• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

News Highlights

  • ବନ୍ଧା ପଡ଼ିଛି ଶୈଶବ

  • ଦାରିଦ୍ର୍ୟ ଆଗରେ ହାର ମାନିଲେ ବାପା

ଦେବଗଡ଼(ସିଦ୍ଧାର୍ଥ ଗୁରୁ): ଦଉଡିରେ ବନ୍ଧା ପଡିଛି ଶୈଶବ । ଖେଳିବା ବୁଲିବା ବୟସରେ ଅଭିଶପ୍ତ ଜୀବନ ବଞ୍ଚୁଛି ମାନସିକ ଅନଗ୍ରସର ୮ ବର୍ଷର ବାଳକ ରାଜ୍ । ଦାରିଦ୍ର୍ୟ ଆଗରେ ହାର ମାନିଥିବା ବାପା ମଧ୍ୟ ନିରୁପାୟ । ବାପା ଘରୁ ପାଦ କାଢିଲେ ପୁଅ ଗୋଡରେ ରଶି ଶିକୁଳି ପଡୁଛି । ଏଭଳି ଦୁଃଖ ସମୟରେ ନିଜ ଜନ୍ମ କଲା ପୁଅକୁ ଛାଡି ଚାଲିଯାଇଛି ନିଷ୍ଠୁର ମା’ । ଆଉ ଦୁନିଆଁ କଣ ଜାଣିବା ପୂର୍ବରୁ ରଶିରେ ବନ୍ଧା ହୋଇ ଜୀବନ ସହ ସଂଗ୍ରାମ କରୁଛି ପୁଅ ।

ସୁନ୍ଦର ଚେହେରା ସାଙ୍ଗକୁ ହସଭରା ମୁହଁ । କିନ୍ତୁ ଦାରିଦ୍ର୍ୟ ଗୋଡରେ ବେଡି ପକାଇଛି । ନିଜ ପୁଅ ଗୋଡରେ ବେଡି ପକାଇବାକୁ ବାଧ୍ୟ ହେଉଛନ୍ତି ଅସହାୟ ବାପା । ଦେବଗଡ ଜିଲ୍ଲା ବାରକୋଟ ବ୍ଲକ ମସିନ୍ତା ଗାଁରେ ଦେଖିବାକୁ ମିଳିଛି ଏଭଳି ଏକ ଅଭାବନୀୟ ଘଟଣା । ଏହି ଗ୍ରାମର ସିଦ୍ଧେଶ୍ୱର ହାଇବୁରୁଙ୍କ ଘରେ ୮ ବର୍ଷ ତଳେ ଜନ୍ମ ହୋଇଥିଲା ଏକ ଶିଶୁ ପୁତ୍ର । ଜନ୍ମ ସମୟରେ ଶିଶୁଟିର ରୂପ ରାଜ କୁମାର ଭଳି ହୋଇଥିବାରୁ ତା’ର ନାମ ରାଜ୍ ଦିଆଯାଇଥିଲା । କିନ୍ତୁ ପରିବାର ଲୋକଙ୍କ ଏହି ଖୁସି ବେଶୀ ଦିନ ତିଷ୍ଠି ପାରିନଥିଲା । ପ୍ରାୟ ବର୍ଷକ ପରେ ଶିଶୁଟିର ଶାରୀରିକ ଏବଂ ମାନସିକ ସ୍ଥିତିରେ ଅବନତି ଘଟିଲା ।

 

ବାକ ଶକ୍ତି ହରାଇବା ସହ ନିଜ ଗୋଡରେ ଛିଡା ହେବାକୁ ଅକ୍ଷମ ହୋଇପଡିଲା । ଆଉ ଏଭଳି ଦୁଃଖ ସମୟରେ ନିଜ ପୁଅକୁ ଛାଡି ଅନ୍ୟ କୁଆଡେ ଚାଲିଗଲା ନିଷ୍ଠୁର ମା’ । ଏଣେ ବାପା ଦିନ ମଜୁରିଆ ହୋଇଥିବାରୁ କାମକୁ ନଗଲେ ଘରେ ଚୁଲି ଜଳିବନି । ଏଭଳି ପରିସ୍ଥିତିରେ ପୁଅକୁ ଏକୁଟିଆ ଛାଡି କାମକୁ ଗଲେ ଅନେକ ଦୁର୍ଘଟଣାର ଭୟ ରହିଛି । ଫଳରେ ବାଧ୍ୟ ହୋଇ ଅନିଚ୍ଛା ସତ୍ତ୍ୱେ ଶିଶୁଟିର ଗୋଡରେ ବେଡି ପକାଇ କାମ କରି ଯାଉଥିବା ତାଙ୍କ ବାପା କହିଛନ୍ତି ।

 

ରାଜକୁ ଭଲ କରିବା ପାଇଁ ବାପା ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସା କରାଇଛନ୍ତି । କିନ୍ତୁ ସ୍ୱାସ୍ଥ୍ୟବସ୍ଥାରେ କୌଣସି ସୁଧାର ଆସୁନି । ଏଣେ ଅର୍ଥାଭାବ ଯୋଗୁଁ ପରିବାର ଲୋକ କୌଣସି ବଡ ଡାକ୍ତରଖାନାକୁ ନେଇ ପାରୁନାହାଁନ୍ତି । ଫଳରେ ବାପା ରୋଜଗାର ପାଇଁ ବାହାରକୁ ଗଲେ ପୁଅ ଗୋଡରେ ବେଡି ପଡୁଛି । ଠିକ ସମୟରେ ବାପା କାମରୁ ଫେରିଲେ ଖାଇବାକୁ ମିଳେ । ନହେଲେ କେବେ କେବେ ଭୋକ ଉପବାସରେ ଦିନ କାଟନ୍ତି ରାଜ୍ ।

ଅନ୍ୟପଟେ ଶିଶୁଙ୍କ ପାଇଁ ସରକାରଙ୍କ ମାଳ ମାଳ ଯୋଜନା ରହିଥିବା ବେଳେ ସବୁ ଯୋଜନାରୁ ରାଜ୍ ବାଦ ପଡିଛନ୍ତି । ସରକାରଙ୍କ ଟଙ୍କିକିଆ ଚାଉଳ ହେଉ କି ଭତ୍ତା କୌଣସି ଯୋଜନାରେ ତାଙ୍କୁ ସାମିଲ କରାଯାଉନି । ପ୍ରଶାସନ ନିକଟରେ ସହାୟତା ପାଇଁ ବାରମ୍ବାର ଦାବି ହୋଇଛି କିନ୍ତୁ ଆଜିଯାଏଁ ଭିନ୍ନକ୍ଷମ ପ୍ରମାଣପତ୍ର ଛଡା ଆଉ କୌଣସି ସୁବିଧା ସୁଯୋଗ ଦିଆଯାଉନି । ଅନ୍ୟପଟେ ଦେବଗଡ ଶିଶୁ ସୁରକ୍ଷା ଅଧିକାରୀ କହିଛନ୍ତି, ଶିଶୁଟିକୁ ତୁରନ୍ତ ଉଦ୍ଧାର କରାଯାଇ ସରକାରଙ୍କ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ।

ଶୁଶୁ ସୁରକ୍ଷା ପାଇଁ ସରକାରଙ୍କ ବିଭିନ୍ନ ବିଭାଗ କାମ କରୁଛି । ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । ମାତ୍ର ସରକାରଙ୍କ ସମସ୍ତ ଯୋଜନା ରାଜଙ୍କୁ ପାଇଁ ବାଟବଣା ହୋଇଯାଇଛି । ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ବେଡି ବନ୍ଧନରୁ ମୁକ୍ତି ଦେବାକୁ ଦାବି ହେଉଛି ।