• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପେଟ ପାଇଁ ପୁରୁଷ ପୁରୁଷ ଧରି ନିହାଣ ମୁନରେ ନିର୍ଜିବ ପାଷାଣକୁ ଜୀବନ୍ତ କରୁଛନ୍ତି କାରିଗର । ସମୟ ଗଡ଼ିଛି, ପରିଶ୍ରମ ବଢୁଛି ହେଲେ ରୋଜଗାର କିନ୍ତୁ ବଢ଼ିନି । ପେଟ ପାଟଣା ପାଇଁ ଶେଷରେ ଭିଟାମାଟି ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି କାରିଗର । ପଥର କାରିଗରୀ ପାଇଁ ପ୍ରସିଦ୍ଧ ଗଞ୍ଜାମ ଜିଲ୍ଲା ପୋଲସରା ନିକଟ ମଥୁରା ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଗ୍ରାମର କିଛି ହାତ ଗଣତି ଶିଳ୍ପୀ ହିଁ ନିଜ କୌଳିକ ବୃତ୍ତିକୁ ବଞ୍ଚାଇ ରଖିବାକୁ ପ୍ରାଣପଣେ ଚେଷ୍ଟା କରୁଛନ୍ତି । ଚେଷ୍ଟା ତ କରୁଛନ୍ତି କିନ୍ତୁ ସରକାରୀ ସହାୟତା ମିଳୁନଥିବାରୁ ମନରେ କୋହ ରହିଛି । ଆଉ ଏବେ କରୋନା ସଂକ୍ରମଣ ଛଡ଼ାଇ ନେଇଛି ଆୟର ମାଧ୍ୟମ ।

ବେପାର ନାହିଁ ଆୟ ଆସିବ କେଉଁଠୁ ? ଧାର କରଜରେ ହିଁ ଚାଲିଛି ପଥର ଶିଳ୍ପୀଙ୍କ ସଂସାର । ପ୍ରଥମ ଲହର, ଦ୍ୱିତୀୟ ଲହର ଆଉ ଏବେ ମହାମାରୀର ତୃତୀୟ ଲହର, ସତେ ଯେମିତି ମହାରଣା ପୁଅ ସାମ୍ନାରେ ଯନ୍ତ୍ରଣାର ପାହାଡ଼ ହୋଇ ଛିଡ଼ା ହୋଇଛି । କେବଳ କରୋନା କାହିଁକି କମଣୀୟ ମୂର୍ତ୍ତି ନିର୍ମାଣ ପାଇଁ ଆବଶ୍ୟକ କଞ୍ଚାମାଲ ଅଭାବ ବି ବଡ଼ ସମସ୍ୟା ସାଜିଛି । ଉତ୍କୃଷ୍ଟମାନର ପଥର ମିଳିପାରୁନଥିବାରୁ ବାହାରକୁ ଆକର୍ଷଣୀୟ ମୃତ୍ତି ରପ୍ତାନୀ ବି ହୋଇପାରୁନି ।

ଯାହାଙ୍କ ପୂର୍ବଜ କୋଣାର୍କ ଗଢ଼ିଛନ୍ତି । ରାଜ୍ୟର କୋଣ ଅନୁକୋଣରେ ଥିବା ମଠ, ମନ୍ଦିରରେ ନିଜର ଛାପ ଛାଡ଼ିଛନ୍ତି । ଆଜି ସେମାନେ କରୋନା କାଳରେ ନିଜର ଅସ୍ଥିତ୍ୱ, ପରିବାର ପ୍ରତିପୋଷଣ ପାଇଁ ସଂଗ୍ରାମ କରୁଛନ୍ତି । ଆଶା ସରକାର ସେମାନଙ୍କ କଥା ବୁଝିବେ, ଦୁଃଖ-ଗୁହାରୀ ଶୁଣି ସେମାନଙ୍କ କୌଳିକ କଳାକୁ ବଞ୍ଚାଇ ରଖିବା ପାଇଁ ସାହାଯ୍ୟ, ସହଯୋଗର ହାତ ବଢ଼ାଇବେ ।