• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଓଟିଭିରେ ଖବର ପ୍ରସାରଣ ପରେ ପଶିଲା ଚେତା

  • ସର୍ପ ଦଂଶନ ଜ୍ୱାଳାରେ ଜଳୁଥିବା ମଞ୍ଜୁଳାର ଚିକିତ୍ସା ହେବ

  • ୯ ବର୍ଷର ଝିଅ ମଞ୍ଜୁଳାକୁ ଉଦ୍ଧାର କଲା ନବରଙ୍ଗପୁର ପ୍ରଶାସନ

  • କଟକ ବଡ଼ ମେଡିକାଲକୁ  ସ୍ଥାନାନ୍ତରିତ ହେଲା ମଞ୍ଜୁଳା

  • ମଞ୍ଜୁଳା ପରିବାରକୁ ୧୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ

ନବରଙ୍ଗପୁର : ଓଟିଭିରେ ଖବର ପ୍ରସାରଣ ପରେ ଚେତିଲା ପ୍ରଶାସନ । ମାସାଧିକ କାଳ ସର୍ପ ଦଂଶନ ଜ୍ୱାଳାରେ ଜଳୁଥିବା ୯ ବର୍ଷର ବାଳିକା ମଂଜୁଳା ଅଣ୍ଟିର ଚିକିତ୍ସା ଲାଗି ବ୍ୟବସ୍ଥା କରିଛି । ନବରଙ୍ଗପୁର ଜିଲ୍ଲା ପ୍ରଶାସନ ମଂଜୁଳାକୁ ଗତକାଲି ପ୍ରଥମେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ପରେ ତାକୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ମଂଜୁଳାର ପରିବାରକୁ ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କାର ତୁରନ୍ତ ସହାୟତା ମଧ୍ୟ ଯୋଗାଇ ଦେଇଛନ୍ତି ଜିଲ୍ଲାପାଳ ।

ସେପଟେ କଟକରେ ତାର ସମସ୍ତ ଚିକିତ୍ସା ବିନା ମୂଲ୍ୟରେ କରାଯିବାକୁ ବନ୍ଦୋବସ୍ତ କରାଯାଇଛି । ଆବଶ୍ୟକସ୍ଥଳେ ତାକୁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ୍ରୁ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ । ନବରଙ୍ଗପୁର ବାଲିଝର ଗାଁର ୯ ବର୍ଷର ଝିଅ ମଞ୍ଜୁଳା ମାସେ ତଳେ ଘର ପାଖ ଗଛ କୋରଡ଼ରୁ ପକ୍ଷୀ ଧରୁଥିବା ବେଳେ ସାପଟି ତାକୁ ଚୋଟ ମାରିଥିଲା । ସେହି ଦିନ ଠାରୁ ମଞ୍ଜୁଳା ବିଷଜ୍ୱାଳାରେ ଛଟପଟ ହେଉଛି । ନାଗ ଚୋଟ ମାରିଥିବା ଡାହାଣ ହାତଟି ଫୁଲି ଯାଇ କଳା ପଡ଼ିଛି । ତେବେ ଚିକିତ୍ସା ଅଭାବରୁ ତା ହାତ ଏବେ ପଚିବା ଆରମ୍ଭ କଲାଣି ।

ସାପ କାମୁଡ଼ିବା ପରେ ପରିବାର ଲୋକେ ତାକୁ ପ୍ରଥମେ ଉମରକୋଟ, ପରେ ନବରଙ୍ଗପୁର ଓ ତାପରେ କୋରାପୁଟ ମେଡିକାଲକୁ ନେଇଥିଲେ । ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ମେଡିକାଲ ନେବାକୁ ପରାମର୍ଶ ଦେଇଥିଲେ କୋରାପୁଟର ଡାକ୍ତର । କିନ୍ତୁ ଅର୍ଥ ଅଭାବରୁ ମଂଜୁଳାକୁ ପରିବାର ଲୋକେ ବ୍ରହ୍ମପୁର ନେଇପାରିନଥିଲେ । ସେବେ ଠାରୁ ସେ ଯନ୍ତ୍ରଣାରେ ଛଟପଟ ହେଉଥିଲା ।

ସେପଟେ କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଥାନା ବାରିକୁମ୍ପା ଗ୍ରାମର ଜଣେ ମହିଳାଙ୍କୁ ବିଷାକ୍ତ ସାପ କାମୁଡ଼ି ଦେବାରୁ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ ମହିଳାଙ୍କ ନାମ ସୁନାଫୁଲ ଯାନୀ, ତାଙ୍କ ବୟସ ୪୨ ବର୍ଷ ବୋଲି ଜଣାପଡ଼ିଛି । ମହିଳା ଜଣକ ନିଜ ଘରେ ଶୋଇଥିବା ବେଳେ ଘରେ ଏକ ବିଷାକ୍ତ ସାପ ପଶି ତାଙ୍କ ହାତକୁ କାମୁଡ଼ି ଦେଇଥିଲା । ଘର ଲୋକ ତାଙ୍କୁ ଗୁରୁତର ଅବସ୍ଥାରେ ଫୁଲବାଣୀ ମେଡିକାଲରେ ଭର୍ତ୍ତି କରିଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ ହୋଇଛି । ତେବେ ଖଜୁରୀପଡ଼ା ଥାନା ପୋଲିସ ଏ ବାବଦରେ ଜାଣିବା ପରେ ଏକ ମାମଲା ରୁଜୁ କରିଥିବା ଜଣାପଡ଼ିଛି ।