• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ବିନା ହଳରେ କମ୍ ଖର୍ଚ୍ଚ, କମ୍ ସାର ଓ କମ୍ ପରିଶ୍ରମରେ କରାଯାଉଛି ଆଳୁ ଚାଷ । କଟକ ଜିଲ୍ଲା ତିହୁଡ଼ି ଗାଁରେ ଏହି ଭିନ୍ନ ଚାଷ କରାଯାଇଥିବାର ଦେଖିବାକୁ ମିଳିଛି । ଅନ୍ତର୍ଜାତୀୟ ଆଳୁ କେନ୍ଦ୍ର ସିଆଇପି ଏବଂ ଓଡିଶା ସରକାରଙ୍କ ଉଦ୍ୟାନ ବିଭାଗର ମିଳିତ ଉଦ୍ୟମରେ ଏକ ନୂତନ ପ୍ରଣାଳୀରେ ଆଳୁ ଚାଷ କରାଯାଉଛି । ଜମିରେ କେବଳ ଆଳୁମଞ୍ଜି ରଖି ଅଳ୍ପ ସାର ଓ ଖତ ଦେଇ ଅଦରକାରୀ କୁଟା ଘୋଡାଇ ରଖାଯାଉଛି ।

ସେହିପରି ଆଳୁ ଅମଳ ସମୟରେ ମଧ୍ୟ ବିନା କୋଡି କୋଦାଳରେ କୁଟାକୁ ଆଡେଇ ଅମଳ କରି ହେଉଛି । ଏହି ଆଳୁ ଅଧିକ ଦିନ ଘରେ ସଂରକ୍ଷିତ ରହିବା ସହ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଉପଯୋଗୀ ବୋଲି କୁହାଯାଉଛି ।

ସୂଚନା ଅନୁସାରେ, ରାଜ୍ୟରେ ଆଳୁ ଚାଷର ଚାହିଦା କମୁଥିବାବେଳେ ପରିଶ୍ରମ ଅନୁସାରେ ଫଳ ମିଳୁନଥିବାରୁ ଚାଷୀ ଏହି ଚାଷ ଠାରୁ ବିମୁଖ ହେଉଛନ୍ତି । ତେବେ ଓଡିଶାର ଆଳୁ ଚାଷୀଙ୍କୁ ଅଧିକ ପ୍ରୋତ୍ସାହିତ କରିବାକୁ ଏହି ନୂତନ ପ୍ରଣାଳୀରେ ଆଳୁଚାଷ କରାଯାଉଛି । ଅନ୍ତର୍ଜାତୀୟ ଆଳୁ କେନ୍ଦ୍ର ସିଆଇପି ଏବଂ ଓଡିଶା ସରକାରଙ୍କ ଉଦ୍ୟାନ ବିଭାଗର ମିଳିତ ଉଦ୍ୟମରେ ଏହି ଆଳୁ ଚାଷ କରାଯାଉଛି । ଯାହା ବିନା ହଳରେ କମ୍ ଖର୍ଚ୍ଚ ଓ କମ୍ ପରିଶ୍ରମରେ ସମ୍ଭବ ହୋଇପାରୁଛି ।

ପ୍ରଥମେ ଏହି ପ୍ରଣାଳୀ ୨୦୧୮ରେ ସିଆଇପିର ବୈଜ୍ଞାନିକ ଡଃ ବ୍ରିଜେସ କୁମାରଙ୍କ ଦ୍ୱାରା ଆସାମ ରାଜ୍ୟରେ ଆରମ୍ଭ କରାଯାଇଥିଲା । ଏହା ସଫଳ ହେବା ପରେ ଏବେ ଦେଶର ବିଭିନ୍ନ ପ୍ରାନ୍ତରେ ମଧ୍ୟ ଏହି ପ୍ରଣାଳୀକୁ ଆପଣାଯାଉଛି । ଚଳିତ ଆଳୁ ଚାଷ ଋତୁରେ ସିଆଇପି ଦ୍ୱାରା କଟକ,ପୁରୀ, ଜଗତସିଂହପୁର, ଖୋର୍ଦ୍ଧା ଓ କୋରାପୁଟ ଜିଲ୍ଳାର ଶତାଧିକ ଚାଷୀ ଏହି ପ୍ରଣାଳୀରେ ଚାଷ କରିଛନ୍ତି । ଏହି ପ୍ରଣାଳୀରେ ଆଳୁ ଚାଷ କରିଥିବା ଚାଷୀ ଏବେ ଅଧିକ ଲାଭର ଆଶା ବାନ୍ଧିବା ସହ ଆଗାମୀ ଦିନରେ ଏହି ଚାଷକୁ ଅଧିକ ପରିମାଣରେ କରିବା ପାଇଁ ଯୋଜନା କରୁଛନ୍ତି ।