• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଅତୁଲ୍ୟ ଭାରତ ଓ ଅତୁଲ୍ୟ ଭାରତର ଆତ୍ମା କୁହାଯାଉଥିବା ଓଡ଼ିଶା ପରିଭ୍ରମଣ କରି ଅନେକ ସ୍ମୃତି ସାଉଁଟିବାକୁ ଅତି ଆଗ୍ରହରେ ଛୁଟି ଆସିଥିଲେ ନେଦରଲାଣ୍ଡସର ଜଣେ ବିଦେଶୀ ଅତିଥି । କିନ୍ତୁ ଭୁବନେଶ୍ବରରୁ ଚାନ୍ଦିପୁର ଯିବା ବାଟରେ ନିଜ ଟ୍ୟାକ୍ସି ଡ୍ରାଇଭର ଦ୍ବାରା ଚୋରି, ତା ପରେ ପୁଣି ଠକେଇ ଓ ପୁରୀରେ ଭିକାରୀ ଥଇଥାନ କେନ୍ଦ୍ରରେ ରହଣି ସେହି ବିଦେଶି ଅତିଥିଙ୍କୁ ଦେଇଛି ତିକ୍ତ ଅଭିଜ୍ଞତା । 

ଭାରତୀୟ ପର୍ଯ୍ୟଟନର କ୍ୟାମ୍ପେନ ଅତୁଲ୍ୟ ଭାରତ ଓ ଏବଂ ଓଡ଼ିଶା ପର୍ଯ୍ୟଟନର କ୍ୟାମ୍ପେନ ଦି ସୋଲ୍ ଅଫ୍ ଇଣ୍ଡିଆକୁ ଧକ୍କା । ଏମିତି ତିକ୍ତ ଅଭିଜ୍ଞତା ନେଇ ନିଜ ଦେଶ ନେଦରଲାଣ୍ଡସ୍ ଫେରିବେ ବିଦେଶୀ ପର୍ଯ୍ୟଟକ ଆନ୍ଥୋନି ଭ୍ୟାନ ଅର୍କେଲ । ଭୁବନେଶ୍ବରରୁ ଚାନ୍ଦବାଲି ଯିବା ବାଟରେ ତାଙ୍କ ଟ୍ୟାକ୍ସି ଡ୍ରାଇଭର ହିଁ ଚୋରି କରି ନେଇଥିଲା ୫ ଲକ୍ଷରୁ ଅଧିକ ଟଙ୍କା, ଦାମି କ୍ୟାମେରା ଓ ପ୍ଲାଟିନମ୍ ତଥା ହୀରାର ମୁଦି ।

ଆନ୍ଥୋନିଙ୍କ ପାଖରେ ରହିଯାଇଥିଲା କେବଳ ଭିସା, ପାସପୋର୍ଟ ଓ ରିଟର୍ଣ୍ଣ ଟିକଟ୍ । ଆନ୍ଥୋନି ଯେମିତି ପୋଲିସ ପାଖକୁ ଯାଇନପାରିବେ, ତାଙ୍କୁ ମୁମ୍ବାଇ କହି ଦିଲ୍ଲୀ ପଠାଇ ଦେଇଥିଲା ଅଭିଯୁକ୍ତ ଟ୍ୟାକ୍ସି ଡ୍ରାଇଭର । ଦିଲ୍ଲୀରେ ପହଞ୍ଚିବା ପରେ ଆନ୍ଥୋନି ଜାଣି ପାରିଥିଲେ ଚୋରି ସହିତ ସେ ଠକାମିର ବି ଶିକାର ହୋଇଛନ୍ତି ।

ଦିଲ୍ଲୀରୁ ପୁରୀ ଫେରି ଆସି ପୋଲିସରେ ଏତଲା ଦେଲା ପରେ ମଧ୍ୟ ଆନ୍ଥୋନିଙ୍କ ଦୁଃଖ ସରି ନଥିଲା । ଜାନୁଆରି ୨୫ରେ ଏହି ବିଦେଶୀ ଅତିଥିଙ୍କୁ ଭିକାରୀଙ୍କ ଥଇଥାନ କେନ୍ଦ୍ର ପୁରୀର ନୀଳାଦ୍ରି ନିଳୟରେ ରଖିଥିଲା ପ୍ରଶାସନ । ଆନ୍ଥୋନିଙ୍କ ପାଇଁ ଚୋରି ଦୁଃଖଠୁ ବଳି ଗଲା ନୀଳାଦ୍ରି ନିଳୟରେ ରହଣି ।

ଅତ୍ୟନ୍ତ ଅପରିଷ୍କାର ପରିବେଶ, ଅଚଳ ଫ୍ୟାନ, ମଶା ପ୍ରାଦୁର୍ଭାବ, ଅନ୍ୟମାନଙ୍କ ପାଟିତୁଣ୍ଡ, ମାଡ଼ଗୋଳରେ ଆକ୍ତାମାକ୍ତା ହୋଇ ମାସେରୁ ଅଧିକ ସମୟ ନୀଳାଦ୍ରି ନିଳୟରେ ରହିଛନ୍ତି ଆନ୍ଥୋନି । ଖାଦ୍ୟ କହିଲେ କେବଳ ଭାତ ଓ ଆଳୁ, ତାହା ବି ପେଟପୁରା ନୁହେଁ। ତେଣୁ ଓଜନ କମିଯାଇଛି ୧୫ କେଜି। ସମାଜସେବୀ ଡାନିଆଲ ନାୟକ ଏହା ଜାଣିବା ପରେ ଓ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଆନ୍ଥୋନିଙ୍କୁ ଆଜିଠୁ ପାନ୍ଥନିବାସରେ ରଖାଯାଇଛି।ଚୋରି ଓ ନୀଳାଦ୍ରି ନିଳୟର ରହଣି ସିନା ତିକ୍ତ ଅଭିଜ୍ଞତା ଦେଇଥିଲା, କିନ୍ତୁ ପରେ ଯେଉଁ ସାହାଯ୍ୟ ସେ ପାଇଛନ୍ତି, ସେଥିରେ ଆନ୍ଥୋନି କୃତ୍ୟକୃତ୍ୟ। ଖୁସିରେ ସମସ୍ତଙ୍କୁ ସେ ଧନ୍ୟବାଦ ଦେଇଛନ୍ତି । 

  • Reported by:
  • MADHUSUDAN MISHRA