• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ବେକାର ବସିଛନ୍ତି ପାଠପଢୁଆ ଯୁବକଯୁବତୀ, ହେଲେ ଅବସରପ୍ରାପ୍ତଙ୍କୁ ପୁନଃନିଯୁକ୍ତି ଦେବା ଚକ୍କରରେ ରାଜ୍ୟ ସରକାର । ଗତ ୨୯ ତାରିଖରେ ଅର୍ଥ ବିଭାଗ ପକ୍ଷରୁ ଜାରି ଅଫିସ ମେମୋରାଣ୍ଡମକୁ ନେଇ ପ୍ରକାଶ ପାଇଛି ତୀବ୍ର ପ୍ରତିକ୍ରିୟା । ଏହା ସେମାନଙ୍କ ସହ ଧୋକ୍କା ବୋଲି କହିଛନ୍ତି ଚାକିରୀ ଆଶାୟୀ ।

ଅନ୍ୟପକ୍ଷରେ ଚାକିରୀ କାଳରେ ବିଜେଡିକୁ ସୁହାଇଲା ଭଳି କାମ କରିଥିବା କର୍ମଚାରୀଙ୍କୁ ଅନୁଗୃହିତ କରିବା ଲାଗି ଏହା ଚାଲ ବୋଲି ଅଭିଯୋଗ କରିଛି ବିଜେପି । ସେହିପରି ଏଭଳି ପଦକ୍ଷେପ ଯୁବଗୋଷ୍ଠୀର ଦ୍ୱାହି ଦେଉଥିବା ଶାସକ ଦଳର ଦୋମୁହାଁ ନୀତିକୁ ପଦାରେ ପକାଇଛି ବୋଲି କଂଗ୍ରେସ କହିଛି ।

ରାଜ୍ୟରେ ବଢି ଚାଲିଛି ବେକାରୀ । କର୍ମନିଯୁକ୍ତି ନପାଇଁ ହତାଶ ଲକ୍ଷ ଲକ୍ଷ ଶିକ୍ଷିତ ଯୁବକଯୁବତୀ । ପରୀକ୍ଷା ପରେ ପରୀକ୍ଷା, ଇଣ୍ଟରଭ୍ୟୁ ପରେ ଇଣ୍ଟରଭ୍ୟୁ, ହେଲେ ଚାକିରି ଖଣ୍ଡେ ମିଳୁନି । ଏଭଳି ସ୍ଥିତିରେ ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁଣି ନିଯୁୂକ୍ତି ଦେବାକୁ ରାଜ୍ୟ ସରକାରଙ୍କ ଯୋଜନା । ଏନେଇ ଗତ ୨୯ ତାରିଖରେ ଅର୍ଥ ବିଭାଗ ପକ୍ଷରୁ ଅଫିସ ମେମୋରାଣ୍ଡମ ଜାରି କରାଯାଇଛି । ବିଭିନ୍ନ ପ୍ରଶାସନିକ ବିଭାଗରେ ଏଣ୍ଟ୍ରି ଲେଭଲରେ ଖାଲି ଥିବା ୫୦ ପ୍ରତିଶତ ପର୍ଯ୍ୟନ୍ତ ପଦବୀରେ ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତ ଲାଗି ଏଥିରେ କୁହାଯାଇଛି । ଏମିତିକି ଏଥିପାଇଁ ଅର୍ଥ ବିଭାଗର ଅନୁମତି ବି ନେବାକୁ ପଡିବ ନାହିଁ ।

ସରକାରଙ୍କ ଏଭଳି ନିଷ୍ପତ୍ତିରେ ଚକିତ ଚାକିରୀ ଆଶାୟୀ । ସେମାନଙ୍କ କହିବା କଥା, ଯେତିକି ପଦବୀ ବାହାରୁଛି, ତା ତୁଳନାରେ ଆବେଦନକାରୀଙ୍କ ସଂଖ୍ୟା ଢେର୍ ଅଧିକ । ସେହିପରି ବହୁ ପଦବୀ ଖାଲି ଥିଲେ ମଧ୍ୟ ସରକାର ସେଥିରେ ନିଯୁକ୍ତି ଦେଉନାହାନ୍ତି । ଏଭଳି ସ୍ଥିତିରେ ଅବସରପ୍ରାପ୍ତଙ୍କୁ ପୁନଃ ନିଯୁକ୍ତି ସେମାନଙ୍କ ସହ ଧୋକା ବୋଲି କହିଛନ୍ତି ଯୁବବର୍ଗ । ସରକାର ତୁରନ୍ତ ନିଷ୍ପତ୍ତି ବାତିଲ କରିବା ସହ ନିଯୁକ୍ତି କ୍ଷେତ୍ରରେ ଯୁବଗୋଷ୍ଠୀଙ୍କୁ ଗୁରୁତ୍ୱ ଦେବା ଲାଗି ଦାବି ଉଠିଛି ।

ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ପଛରେ କଣ ଥାଇପାରେ କାରସାଦି? କୁହାଯାଉଛି ସରକାରଙ୍କ ଆର୍ଥିକ ସ୍ଥିତି ଭଲ ନାହିଁ । ତେଣୁ ସ୍ଥାୟୀ ନିଯୁକ୍ତି ବଦଳରେ ଅବସରପ୍ରାପ୍ତଙ୍କୁ ଏକ ନିର୍ଦ୍ଦିଷ୍ଟ ଅର୍ଥ ରାଶି ଦେଇ କାମ କରାଇନେବା ଚକ୍କରରେ ଅଛନ୍ତି । ଏହା ଦ୍ୱାରା ଭତ୍ତା ଓ ଅନ୍ୟାନ୍ୟ ବାବଦ ଅର୍ଥ ବଞ୍ଚିଯିବ ।  ଅନ୍ୟପକ୍ଷରେ ସରକାରଙ୍କ ଏଭଳି ଯୋଜନାକୁ ନେଇ ସାଂଘାତିକ ଅଭିଯୋଗ ଆଣିଛନ୍ତି ବିରୋଧୀ । ବିଜେପି କହିଛି ସରକାରୀ ଦଳ ପାଇଁ କାମ କରିଥିବା କର୍ମଚାରୀଙ୍କୁ ଅନୁଗ୍ରହ ଦେଖାଇବାକୁ ଏହା ଆଉ ଏକ ମସୁଧା । କଂଗ୍ରେସ କହିଛି ଯୁବବର୍ଗଙ୍କ ଦ୍ୱାହି ଦେଉଥିବା ବିଜେଡିର ଏହା ଦୋମୁହାଁ ନୀତି । ତେବେ ଏନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ । 

୨୦୧୯ ନିର୍ବାଚନୀ ଇସ୍ତାହାରରେ ବିଜେଡି କହିଥିଲା, କ୍ଷମତାକୁ ଫେରିଲେ ଯୁବ ଗୋଷ୍ଠୀଙ୍କ ଲାଗି ବର୍ଷକୁ ୨ ଲକ୍ଷ କର୍ମନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ । ହେଲେ  ଇସ୍ତାହାର କେବଳ ଇସ୍ତାହାରରେ ରହିଛି । କର୍ମନିଯୁକ୍ତି ନପାଇ ବହୁ ଯୁବକଯୁବତୀ କାମଧନ୍ଦା ଖୋଜିବାକୁ ବାହାର ରାଜ୍ୟକୁ ଯିବା ଲାଗି ବାଧ୍ୟ ହେଉଛନ୍ତି । ଏଭଳି ସ୍ଥିତିରେ ଅବସରପ୍ରାପ୍ତଙ୍କୁ ପୁନଃ ନିୟୁକ୍ତି ଯୁବବର୍ଗଙ୍କ ପ୍ରତି ସାଂଘାତିକ ଅନ୍ୟାୟ ନୁହେଁ କି?