୍ତି ଯେ, ‘ସମସ୍ୟା ନେଇ ଆଲୋଚନା ହେଲା, ବୈଠକ ପ୍ରାୟତଃ ସଫଳ ହୋଇଛି । ଗ୍ରାମବାସୀଙ୍କ ଦାବି ଶୁଣିଛୁ, ଖୁବ୍‌ଶୀଘ୍ର ଦାବି ପୂରଣ କରାଯିବ । ସମାଧାନ ପାଇଁ ୯ ମାସ ସମୟ ମାଗିଛୁ’ ।

ଦିନ ଦିନ ଧରି ଅଳିଆ ଆବର୍ଜନା ପଡ଼ି ରହିବା ପରେ ସଢ଼ିବା ଆରମ୍ଭ କଲାଣି । ଦୁର୍ଗନ୍ଧରେ ରାସ୍ତାରେ ଛିଡା ହେବା ମୁସ୍‌କିଲ ହୋଇପଡ଼ିଛି ।  ନଖରାରୁ ନନ୍ଦନକାନନ, ଶିଶୁପାଳଗଡ଼ରୁ ଆଇଗିଣିଆ, ଯୁଆଡେ ଆଖି ପଡୁଛି ସେଠି କୁଢ଼ କୁଢ଼ ଅଳିଆ ।

ଦାରୁଠେଙ୍ଗ ଗ୍ରାମବାସୀଙ୍କ ସହ ବୁଝାମଣା କରି ପରିସ୍ଥିତିକୁ ସ୍ୱାଭାବିକ କରିବାକୁ ବିଏମସି ଅଣ୍ଟା ଭିଡ଼ିଛି।  ଭୁଆସୁଣୀ ଡମ୍ପିଂୟାର୍ଡରେ ଅଳିଆ ଧିରେ ଧିରେ କମାଇବାକୁ ବିଏମସି ମେୟର ମୌଖିକ ଭାବେ ୯ ମାସ ସମୟ ମାଗିଛନ୍ତି। ହେଲେ  ଲିଖିତ ଭାବେ ଏଗ୍ରିମେଣ୍ଟରେ ୧୨ ମାସ ସମୟ ପାଇଁ ଉଲ୍ଲେଖ ରହିଛି।  ବିଏମ୍‌ସିର ନିଷ୍ପତ୍ତିରେ ପଞ୍ଚାୟତବାସୀ ସହମତି ପ୍ରକାଶ କରିପାରୁନାହାନ୍ତି । ସେଥିପାଇଁ ଆଜି ଆଉ ଥରେ ପଲ୍ଲୀସଭା ବସିବ ।