• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଚୌଦ୍ଵାର(ପ୍ରକାଶ କୁମାର ନାୟକ ) : ’ବଞ୍ଚିବୁ କେମିତି, ଖାଇବୁ କ’ଣ ? ଯେଉଁ ସମୟରେ ଖଳାରେ ଧାନ ଅମଳ ହୋଇ ଗଦା ମରାଯିବା କଥା ସେ ସମୟରେ ଖାଲି ପଡ଼ିଛି ଖଳା । ଯାହାକୁ ଦେଖି ସହି ହଉନି । ଆମ ପରିବାରର ୧୦ ଜଣ ସଦସ୍ୟ କେବଳ ଚାଷ ଉପରେ ନିର୍ଭର କରି ଚଳୁ । ପ୍ରାୟ ୫୦ ହଜାରରୁ ଅଧିକ ଟଙ୍କା କରଜ କରିଛୁ । ଫସଲ ଅମଳ ନହେଲେ ଆମେ ଶୁଝିବୁ କେମିତି ବୋଲି ପ୍ରଶ୍ନ କରିଛନ୍ତି କ୍ଷୀରୋଦଙ୍କ ସ୍ତ୍ରୀ ସୁଲୋଚନା ।”

’ସେହିଭଳି ଚାଷୀ ରାଧାନାଥ କର କହିଛନ୍ତି, ଆମେ ଏଭଳି ଅବସ୍ଥା ଆଗରୁ କେବେ ଦେଖିନୁ । ଆମ ପରିବାର କେବଳ ଏହି ଚାଷ ଉପରେ ନିର୍ଭର କରେ । ଏବେ ଚାଷ ନଷ୍ଟ ହେଇଗଲା । ପ୍ରଶାସନ ଯଦି କିଛି ନବୁଝେ ତେବେ ଆତ୍ମହତ୍ୟା କରିବା ଛଡା ଅନ୍ୟ ଉପାୟ ନାହିଁ ।”

ବାତ୍ୟା ଜଓ୍ୱାଦ ପ୍ରଭାବରେ ଅନେକ ସ୍ଥାନରେ ପ୍ରବଳ ବର୍ଷା ହେବା ଯୋଗୁ ଶହ ଶହ ଏକର ଜମିରେ ପାଣି ପଶି ଧାନ ଫସଲନଷ୍ଟ ହୋଇଥିବା ଅଭିଯୋଗ ହୋଇଛି । ବର୍ଷକର ଅମଳ ନଷ୍ଟ ହେବା ଯୋଗୁ ଚାଷୀ ମୁଣ୍ଡରେ ଚଡ଼କ ପଡ଼ିଛି । ଚାଷୀ କିଭଳି ଋଣ ପରିଶୋଧ କରିବ ସେ ନେଇ ଚିନ୍ତାରେ ପଡ଼ିଯାଇଛି । ହେଲେ ବର୍ତ୍ତମାନ ପଯ୍ୟନ୍ତ ଫସଲ ନଷ୍ଟର ଆକଳନ କରୁନି ବ୍ଲକ ପ୍ରଶାସନ । ଯାହାକୁ ନେଇ ଆତ୍ମହତ୍ୟା କରିବାକୁ ଚେତାବନୀ ଦେଇଛନ୍ତି କଟକ ଜିଲ୍ଲା ଟାଙ୍ଗୀ- ଚୌଦ୍ଵାର ବ୍ଲକର ଚାଷୀ । ବ୍ଲକ କ୍ଷତି ପୂରଣ ପ୍ରଦାନ ନକରେ ତେବେ ଆନ୍ଦୋଳନ ହେବା ସହିତ ଆଗାମୀ ନିର୍ବାଚନରେ ଉଚିତ୍ ଜବାବ ଦେବେ ଚାଷୀ ବୋଲି କହିଛି ନବ ନିର୍ମାଣ କୃଷକ ସଂଗଠନ ।

ଚାଷଜମିରେ ଏବେ ବି ଭାସୁଛି ପାଣି । ପାଣି ଭିତରେ ବୁଡ଼ି ରହିଛି ଧାନ । ଏବେ ଗଜା ହୋଇଗଲାଣି ଧାନ । ବିଡିଓ ଓ ଟାଙ୍ଗୀ ବ୍ଲକର କୃଷି ଅଧିକାରୀଙ୍କୁ ଚାଷୀମାନେ ଅଭିଯୋଗ କଲେବି କେହି ଶୁଣୁନାହାନ୍ତି । ଏହି ବ୍ଲକର ସମସ୍ତ ପଞ୍ଚାୟତର ଲୋକେ ଜଳ ସେଚନ ଅଭାବରୁ କେବଳ ଧାନ ଫସଲ ଉପରେ ନିର୍ଭର କରନ୍ତି । ଚଳିତ ବର୍ଷ ଏଭଳି ଅବସ୍ଥାକୁ ନେଇ ବିଚଳିତ ହୋଇ ପଡ଼ିଛନ୍ତି ଚାଷୀ।

ଏନେଇ ଟାଙ୍ଗୀ ଚୌଦ୍ୱାର ନବ ନିର୍ମାଣ କୃଷକ ସଂଗଠନ ଟାଙ୍ଗୀ ବ୍ଲକ ରେ ଲିଖିତ ଭାବେ ଅଭିଯୋଗ କରିଥିଲେ ମଧ୍ୟ କେହି ଶୁଣୁ ନଥିବା କହିଛନ୍ତି ସଂଗଠନର ବ୍ଲକ ସଭାପତି କୃପାସିନ୍ଧୁ ଦାସ । ଆଗାମୀ ଦିନରେ ପ୍ରଶାସନ ଯଦି କିଛି ପଦକ୍ଷେପ ନନିଅନ୍ତି ତେବେ ଆନ୍ଦୋଳନ ହେବା ସହିତ ଆଗାମୀ ପଞ୍ଚାୟତ ନିର୍ବାଚନ ରେ ଚାଷୀ ମାନେ ଉଚିତ୍ ଜବାବ ଦେବେ ବୋଲି ଚେତବନୀ ଦେଇଛନ୍ତି । ଅନ୍ୟପଟେ ଟାଙ୍ଗୀ ବ୍ଲକ କୃଷି ଅଧିକାରୀ କୁଳମଣୀ ବାରିକ କହିଛନ୍ତି ଖୁବ୍ ଶୀଘ୍ର ସ୍ଥିତି ଅନୁଧ୍ୟାନ କରି କ୍ଷତି ପୂରଣ ପ୍ରଦାନ କରାଯିବ । ତେବେ ଦେଖିବାକୁ ବାକି ରହିଲା ପ୍ରଶାସନ କେବେ କ୍ଷୟକ୍ଷତି ଆକଳନ କରୁଛି ଆଉ ଚାଷୀଙ୍କୁ ଫସଲ ନଷ୍ଟ ର କ୍ଷତି ପୂରଣ ମିଳୁଛି ।