• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ମାତ୍ର ଦୁଇଟି ଏସକେପ୍‌ ପାଇଁ ବୁଡୁଛି ପୂରା ଭଦ୍ରକ ଜିଲ୍ଲା । ହଜାର ହଜାର ହେକ୍ଟର ଜମିରେ ମାଡିଯାଉଛି ବାଲି...ଲକ୍ଷଲକ୍ଷ ଟଙ୍କାର କ୍ଷତି ସହୁଛି ଚାଷୀ । ଇଏ ବର୍ଷେ କି ଦୁଇବର୍ଷର ସମସ୍ୟା ନୁହେଁ ବରଂ ବହୁବର୍ଷର ସମସ୍ୟା । ପ୍ରଶାସନଙ୍କଠୁ ରାଜନେତା...ସମସ୍ତଙ୍କୁ ଗୁହାରି କରିଛନ୍ତି ଭଦ୍ରକବାସୀ ହେଲେ ଗୁହାରି ଶୁଣିବାକୁ ସତେ ଯେମିତି କାହା ପାଖରେ ସମୟ ହିଁ ନାହିଁ ।

କଣ୍ଟିଘାଇର ଦେଇ ବୈତରଣୀରୁ ବନ୍ୟା ପାଣି ପଶେ ଭଦ୍ରକ ଜିଲ୍ଲାରେ । ଖାଲି ପଶୁଛି ତାହା ନୁହେଁ ବରଂ ଲୋକଙ୍କ ସମସ୍ୟାକୁ ଦ୍ୱିଗୁଣିତ କରିଦେଉଛି । ଘରେ ପାଣି ପଶୁଛି ତ ଚାଷ ଜମିକୁ ନଷ୍ଟ କରିଦେଉଛି । ଏମିତି ମାଇଲ ମାଇଲ ରାସ୍ତାକୁ ନଷ୍ଟ କରିଦେଉଛି । ହେଲେ ସମସ୍ୟାର ସମାଧାନ ହେବାର ନା ଧରୁନି । ପ୍ରତିବର୍ଷ ବନ୍ୟା ସରିବା ପରେ ରାସ୍ତାର ଅବସ୍ଥା ପୂରା ବେହାଲ ହୋଇ ପଡେ । ହେଲେ ଏଥର କିନ୍ତୁ ବନ୍ୟା ପୂର୍ବରୁ ରାସ୍ତା ଅବସ୍ଥା ପୂରା ଶୋଚନୀୟ ।

ରାସ୍ତା ଅବସ୍ଥା ସାଙ୍ଘାତିକ ହେଉଥିବାରୁ ପ୍ରତିମାସ ଛୋଟ ବଡ ଦୁର୍ଘଟଣା ହେଉଛି । ସେଇଥି ଲାଗି ପ୍ରତିବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇ ରାସ୍ତା ବି ନିର୍ମାଣ ହେଉଛି । କିନ୍ତୁ ସ୍ଥିତି ଯଥା ପୂର୍ବଂ ତଥା ପରଂ । ତେଣୁ ଚିନ୍ତାରେ ଲୋକ । ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ ଜିଲ୍ଲାର ଅନେକ ସ୍ଥାନରେ ନଦୀବନ୍ଧ ଦୁର୍ବଳ ଅବସ୍ଥାରେ ରହିଛି । ତେଣୁ ନଈରେ ବନ୍ୟା ଆସିଲେ ସ୍ଥିତି ସଙ୍ଗୀନ ହେବ ବୋଲି ସନ୍ଦେହ କରୁଛନ୍ତି ଲୋକେ ।

ଅଭିଯୋଗ ଏତିକିରେ ସରିନି ବରଂ ବନ୍ଦ ନିର୍ମାଣ ନାଁରେ କୋଟି କୋଟି ଟଙ୍କା ଚଳୁ ହେଉଛି ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା । ହେଲେ ଦୁଃଖର କଥା ଠିକ୍‌ରେ ନିର୍ମାଣ ହୋଇପାରିନି ନଈ ବନ୍ଧ । ବିଶେଷ କରି ବୈତରଣୀରେ ବନ୍ୟା ଆସିଲେ ଭଣ୍ଡାରିପୋଖରୀ, ଧାମନଗର,ତିହିଡି ଓ ଚାନ୍ଦବାଲିକୁ ପାଣି ପ୍ରବେଶ କରିଥାଏ । ଆଉ ଏହାର ପ୍ରଭାବରେ ୪ ବ୍ଲକର ୫୦ରୁ ଅଧିକ ପଂଚାୟତ ପ୍ରଭାବିତ ବି ହୁଏ ।

ବନ୍ୟା ଦାଉରୁ ରକ୍ଷା ପାଇବା ପାଇଁ କଣ୍ଟିଘାଇ ମରାମତି କରିବା ଲାଗି ଭଦ୍ରକବାସୀ ଦୀର୍ଘଦିନ ହେଲାଣି ଦାବି କରୁଛନ୍ତି ହେଲେ ପ୍ରଶାସନ ନିଦାବିଷ୍ଣୁ ହୋଇ ବସିଛି, ଆଉ ବିଭିନ୍ନ ଅସୁବିଧାର ସାମ୍ନା କରୁଛନ୍ତି ଲୋକେ । କଣ୍ଟିଘାଇ ଏସକେପକୁ ପ୍ରଶାସନ ଆଖି ବୁଜି ଦେଇଥିବା ବେଳେ ବାଲି ପୋଖରୀ ଏସକେପ ନିର୍ମାଣ କାମ ଅଧପନ୍ତରିଆ ହୋଇ ପଡିରହିଛି । ଯାହାକୁ ସ୍ଥାନୀୟ ଅଂଚଳରେ ବଢୁଛି ଅସନ୍ତୋଷ ।

ଭଣ୍ଡାରୀପୋଖରୀ ରାସ୍ତା ଶୋଚନୀୟ ଓ ବନ୍ୟା କଥାକୁ ନେଇ ବିଧାୟକ କହିଛନ୍ତି, ବୈତରଣୀରେ ବନ୍ୟା ନ ହେବା ପାଇଁ ୩ରୁ ୪ଟି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ସରକାର ବିଭିନ୍ନ ପଦକ୍ଷେପ ନିଆଯାଉଛି । ତେବେ ସମୟ କହିବ କେବେ ବନ୍ୟାସ୍ଥିତିରେ ସୁଧାର ଆସୁଛି, କେବେ ଭଣ୍ଡାରିପୋଖରୀ ବାସିନ୍ଦାଙ୍କ ଦୁଃଖ ସରୁଛି ।

 

  • Reported by:
  • Partha Sarathi nayak