ବୌଦ୍ଧ ଜିଲ୍ଲାର ଚାଷୀଙ୍କ ଚାଷ କାର୍ଯ୍ୟ ପାଇଁ ଜଳସେଚନ ପ୍ରକଳ୍ପ ନିହାତି ଜରୁରୀ ଥିଲା। ଚାଷୀଙ୍କୁ ସୁବିଧାକୁ ନଜରରେ ରଖି ଓଡ଼ିଶା ର ତତ୍କାଳୀନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବ ଓ ବୌଦ୍ଧର ତତ୍କାଳୀନ ବିଧାୟକ ତଥା ଉପ ଜଳସେଚନ ପ୍ରକଳ୍ପ ମନ୍ତ୍ରୀ ହିଂମାଶୁ ଶେଖର ପାଢ଼ୀଙ୍କ ଦ୍ଵାରା ବହୁ ପ୍ରତିକ୍ଷୀତ ସାଲୁଙ୍କି ମଧ୍ୟମ ଜଳ ସେଚନ ପ୍ରକଳ୍ପର ଭୂମି ପୂଜା ୧୯୫୮ ମସିହାରେ ହୋଇଥିବା ବେଳେ ୧୯୬୨ ମସିହାରେ କାର୍ଯ୍ୟ ଶେଷ ହୋଇଥିଲା ।
ଏହି ପ୍ରକଳ୍ପ କାର୍ଯ୍ୟ ପୁରା ହେବାର ପ୍ରାୟ ୬ ଦଶନ୍ଧି ବିତିଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସାଲୁଙ୍କି ଜଳ ସେଚନ ପ୍ରକଳ୍ପ ତାର ଲକ୍ଷ ଠାରୁ ବହୁ ଦୂରରେ । ସେପଟେ ପ୍ରଶାସନିକ ଅବହେଳା ଯୋଗୁଁ ଚାଷୀ ତାର ଉପଯୁକ୍ତ ଲାଭ ପାଇ ପାରୁନଥିବା ବେଳେ ବର୍ତ୍ତମାନ କୋମାରେ ପଡ଼ିଛି ସାଲୁଙ୍କି ଜଳ ପ୍ରକଳ୍ପ ।
ଅଧିକ ପଢ଼ନ୍ତୁ: ସ୍ୱପ୍ନ ଭାଙ୍ଗିଦେଲା ଲୋୟର ଇନ୍ଦ୍ର ଜଳସେଚନ; ପୈତୃକ ଘରକୁ ହରାଇ କାନ୍ଦୁଛନ୍ତି ଗାଁ ଲୋକ
ବୌଦ୍ଧ ଜିଲ୍ଲା ର ସାଲୁଙ୍କି ମଧ୍ୟମ ଜଳ ସେଚନ ପ୍ରକଳ୍ପ ପ୍ରାୟ ୨୩ ଗୋଟି ପଞ୍ଚାୟତ ର ୨୧୬ ଗୋଟି ଗ୍ରାମର ୨୦,୯୧୭ ହେକ୍ଟର ଜମିକୁ ଜଳ ସେଚନର ସୁବିଧା ଯୋଗଇଦେବା ଲକ୍ଷ ରଖାଯାଇ ପ୍ରକଳ୍ପ କାର୍ଯ୍ୟ କରାଯାଇଥିଲା । କିନ୍ତୁ ମୁଖ୍ୟ ସାଲୁଙ୍କି ଆନ୍ନିକଟ ଶଯ୍ୟା ପୋତି ହେବା ଫଳରେ ଜଳ ଧାରଣ କ୍ଷମତା ଦିନକୁ ଦିନ କମିବାରେ ଲାଗିଛି । ସେପଟେ ଆନ୍ନିକଟର ଉଭୟ ପାର୍ଶ୍ଵର ମୁଖ୍ୟ କେନାଲ ପୋତି ହେବା ସହ ରକ୍ଷଣାବେକ୍ଷଣ ଅଭାବ ଯୋଗୁଁ ସବୁ ଭାଙ୍ଗିରୁଜି ଗଲାଣି ।
ଯାହା ଦ୍ଵାରା ଖରିଫ ଏବଂ ରବି ଋତୁରେ ଜମିକୁ ପହଞ୍ଚି ପାରୁନାହିଁ ଆବଶ୍ୟକ ଜଳ । ଯାହାଫଳରେ ଚାଷୀ କୂଳ ଚାଷ କରିବାରେ ବିଫଳ ହୋଇଥିବା ବେଳେ ପାଣି ପାଇଁ ଚାଷ କାର୍ଯ୍ୟ ଛାଡ଼ିବାକୁ ବାଧ୍ୟ ହେଉଛନ୍ତି । ଅନ୍ୟପଟେ ଏହି ପ୍ରକଳ୍ପକୁ ପୁନରୁଦ୍ଧାର କରିବା ସହିତ ଚାଷୀଙ୍କ ଚାଷ କାର୍ଯ୍ୟ ଉପଯୋଗୀ କରିବାକୁ ଚାଷୀ ଦାବି କରିଛନ୍ତି ।
ସାଲୁଙ୍କି ମଧ୍ୟମ ଜଳସେଚନ ପ୍ରକଳ୍ପର କେନାଲର ଲମ୍ବ ପ୍ରାୟ ୨୮ କିଲୋ ମିଟର ବ୍ୟାପି ରହିଥିବା ବେଳେ ପ୍ରାୟ ୭୦ କିଲୋମିଟର ଲମ୍ବି ରହିଛି କେନାଲର ଉପଶାଖା କେନାଲ। ତେବେ ଏହାର ମରାମତି ଅଭାବରୁ କେନାଲ ପୋତି ହେବା ସହ ତଳ ମୁଣ୍ଡ ଜମିକୁ ପହଞ୍ଚି ପାରୁନି ପାଣି । ଯାହାଫଳରେ ରବି ଋତୁ ରେ ୧୦୪୦ ହେକ୍ଟର ଜମି ଜଳସେଚନ ଲକ୍ଷ ଧାର୍ଯ୍ୟ ହୋଇଥିଲା, ହେଲେ ଚାଷୀର ତଳ ମୁଣ୍ଡ ଜମିକୁ ପହଞ୍ଚି ପାରୁନି ଜଳ । ପାଣିକୁ ଅପେକ୍ଷା କରିଥିବା ଚାଷୀ ନିରାଶ ହୋଇଥିବା ଦେଖାଦେଇଛି । ସାଲୁଙ୍କି ଆନ୍ନିକଟ ହେବା ଦ୍ୱାରା ଚାଷୀ ଦୁଇ ଫସଲି ଚାଷ କରି ଅଧିକ ଲାଭବାନ୍ ହେବ ବୋଲି ଆଶା ରଖିଥିଲା ।
Also Read
ହେଲେ ଚାଷୀ ମାନଙ୍କ ଆଶା କେବଳ ଆଶାରେ ରହିଗଲା । ଏବେ ଚାଷୀ କୂଳ ଦାବୀ କରୁଛନ୍ତି ଯେ ସାଲୁଙ୍କି ଜଳ ସେଚନ ପ୍ରକଳ୍ପର ପଙ୍କ ଉଦ୍ଧାର, ଆନ୍ନିକଟର ଉଚ୍ଚତା ବୃଦ୍ଧି, କେନାଲ ନବୀକରଣ ସାଙ୍ଗକୁ କଂକ୍ରିଟ କରାଯାଉ । ଆଗାମୀ ଦିନରେ ଏହି ପ୍ରକଳ୍ପର ନବୀକରଣ ସାଙ୍ଗକୁ ଆନ୍ନିକଟରେ ଲାଗିଥିବା ଲୁହା ସଟର୍ ପ୍ଲେଟ ପରିବର୍ତନ କରାଗଲେ ଏହାର ଜଳ ଧାରଣ କ୍ଷମତା ବୃଦ୍ଧି ପାଇବା ସହ ଖରିଫ ଓ ରବି ଋତୁରେ ଅଧିକ ଜମିକୁ ଜଳସେଚନ କରାଯାଇ ପାରିବ ।
(ରିପୋର୍ଟ- ଦୀପକ ଅଦର, ବୌଦ୍ଧ)