• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବଲାଙ୍ଗିର: ପୁଣି ଏକ କରୁଣ ଚିତ୍ର । ଦେଖିଲେ ଆଖିରୁ ଲୁହ ଆପେ ଆପେ ଖସି ଆସିବ । ଜଣେ ବାପା ନିଜ ଝିଅକୁ କାନ୍ଧରେ ବସାଇ ନେଉଛନ୍ତି ଡାକ୍ତରଖାନା । ଦେଖିବାକୁ ଗଲେ ସରକାର ଗରିବଙ୍କ ପାଇଁ ମାଳ ମାଳ ଯୋଜନା କରୁଛନ୍ତି । ଗରିବଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗାଇଦେବା ନାଁରେ ପାଣି ଭଳି ଟଙ୍କା ଖର୍ଚ୍ଚ କରୁଛନ୍ତି । ପ୍ରତି ଥର ବଜେଟ୍‌ରେ ଏଥିପାଇଁ କୋଟି କୋଟି ଟଙ୍କା ମଞ୍ଜୁର ହେଉଛି । ଆଉ ସବୁଠାରୁ ବଡ଼ କଥା ହେଲା ସରକାର ଗରିବଙ୍କ କଲ୍ୟାଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ବୋଲି ଲୋକଙ୍କୁ ଜଣାଇବା ପାଇଁ ଓ ବାହାବା ସାଉଁଟିବା ପାଇଁ ମଧ୍ୟ ବିଜ୍ଞାପନ ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ବାସ୍ତବ ଚିତ୍ର କହୁଛି ଭିନ୍ନ କଥା ।

ଏବେ ବି ଉପାନ୍ତ ଅଞ୍ଚଳରେ ହେଉ କି ସହରଠାରୁ ମାତ୍ର କେଇ କିଲୋମିଟର ଦୁରରେ ଥିବା ଗାଁ ଗହଳିରେ ସ୍ୱାସ୍ଥ୍ୟ ସେବା ପହଞ୍ଚି ପାରିନି । ଲୋକେ ଆମ୍ବୁଲାନ୍ସ ସେବା କ’ଣ ଜାଣି ନାହାନ୍ତି । ଅନେକ ଗାଁକୁ ଏବେ ପକ୍କା ରାସ୍ତାଟିଏ ନାହିଁ । ବିଦ୍ୟୁତ ଆଲୋକ ଅନେକଙ୍କ ପାଇଁ ଏବେ ବି ସାତସପନ ।

ତେବେ ଏଭଳି ପରିସ୍ଥିତିରେ ସେମିତି ଏକ ଭିଡିଓ ପୁଣି ଭାଇରାଲ ହୋଇଛି । ଯାହା ସମସ୍ତଙ୍କ ମନକୁ ଆନ୍ଦୋଳିତ କରିଛି । ଆଉ ସରକାରଙ୍କ ପୋଲ ଖୋଲିଦେଇଛି । ପୁଣି ମନେ ପକାଇ ଦେଇଛି ସେହି ଦାନ ମାଝିଙ୍କ କଥା । 

 

ଝିଅକୁ କାନ୍ଧରେ ବସାଇ ଡାକ୍ତରଖାନା ନେଉଛନ୍ତି ବାପା । ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ଏହି ଭିଡିଓ ବଲାଙ୍ଗିର ବେଲପଡା ଅଞ୍ଚଳର ବୋଲି ଜଣାପଡ଼ିଛି । ନିଜ କାନ୍ଧରେ ବାପା, ବଡ଼ ଝିଅକୁ ଧରି ବୋହି ବୋହି ନେଉଛନ୍ତି । ଅଜଣା ରୋଗରେ ଆକ୍ରାନ୍ତ ଥିବା ଝିଅକୁ କାନ୍ଧରେ ବୋହି ନେଉଛନ୍ତି ବାପା । ମିଳିଥିବା ସୂଚନା ଅନୁସାରେ, ପାଟଣାଗଡ଼ ନେହେନାବନ୍ଦ ଗାଁର ଧୂବଲ ଛାତ୍ରିଆଙ୍କ ୧୮ ବର୍ଷର ଝିଅ, ଏକ ଅଜଣା ରୋଗରେ ଆକ୍ରାନ୍ତ ହୋଇଛନ୍ତି । ଝିଅର ଚିକିତ୍ସା ପାଇଁ ଧୂବଲଙ୍କ ପାଖରେ ଅର୍ଥର ଅଭାବ ରହିଛି । ତେଣୁ ଘରେ ଯାହା ଥିଲା ସବୁ ଜିନିଷ ବିକ୍ରି କରି ଧୁବଲ ଝିଅର ଚିକିତ୍ସା ପାଇଁ ଅସହାୟ ଅବସ୍ଥାରେ ବାହାରିଛନ୍ତି  ପାଖରେ ଗାଡିଟେ ପାଇଁ ମଧ୍ୟ ଟଙ୍କା ନଥିବାରୁ ଝିଅକୁ କାନ୍ଧରେ ଧରି ସେ ଡାକ୍ତରଖାନା ପର୍ଯ୍ୟନ୍ତ ଚାଲି ଚାଲି ଯାଉଛନ୍ତି ।

ତେବେ ଏଭଳି ଦୃଶ୍ୟ ଦେଖିବା ପରେ ସରକାରଙ୍କ ମାଳ ମାଳ ଯୋଜନା କାହା ପାଇଁ ବୋଲି ବୋଲି ପ୍ରଶ୍ନ ଆସିବା ସ୍ୱାଭାବିକ୍‌ କଥା । ସରକାରଙ୍କ ମାଗଣା ଆମ୍ବୁଲାନ୍ସ ସେବା ଓଇ ସରକାରଙ୍କ ମାଗଣା ଚିକିତ୍ସା ସେବା କାହା ସ୍ୱାର୍ଥରେ ରହିଛି । ଏବେ ସବୁଠୁ ବଡ଼ ପ୍ରଶ୍ନବାଚୀ ।