• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ନରସିଂହପୁର ଜଙ୍ଗଲରେ ୩/୪ ଦିନ ଧରି ଇତସ୍ତତଃ ହୋଇ ଘାଇଲା ଅବସ୍ଥାରେ ବୁଲୁଥିବା ହାତୀ ଦେହରେ ଲାଗିଛି ୫ ଗୁଳି । ନରସିଂହପୁର ପଶ୍ଚିମ ରେଂଜ ବାର୍ସିଗାଁ ଜଙ୍ଗଲରୁ ଗୁଳିବିଦ୍ଧ ଦନ୍ତା ହାତୀ ଠାବ କରାଯାଇଛି । ଗୁଳିବିଦ୍ଧ ହାତୀକୁ ଠାବ କରି ଚିକିତ୍ସା ଆରମ୍ଭ କରିଛି ବନବିଭାଗ । ହାତୀ ଦେହରେ ୫ଟି ଗୁଳି ଲାଗିଥିବା ପ୍ରାଣୀ ଚିକିତ୍ସକ ସୂଚନା ଦେଇଛନ୍ତି ।ସାତକୋସିଆ ବନ୍ୟପ୍ରାଣୀ ବିଶେଷଜ୍ଞ ଟିମ୍ ଏବଂ ନରସିଂହପୁରର ପ୍ରାଣୀ ଚିକିତ୍ସକଙ୍କ ମିଳିତ ସହାୟତାରେ ଏହି ଦନ୍ତାହାତୀର ଚିକିତ୍ସା ଚାଲିଛି ।

ତେବେ ହାତୀର ବାମ କାନ,ଶୁଣ୍ଢ, ଗୋଡ଼ ଏବଂ ଶରୀରର ଅନ୍ୟ ଦୁଇଟି ସ୍ଥାନରେ କ୍ଷତ ଚିହ୍ନ ଦେଖିବାକୁ ମିଳିଛି । ତିନି ଦିନ ପୂର୍ବେ ନରସିଂହପୁର ପୂର୍ବ ରେଞ୍ଜର ବ୍ରାହ୍ମଣୀ ବିଟ୍ ଅଞ୍ଚଳରେ ହାତୀଟି ଆହତ ଅବସ୍ଥାରେ ଦେଖିବାକୁ ମିଳିଥିଲା । ଗତ ଦୁଇ ଦିନ ଧରି ହାତୀର ଚିକିତ୍ସା ପାଇଁ ଉଦ୍ୟମ ଜାରି ରହିଥିବା ବେଳେ ଆଜି ପଶ୍ଚିମ ରେଞ୍ଜ ଅଧିନ ବାରସିଂହା ସଂରକ୍ଷିତ ଜଙ୍ଗଲ ଠାରେ ଗୁଳିବିଦ୍ଧ ହାତୀର ଚିକିତ୍ସା ଜାରି ରହିଛି ।

ଏନେଇ ପିସିସିଏଫ୍ କହିଛନ୍ତି ଯେ, ଗତ ୨୬ ତାରିଖରେ ଗୁଳିରେ ନୁହେଁ ହାତୀ ପଲ ମଧ୍ୟରେ ଲଢ଼େଇ ଯୋଗୁ ଦନ୍ତାଟି ଆହତ ହୋଇଥିଲା ।

ସେହିପରି ପୂର୍ବରୁ ମଧ୍ୟ ନରସିଂହପୁର ଜଙ୍ଗଲରେ ଆଉ ଏକ ହାତୀକୁ ଗୁଳିମାଡ଼ ହୋଇଥିଲା । ତେବେ ତାକୁ ବଞ୍ଚାଇବାରେ ସଫଳ ହୋଇନଥିଲା ବନ ବିଭାଗ । ଏହି ଘଟଣା ପରେ ପୁଣି ଏକ ହାତୀ ଶିକାରୀଙ୍କ ଗୁଳିର ଶିକାର ହେବା ପରେ ବନ କର୍ମଚାରୀଙ୍କ କାର୍ଯ୍ୟକଳାପକୁ ନେଇ ସନ୍ଦେହ ବଢିଛି ।

ଅନ୍ୟପଟେ ରାଜ୍ୟରେ ହାତୀ ମୃତ୍ୟୁ ବଢି ଚାଲିଥିବା ବେଳେ ଜନସ୍ୱାର୍ଥ ମାମଲାର ଶୁଣାଣୀ କରି ଉଦବେଗ ପ୍ରକାଶ କରିଛନ୍ତି ଓଡ଼ିଶା ହାଇକୋର୍ଟ । ୫ ବର୍ଷ ମଧ୍ୟରେ କେଉଁ ଜଙ୍ଗଲରେ କେତେ ହାତୀ ଶିକାରୀ ଗୁଳିରେ ପ୍ରାଣ ହରାଇଛନ୍ତି ? ଏ ନେଇ କେତେ ମାଲାମା ରୁଜୁ ହୋଇଛି ? କେତେ ଶିକାରୀଙ୍କୁ ଗିରଫ କରାଯାଇଛି ? ହାତୀ ମୃତ୍ୟୁ ରୋକିବାକୁ ଏସଟିଏଫ କଣ କରୁଛି ? ଏ ସମସ୍ତ ବିବରଣୀ ସହ ସତ୍ୟପାଠ ଦାଖଲ ପାଇଁ ପିସିସିଏଫଙ୍କୁ କୋର୍ଟ ପକ୍ଷରୁ କୁହାଯାଇଛି ।

ସୂଚନା ଅନୁସାରେ, ହାତୀ ମୃତ୍ୟୁ ପ୍ରସଙ୍ଗକୁ ନେଇ ଜଙ୍ଗଲ ମନ୍ତ୍ରୀ ବିଧାନସଭାରେ ଉତ୍ତର ରଖିଛନ୍ତି । ୨୦୧୭ ଗଣନା ଅନୁସାରେ ରାଜ୍ୟରେ ୧୯୭୬ ଟି ହାତୀ ଥିଲେ ୫ ବର୍ଷରେ ସେଥିରୁ ୨୩୩ ହାତୀଙ୍କ ଜୀବନ ଯାଇଛି । ୧୪ ହାତୀ ଶିକାରୀଙ୍କ ଗୁଳିରେ ପ୍ରାଣ ହରାଇଥିବା ବେଳେ ବିଦ୍ୟୁତ ଅଘାତରେ ୬୩, ଟ୍ରେନ ଚକାତଳେ ୨୦, ସଡକ ଦୁର୍ଘଟଣାରେ ୪ ଓ ପ୍ରାକୃତିକ ଦୁର୍ଘଟଣାରେ ୮୫ ହାତୀଙ୍କର ମୃତ୍ୟୁ ହୋଇଛି । ତେବେ ଏପର୍ଯ୍ୟନ୍ତ ୪୭ ହାତୀ ମୃତ୍ୟୁର କାରଣ ଖୋଜି ପାଉନି ବନ ବିଭାଗ ।