• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସାର ସଙ୍କଟ ବେଳେ ଚାଲିଛି କଳାବଜାରୀ । ବିକ୍ରି ହେଉଛି ଚଢ଼ା ଦରରେ । ଶୋଷଣ ହେଉଛନ୍ତି ଚାଷୀ । ସୋସାଇଟି କହୁଛି ସାର ନାହିଁ । ଖୋଲା ବଜାରକୁ ଗଲେ ୨୬୬ ଟଙ୍କାର ୟୁରିଆ ବିକ୍ରି ହେଉଛି ୫ ଶହ ଟଙ୍କାରେ । ଏଭଳି ସ୍ଥିତିରେ ଚାଷୀ ବା ଆଉ କଣ କରିବ, ବାଧ୍ୟ ହୋଇ ହାଟ ବଜାରରୁ ଚଢ଼ା ଦାମ୍‌ରେ ସାର କିଣୁଛି । ସମ୍ବଲପୁରର ଏକ ସୋସାଇଟିରେ ସାର ଗୋଦାମ ଅଛି । ହେଲେ ସେଠି ସାର ନାହିଁ ।

ସାରର ଏଭଳି ସଙ୍କଟ ଜନକ ସ୍ଥିତିକୁ ନେଇ ଗତକାଲି ପ୍ରତିବାଦ କରିଥିଲେ ସ୍ଥାନୀୟ ଚାଷୀ । ୟୁରିଆ ସାର କିଣିବାକୁ ଗଲେ ଡିଲର ଅନ୍ୟ ୟୁରିଆ ସାର ସହ ଏକ ଫର୍ଟିଫାଏଡ୍ ସାର ପ୍ୟାକେଟ୍ ନେବାକୁ ବାଧ୍ୟ କରୁଥିବା ଅଭିଯୋଗ କରି ସମ୍ବଲପୁର ଜିଲ୍ଲା କୃଷି ଉପ ନିର୍ଦ୍ଦେଶକଙ୍କୁ ଘେରିଥିଲେ ଚାଷୀ । ଏହାର ସତ୍ୟାସତ୍ୟ ଜାଣିବା ପାଇଁ ବରେଇପାଲିର ଏକ ବଡ଼ ସାର ଡିଲରଙ୍କ ଦୋକାନକୁ ଯାଇଥିଲା ଓଟିଭି ଟିମ୍ । କିନ୍ତୁ ସଂପୃକ୍ତ ଡିଲର୍ ଆମକୁ ବିରୋଧ କରିବା ସହ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ । ଏଭଳି ସ୍ଥିତିରେ ସୋସାଇଟି ସମ୍ପାଦକ ବି ହାତ ଟେକି ଦେଉଛନ୍ତି ।

ପଶ୍ଚିମରୁ ପୂର୍ବ, ଦକ୍ଷିଣରୁ ଉତ୍ତର । ରାଜ୍ୟ ବ୍ୟାପି ସାରର ସଙ୍କଟ ଜନକ ସ୍ଥିତି । ବର୍ଷାକୁ ଦେଖି ଚାଷୀ ରୁଆ ବେଉଷଣ ସିନା କରୁଛି, ହେଲେ ମନକୁ ଘାରୁଛି ରିହାତି ସାରର ଅଭାବ । ବରଗଡ଼ ଜିଲ୍ଲାରେ ତ ସାର ବସ୍ତା ପିଛା ୨ଶହରୁ ୩ ଶହ ଟଙ୍କା ଅଧିକ ଦାମରେ ବିକ୍ରି ହେଉଛି ।

କଟକ ଜିଲ୍ଲା ନିଶ୍ଚିନ୍ତକୋଇଲିରେ ଟିକିଏ ଭିନ୍ନ ସ୍ଥିତି । ସରକାରୀ ଗୋଦାମକୁ ଆସିଛି ଟନ୍ ଟନ୍ ସାର । ହେଲେ ଚାଷୀଙ୍କ ପାଖକୁ କିନ୍ତୁ ପହଞ୍ଚିପାରୁନି । ନିଶ୍ଚିନ୍ତକୋଇଲି କୁଳିଆ ସ୍ଥିତ ମାର୍କଫେଡ୍‌ର ଗୋଦାମରେ ପର୍ଯ୍ୟାପ୍ତ ପରିମାଣର ସାର ମହଜୁଦ ଥିବା କହୁଛନ୍ତି ମାର୍କଫେଡ୍ ଅଧିକାରୀ । କେବଳ ଏହି ଗୋଟିଏ ଗୋଦାମ ନୁହଁ, ଜିଲ୍ଲାର ୩ଟି ବ୍ଲକ ସାଲେପୁର, ନିଶ୍ଚିନ୍ତକୋଇଲି ଏବଂ ମାହାଙ୍ଗା ଅଞ୍ଚଳର ସୋସାଇଟି ମାନଙ୍କୁ ସାର ଯୋଗାଇ ଦିଆଯାଉଥିବା କହୁଛନ୍ତି ଅଧିକାରୀ । କିନ୍ତୁ ଚାଷୀ ସାର ନପାଇ ନାକେଦମ୍ ହେଉଛନ୍ତି ଚାଷବାସ ସମୟରେ ।

କେଉଁ ଗୋଦାମ୍‌ରେ ଟନ ଟନ୍ ସାର ଅଛି ତ ଆଉ କେଉଁଠି ଜମା ନାହିଁ । ଗୋଟିଏ ପଟେ ସାର ପାଇଁ କେନ୍ଦ୍ରକୁ ଚିଠି ଲେଖୁଛନ୍ତି ରାଜ୍ୟ ସରକାର । ହେଲେ ଗଚ୍ଛିତ ସାରକୁ ନା ଚାଷୀଙ୍କ ପାଖରେ ପହଞ୍ଚାଇପାରୁଛନ୍ତି ନା ରୋକିପାରୁଛନ୍ତି କଳାବଜାରୀକୁ । ଫଳରେ ରାଜ୍ୟରେ ସାର ଷ୍ଟକ୍ ପରିଚାଳନାକୁ ନେଇ ଏବେ ଛିଡ଼ା ହୋଇଛି ପ୍ରଶ୍ନବାଚୀ ।