/odishatv-khabar/media/post_attachments/uploadimage/library/16_9/16_9_0/IMAGE_1691254090.jpg)
Road Problem
ଯିଏ ଯୁଆଡ଼େ ପାଇଲା ସିଏ ସିଆଡେ ପଶିଲା । ଆଗ, ପଛ, ଡାହାଣ, ବାମ କିଛି ଦେଖିବାର ନାହିଁ । ବେଳେବେଳେ ସ୍ଥିତି ଏମିତି ହେଉଛି ଯେ ଯିଏ ଯେଉଁଠି ରହିଛି ସିଏ ସେଇଠି ସ୍ଥିର ହୋଇ ରହୁଛି । ଭୟଙ୍କର ଟ୍ରାଫିକ୍ ଜାମରେ ଘଣ୍ଟାଘଣ୍ଟା ଫଶିରହୁଛନ୍ତି ଲୋକେ । ବାରମ୍ବାର ଅଭିଯୋଗ ପରେ ଫ୍ଲାଏ ଓଭର ବ୍ରିଜ୍ ପାଇଁ ମିଳିଲା ଅନୁମତି । ହେଲେ ୪ ବର୍ଷ ହେଲା ଫ୍ଲାଏ ଓଭର ସରିବାର ନା ଧରୁନି । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ କୁହୁଳିବାରେ ଲାଗିଛି ଅସନ୍ତୋଷ ।
ଦିନକୁ ଦିନ ବ୍ରହ୍ମପୁର ମହାନଗରରେ ଗୁରୁତର ହେଉଛି ଟ୍ରାଫିକ୍ ସମସ୍ୟା । ବ୍ୟସ୍ତବହୁଳ ଗେଟ ବଜାର ଛକ ଓ ଖଲିକୋଟ କଲେଜ ଛକ ଦେଇ ପ୍ରତିଦିନ ଶହଶହ ବସ୍, ଆମ୍ବୁଲାନ୍ସ, କାର ତଥା ଅନେକ ଗାଡି ଯାଉଛି । ହେଲେ ରାସ୍ତା ଅଣଓସାରିଆ ଥିବାରୁ ଘଂଟା ଘଂଟା ଜାମ ହେଉଛି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ସ୍କୁଲ, କଲେଜ, ବ୍ୟାଙ୍କ ଠାରୁ ଆରମ୍ଭ କରି ଏମ୍କେସିଜି ମେଡିକାଲ ତଥା ସିଟି ହସପିଟାଲ ଏହି ରାସ୍ତାରେ ପଡୁଥିବାରୁ ନାକେଦମ୍ ହେଉଛନ୍ତି ଲୋକେ ।
ମେଡିକାଲ ଯାଉଯାଉ ଲୋକେ ଫଶୁଥିବା ପାଇଁ ହେଉ କି ସ୍କୁଲ ପିଲା ଠିକ୍ ଟାଇମ୍ରେ ସ୍କୁଲରେ ନପହଞ୍ଚିବା କାରଣ ହେଉ ଓଭରବ୍ରିଜ୍ ପାଇଁ ୨୦୧୯ରେ ନିଷ୍ପତ୍ତି ହୋଇଥିଲା । ଆଉ ଏହାରି ଭିତରେ ୪ ବର୍ଷ ବିତିଲାଣି । କିନ୍ତୁ ପୋଲ କାମ ଆରମ୍ଭ ହେଉନି । ୨ ଦିନ ତଳେ ଓଡ଼ିଶା ବିଲ୍ଡିଂ କର୍ପୋରେସନ୍ର ଟିମ ଆସି ପ୍ରକଳ୍ପ ଅଂଚଳ ବୁଲି ଦେଖିଛନ୍ତି । ଏମିତିକି କେଉଁଠାରେ ପ୍ରକଳ୍ପ ହେବ? କେଉଁଠାରେ ସରିବ ସେନେଇ ମ୍ୟାପ୍ ପ୍ରସ୍ତୁତ ହୋଇଛି । ହେଲେ କାମ ଆରମ୍ଭ କେବେ ହେବ ତାହା ଅନିଶ୍ଚିତତା ଘେରର ରହିଛି ।
ସେପଟେ କେବଳ ସର୍ଭେ କାମ ହେଉଛି ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଖାଲି ଏତିକି ନୁହେଁ ବରଂ ୪ ବର୍ଷ ତଳେ ବିଧାୟକ ଦେଇଥିବା ପ୍ରତିଶ୍ରୁତି ପୂରଣ ହୋଇନଥିବାରୁ ଅସନ୍ତୋଷ ଝାଡିଛନ୍ତି ଲୋକେ । ଖାଲି ଏତିକି ନୁହେଁ ବରଂ ସହରରେ ଅନେକ ଅଧାପନ୍ତରିଆ ପ୍ରକଳ୍ପ ପଡିରହିଥିବା ବେଳେ ପ୍ରେମ୍ ନଗରରେ ୪୬ କୋଟି ଟଙ୍କାର ଓଡ଼ିଆରପି ପ୍ରକଳ୍ପ ବି ସଂପୂର୍ଣ୍ଣ ହୋଇପାରୁନାହିଁ । ଏପଟେ ସହରରେ ଥିବା ଟ୍ରାଫିକ୍ ସମସ୍ୟାକୁ ନେଇ ବିଧାୟକ ଓ ଜିଲ୍ଲାପାଳ କହିଛନ୍ତି ପ୍ରକଳ୍ପ ଖୁବଶୀଘ୍ର ଆରମ୍ଭ ହେବ, ଟ୍ରାଫିକ ସମସ୍ୟାରୁ ମୁକ୍ତି ମିଳିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)