• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

କ୍ଷେତରେ ଖିଲିଖିଲି ହସୁଛି ଗେଣ୍ଡୁ ସାଙ୍ଗକୁ ସେବତୀ ଫୁଲ । ହଳଦିଆ ସହ ରଙ୍ଗବେରଙ୍ଗର ଫୁଲ ଦେଖିଲେ ପେଟ ପୂରିଯିବ । ଗୁଣ୍ଠେ କି ଏକର ନୁହେଁ ୩ ଏକରରେ ଚାଷ ହୋଇଛି ଗେଣ୍ଡୁଫୁଲ । ପରିଶ୍ରମ କରି ଯେଉଁ ଗଛ ସବୁ ଲଗାଇଥିଲେ ଆଜି ସେହି ଗଛରେ ଏତେ ଫୁଲ ଫୁଟିଛି ଯେ ଡାଳଭାଙ୍ଗି ପଡ଼ୁଛି । ଆଉ ଫୁଲକୁ ତୋଳି ବିକ୍ରି କରିବାକୁ ନେବାକୁ ସମସ୍ତେ ଏକ ହୋଇଛନ୍ତି । କ୍ଷେତରୁ ଫୁଲ ତୋଳି ଗୋଟିଏ ଜାଗାରେ ରଖିଛନ୍ତି ।

ଚାଷ କଲେ ଭଲ ଦୁଇ ପଇସା ଲାଭ ହେବ । କିଛି ଏମିତି ଭାବି ଆରମ୍ଭ କରିଦେଲେ ଚାଷ । ବାସ୍‌ ଏହାପରେ ବହୁମାତ୍ରାରେ ଫୁଲ ଫୁଟୁଛି । ଗୋଟିଏ କ୍ଷେତରେ ସ୍ୱାମୀ,ସ୍ତ୍ରୀ, ବାପା-ମାଆଙ୍କ ସହ ୬ ଜଣ ଦିନ ମଜୁରିଆ ଭାବରେ ନିର୍ଦ୍ଧୁମ ଖଟୁଛନ୍ତି । ଆଉ ଯେତିକି ରୋଜଗାର ହେଉଛି ସେତିକିରେ ନିଜେ ଲାଭବାନ ହେବା ସହିତ ଲୋକଙ୍କୁ ଦେଉଛନ୍ତି ନିଯୁକ୍ତି ।

 

ରାୟଗଡା ଗୁଣପୁର କତୁରୁ ଗାଁର ଶିବାଙ୍କ ଚାଷକୁ ନେଇ ଏବେ ଭାରି ଚର୍ଚ୍ଚା । ନିଜର ୩ ଏକର ଜମିରେ ଗେଣ୍ଡୁଫୁଲ ଚାଷ କରି ଏବେ ଲାଭ କମାଉଛନ୍ତି। ଶିବା ଧାନ, କପା ସହ ପରିବା ଚାଷ କରୁଥିଲେ । ହେଲେ ପ୍ରତିକୂଳ ପରିବେଶ ଚାଷକୁ ବିଗାଡି ଦେଉଥିଲା । କ୍ଷତି ବି ସହିବାକୁ ପଡୁଥିଲା । ଯାହାକୁ ନେଇ ଚିନ୍ତାରେ ଥିଲେ ଶିବା । ଏହାସହ କେମିତି ଚାଷରୁ ଭଲ ଦୁଇ ପଇସା ରୋଜଗାର ହେବ ସେଇ କଥା ଚିନ୍ତା କରିବା ପରେ ଗେଣ୍ଡୁ ଫୁଲ ଚାଷ କରିବାକୁ ନିଷ୍ପତ୍ତି ନେଲେ ଏବଂ ଗେଣ୍ଡୁଫୁଲ ଚାଷ କଲେ । ବର୍ତ୍ତମାନ ଏତେ ମାତ୍ରାରେ ଫୁଲ ଚାଷ ହେଉଛି ଯେ ପାଖଆଖି ଜିଲ୍ଲାକୁ ଫୁଲ ରପ୍ତାନୀ କରୁଛନ୍ତି ଶିବା ।

ଇଚ୍ଛାଶକ୍ତି ଆଗରେ ହାର ମାନିଛି ପ୍ରତିବନ୍ଧକ । ନିଜ ପରିଶ୍ରମ ବଳରେ ଜମିରେ ଫୁଟାଇଛନ୍ତି ବିଭିନ୍ନ କିସମର ଫୁଲ । କେବଳ ସୌନ୍ଦର୍ଯ୍ୟ ନୁହେଁ ଅର୍ଥନୈତିକ ଦୃଷ୍ଟିକୋଣରୁ ବି ଫୁଲ ଏବେ ଚାଷୀଙ୍କ ସଂସାର ହସାଉଛି । ଅନ୍ୟ ପରିବାରକୁ ଯୋଗାଉଛି କର୍ମ ସଂସ୍ଥାନ। ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ଶିବାଙ୍କୁ କରାଯାଉଛି ପ୍ରଶଂସା ।

(ଗୁଣପୁରରୁ ଇନ୍ଦ୍ରଜିତ୍‌ ପଣ୍ଡାଙ୍କ ରିପୋର୍ଟ)