ମହାପ୍ରସାଦ ନାଁରେ ଶ୍ରୀମନ୍ଦିର ବାହାରେ ଅବଢ଼ା ରନ୍ଧନ ଗ୍ରହଣୀୟ ନୁହେଁ । ଏହା କଳିଯୁଗର ପ୍ରଭାବ । ଏଥିପାଇଁ ପ୍ରଶାସନିକ ହସ୍ତକ୍ଷେପର ଆବଶ୍ୟକତା ରହିଛି ବୋଲି କହିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ । ସେହିଭଳି ଇସ୍କନ ପକ୍ଷରୁ ହେଉଥିବା ଅଦିନିଆ ରଥଯାତ୍ରା ବନ୍ଦ ହେବା ଆବଶ୍ୟକ ଏବଂ ଶାସ୍ତ୍ର ଅନୁଯାୟୀ ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ରଥଯାତ୍ରା ହେବା କଥା।
ମହାପ୍ରଭୁଙ୍କ ପ୍ରଚାର ପ୍ରସାର ପାଇଁ ବହୁ ଭାଷାରେ ପୁସ୍ତକ ଲେଖାଯିବା ଏବଂ ବ୍ୟାପକ ପ୍ରଚାର ପ୍ରସାର ହେବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ଗଜପତି ମହାରାଜା । ପୁରୀରେ ନକଲି ଅବଢ଼ା ପ୍ରସ୍ତୁତି ନେଇ ସୁଆର ମହାସୁଆର ନିଯୋଗ ତରଫରୁ ସିଂହଦ୍ୱାର ଥାନାରେ ଏନେଇ ଏତଲା ଦିଆଯାଇଛି । ପୁରୀ ଲୋକନାଥ ରୋଡ୍ ପାଇକ ସାହି ସାପୁଆ ମଠ ସମ୍ମୁଖରେ ନକଲି ଅବଢ଼ା ପ୍ରସ୍ତୁତ କରାଯାଉଥିଲା ।
Also Read
ମହାପ୍ରଭୁଙ୍କ ରତ୍ନଭଣ୍ଡାରର ସ୍ଥିତି ଓ ସୁରକ୍ଷାକୁ ନେଇ ପୁଣି ଥରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଉଦବେଗ । ରତ୍ନ ଭଣ୍ଡାରର ସ୍ଥିତି ଆଦୌ ଭଲ ନଥିବାରୁ ଏହାକୁ ତୁରନ୍ତ ମରାମତିର ଆବଶ୍ୟକତା ଥିବା ଓଟିଭିକୁ ଏକ ସ୍ୱତନ୍ତ୍ର ସାକ୍ଷାତକାର ଦେଇ କହିଛନ୍ତି ଗଜପତି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମହଣ ମହଣ ସୁନା, ଅଳଙ୍କାର ଗଚ୍ଛିତ ଥିବା ରତ୍ନଭଣ୍ଡାର ଯେ କେତେ ଅସୁରକ୍ଷିତ ହୋଇପଡ଼ିଛି, ମହାରାଜଙ୍କ ମୁହଁରୁ ସ୍ପଷ୍ଟ ବାରି ହୋଇଛି । କେଉଁଠି ଫାଟ ଅଛି ତ ଆଉ କେଉଁଠି ବର୍ଷା ହେଲେ ପାଣି ଗଳୁଛି ।
ରତ୍ନଭଣ୍ଡାରର ଭିତର କାନ୍ଥର ଅବସ୍ଥା ଆଦୌ ଭଲ ହିଁ ନାହିଁ । ତେଣୁ ତୁରନ୍ତ ମରାମତିର ଆବଶ୍ୟକତା ଥିବା କଥାକୁ ପୁଣି ଦୋହରାଇଛନ୍ତି ଗଜପତି । କେବଳ କହିନାହାଁନ୍ତି, ଏ ସଂପର୍କରେ ଶ୍ରୀମନ୍ଦିର ପରିଚାଳନା କମିଟି ପକ୍ଷରୁ ରାଜ୍ୟ ସରକାରଙ୍କୁ ଅବଗତ କରାଯିବା ସତ୍ତ୍ୱେ ଏବଂ ଆଇନରେ ବ୍ୟବସ୍ଥା ଥିବା ସତ୍ତ୍ୱେ କାହିଁକି ରାଜ୍ୟ ସରକାର ଏଯାଏଁ ନିରବ ରହୁଛନ୍ତି ବୋଲି ଓଟିଭିକୁ ଏକ ସ୍ୱତନ୍ତ୍ର ସାକ୍ଷାତକାରବେଳେ କ୍ଷୋଭ ପ୍ରକାଶ କରିଛନ୍ତି ।
- Reported by:
- MADHUSUDAN MISHRA