/odishatv-khabar/media/post_attachments/uploadimage/library/16_9/16_9_0/ex_mla__1626836169.jpg)
ex mla
ଯାଜପୁର(ସଂଜୀବ୍ ନାୟକ) : ଚାଳ ଛପର ଘରେ ସାଧାରଣ ମଣିଷଟିଏ । ନିରାଡମ୍ବର ଜୀବନ ବିତାଉଛନ୍ତି ପୂର୍ବତନ ବିଧାୟକ । ନିଜର ସରଳ, ଅମାୟିକ, ନିଷ୍କପଟ ଓ ସରଳ ଜୀବନ ଶୈଳୀ ପାଇଁ ସେ ଚର୍ଚ୍ଚାରେ । ସାଇକେଲରେ ଯିବା ଆସିବା କରିବା ସହ ବୟସର ଅପରାହ୍ନରେ ନିଜ ଗାଁରେ ଚାଳ ଛପର ଘରେ ଜୀବନ ଅତିବାହିତ କରୁଛନ୍ତି । ପଚାଶ ବର୍ଷ ତଳେ ୧୯୭୧ ମସିହାରେ ଅବିଭକ୍ତ ବିଝାଂରପୁରରୁ ବିଧାୟକ ନିର୍ବାଚିତ ହୋଇଥିଲେ ପବିତ୍ର ମୋହନ ଜେନା । ରାଜନୀତିର ଉତଥାନ ପତନ ଭିତରେ ଥରେ ମାତ୍ର ନିର୍ବାଚିତ ହେବାର ସୁଯୋଗ ପାଇ ଥିବା ସରଳ ମଣିଷଟି ଆଜି ନିଜ ପରିବାର ସହ ସାଧାରଣ ଜୀବନଯାପନ କରୁଥିବା ବେଳେ ସାମର୍ଥ୍ୟ ଅନୁସାରେ ସମାଜ ସେବା ମଧ୍ୟ ଜାରି ରଖିଛନ୍ତି । ସରକାରଙ୍କ ଠାରୁ ମିଳୁଥିବା ବିଧାୟକ ପେନସନ ସହ ପରିବାର ଚଳାଇବା ଲାଗି ସେ ଚାଷ ବି କରୁଛନ୍ତି ।
ଯାଜପୁର ଜିଲ୍ଲା ବାଙ୍ଗରା ଗ୍ରାମର ପବିତ୍ର ମୋହନ ଜେନା । ସ୍ନାତକ ପରେ ପ୍ରଥମେ ସେକ୍ରେଟେରିଏଟ ନିଯୁକ୍ତି ତା’ପରେ ଚାକରି ଛାଡି ସମାଜସେବାରେ ଯୋଗ ଦେଇଥିଲେ । ଆଉ ତା’ପରେ ରାଜନୀତିରେ ଯୋଗ ଦେଇଥିଲେ ପବିତ୍ର ମୋହନ ଯେନା । ୧୯୭୧ ମସିହାରେ ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଅବିଭକ୍ତ ବରୀ ଓ ବିଝାଂରପୁରରୁ ନିର୍ବାଚନ ଲଢି ବିଧାୟକ ନିର୍ବାଚିତ ହୋଇଥିଲେ । ରାଜନୈତିକ ଅସ୍ଥିରତା କାରଣରୁ ଦୁଇ ବର୍ଷ ଭିତରେ ସରକାର ଭାଙ୍ଗି ଯାଇଥିଲା । ତାପରେ ଆଉ ବିଧାୟକ ହେବାର ସୁଯୋଗ ପାଇ ନଥିବା ପବିତ୍ର ଜେନା ଏବେ ନିଜ ଗାଁର ସେହି ପୁରୁଣା ଚାଳ ଘରେ ବାସ କରୁଛନ୍ତି ।
ନିଜକୁ ପୁର୍ବତନ ବିଧାୟକ ନଭାବି ଗାନ୍ଧୀବାଦକୁ ଭଲ ପାଉଥିବା ପବିତ୍ର ଜେନା ଖଦି ଓ ଧୋତି ପରିଧାନ କରି ସମାଜସେବା ଓ ବିଝାଂରପୁରର ସାମଗ୍ରିକ ଉନ୍ନତି କାମରେ ଅନବରତ ପରିଶ୍ରମ ଜାରି ରଖିଛନ୍ତି । ଦିନକୁ ଦିନ ବୟସ ବଢ଼ିଚାଲିଥିଲେ ସୁଦ୍ଧା ପ୍ରତ୍ୟେକ ଦିନ ସେ ସାଇକେଲ ଧରି ୭ କିମି ଯାଆସ କରିଥାନ୍ତି । ଘରେ ପାଳିଥିବା ଗୋସେବା କରିବା ସହ ସଭା ସମିତିରେ ନିଜକୁ ସାମିଲ କରି ସମୟ କାଟୁଛନ୍ତି । ବିଧାୟକ ସମୟରେ କୃଷି କୃଷକର ଉନ୍ନତି, କେନାଲ ମାଧ୍ୟମରେ ଜଳଯୋଗାଣ, ଗମନାଗମନ ଆଦି ଲାଗି ବହୁ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା କୁହନ୍ତି ପୁର୍ବତନ ବିଧାୟକ ପବିତ୍ର ଯେନା ।
Also Read
ଆଗ ଭଳି ଆଜିର ବିଧାୟକମାନେ ବିଧାନସଭାଭଳି ପବିତ୍ର ଗୃହର ମର୍ଯ୍ୟାଦାକୁ ଗୁରୁତ୍ୱ ଦେଉ ନାହାନ୍ତି । ତଥା ଜନ ହିତକର କାର୍ଯ୍ୟରେ ଦୁର୍ନୀତି ବଢିଥିବା ସେ କୁହନ୍ତି । ସେ ବିଝାଂରପୁର ଲାଗି ଗୌରବ ଓ ତାଙ୍କ ଠାରୁ ଆଜିର ବିଧାୟକ କିଛି ଶିଖିବା ଉଚିତ ବୋଲି ସ୍ଥାନୀୟ ଲୋକେ ମତ ପ୍ରକାଶ କରିଛନ୍ତି । ପଚାଶ ବର୍ଷର ପୂର୍ବତନ ବିଧାୟକ ଭାବେ ସ୍ଥାନୀୟ ଅଂଚଳରେ ସେ ବେଶ ପରିଚିତ ଓ ପ୍ରଶଂସନୀୟ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)