/odishatv-khabar/media/post_attachments/uploadimage/library/16_9/16_9_0/IMAGE_1656150433.jpg)
Food Prepared in clay pots in a Feast to Revive Tradition
ବର୍ତ୍ତମାନ ଯୁଗରେ ଆଧୁନିକତାର ଚାକଚକ୍ୟ ଭିତରେ ପ୍ରଥା ପରମ୍ପରା ଲୋପ ପାଇବାରେ ଲାଗିଛି । କେଉଁଠି ନାଁ କେଉଁଠି କୌଳିକ ବୃତ୍ତି ମଧ୍ୟ ହ୍ରାସ ପାଇବାରେ ଲାଗିଛି । ବିବାହ ହେଉ କିମ୍ୱା କୈଣସି କାର୍ଯ୍ୟକ୍ରମ ସବୁଠି ଆଧୁନିକତାର ଛାପ ଦେଖିବାକୁ ମିଳୁଛି । ଫଳରେ ଲୋକେ ନିଜ ଦୈନନ୍ଦିନ ଜୀବନରେ ବହୁଳ ମାତ୍ରାରେ ବିଭିନ୍ନ ଅତ୍ୟାଧୁନିକ ଜିନିଷର ପ୍ରୟୋଗ କରୁଛନ୍ତି । ଏହାରି ଭିତରେ ମଣିଷ ଭୁଲିଯାଉଛି କି ଅତ୍ୟାଧୁନିକ ଜିନିଷ ପ୍ରୟୋଗ ପରିବେଶ ପ୍ରଦୂଷଣର ମୁଖ୍ୟ କାରଣ ହୋଇଥାଏ । ହେଲେ ଏହାରି ମଧ୍ୟରେ ଏକ ଭିନ୍ନ ଉପାୟରେ ପରିବେଶକୁ ସୁରକ୍ଷିତ ରଖିବା ପ୍ରୟାସ କରିଛନ୍ତି ବଲାଙ୍ଗିର ଜିଲ୍ଲା ଗୁଡ଼ଭେଲା ବ୍ଲକର ଏକ ପରିବାର ।
ଗତକାଲି ଗୁଡ଼ଭେଲା ବ୍ଲକ ସମରା ଗାଁର ଏକ କୁମ୍ଭାର ପରିବାର ଚକା ରଣାଙ୍କ ପୁଅ ମାନସ ରଣାଙ୍କ ବାହାଘର ଭୋଜି ଥିଲା । ବାହାଘର କାର୍ଯ୍ୟକ୍ରମରେ ପ୍ରାୟ ୧୨ ଶହ ନିମନ୍ତ୍ରିତ ଅତିଥି ଯୋଗଦେଇ ଭୋଜି ଖାଇଥିଲେ । ସେମାନଙ୍କ ସମସ୍ତଙ୍କ ପାଇଁ ମାଟିପାତ୍ରର ବ୍ୟବସ୍ଥା କରାଯାଇଥିଲା । ଏଥିପାଇଁ କୁମ୍ଭକାର ଚକା ରଣାଙ୍କ ପରିବାର ପ୍ରାୟ ୬ ହଜାର ମାଟି ପାତ୍ର ତିଆରି କରିଥିଲେ । ମାଟିପାତ୍ର ସହିତ ମାଟି ତିଆରି ଗ୍ଲାସରେ ପିଇବା ପାଇଁ ପାଣି ମଧ୍ୟ ଦିଆଯାଇଥିଲା । ମାଟି ପାତ୍ରରେ ଭୋଜନ କରି ଅତିଥି ମାନେ ବେଶ ଆତ୍ମତୃପ୍ତି ଲାଭ କରିଥିଲେ ।
ମାଟିପାତ୍ର ପାଇଁ ଚକା ରଣାଙ୍କୁ ଅଧିକ ଖର୍ଚ୍ଚ ଓ ପରିଶ୍ରମ କରିବାକୁ ପଡିଛି । କିନ୍ତୁ ରଣା ପରିବାର ସମାଜକୁ ପରିବେଶ ସୁରକ୍ଷାର ବାର୍ତ୍ତା ଦେବା ପାଇଁ ଭିନ୍ନ ପ୍ରୟାସ କରିଛନ୍ତି । ଗୋଟିଏ ପଟେ ପରିବେଶ ସୁରକ୍ଷା ହେଉଥିବାବେଳେ ଅନ୍ୟପଟେ ନିଜ କୁମ୍ଭାର ପରମ୍ପରାକୁ ବଂଚାଇ ରଖିବାର ପ୍ରୟାସ ଏଠାରେ ଦେଖିବାକୁ ମିଳିଛି ।
ବର୍ତ୍ତମାନର ଆଧୁନିକ ଯୁଗରେ ଧିରେ ଧିରେ କୁମ୍ଭାର ସଂପ୍ରଦାୟର ଲୋକେ ନିଜର କୌଳିକ ବୃତ୍ତି ଠାରୁ ଦୂରେଇ ଯାଉଛନ୍ତି । ଆଧୁନିକତାର ଚାକଚକ୍ୟ ଭିତରେ ମାଟି ତିଆରି ଜିନିଷର ଚାହିଦା ମଧ୍ୟ କମି କମି ଯାଉଛି । ଏସବୁ ଭିତରେ ସମସ୍ତେ ଯଦି ଭୋଜିଭାତ ମାନଙ୍କରେ ମାଟିପାତ୍ରର ବ୍ୟବହାର କରନ୍ତେ ତେବେ, କୁମ୍ଭକାର ମାନଙ୍କର କୌଳିକ ବୃତ୍ତି ବଂଚିବା ସହିତ ପରିବେଶର ମଧ୍ୟ ସୁରକ୍ଷା ହୋଇପାରନ୍ତା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)