Advertisment

ସ୍ୱପ୍ନ ଭାଙ୍ଗିଦେଲା ଲୋୟର ଇନ୍ଦ୍ର ଜଳସେଚନ; ପୈତୃକ ଘରକୁ ହରାଇ କାନ୍ଦୁଛନ୍ତି ଗାଁ ଲୋକ

କିଛି ଘଂଟାରେ ସବୁ ସ୍ୱପ୍ନକୁ ଚୁରମାର କରିଦେଲା ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ। ଜଳଭଣ୍ଡାର ପାଇଁ ବିନା ଇଚ୍ଛାରେ ଗାଁ ଛାଡ଼ିଲେ ଲୋକେ। ଘର କବାଟରେ ତାଲା ପଡିଛି ସତ ହେଲେ ଉପର ପୂରା ମେଲା। ଶୁଭବିବାହ ଲେଖା କାନ୍ଥରୁ ଲିଭିନି । କିନ୍ତୁ ନୂଆ ବୋହୂର ମନ ଭାଙ୍ଗିଯାଇଛି।

author-image
Otv Khabar Bureau
ଅଦ୍ୟତନ ହୋଇଛି
Villagers forced to Vacate Native Place

Villagers forced to Vacate Native Place

କବାଟରେ ତାଲା ପଡ଼ିଛି ସତ ହେଲେ ଘର ଛାତ ଭୁଶୁଡ଼ି ଗଲାଣି। ଖାଲି ନାଁକୁ ମାତ୍ର ଯାହା ଚାଲା ପଡ଼ିଛି। କାହାର ପାଟି ଶୁଭୁନି କି ଗାଁରେ ଲୋକ ବି ଦେଖାଯାଉନାହାନ୍ତି । ସବୁଆଡେ ନୀରବ ଆଉ ନିଶ୍ଚଳ । ଯେଉଁଠି ଦେଖିବେ ଖାଲି ଭଙ୍ଗା ଘର । ଘର କାନ୍ଥରେ ଶୁଭ ବିବାହର ଲେଖା ଏ ଯାଏ ଲିଭିନି, କିନ୍ତୁ ନୂଆ ବାହା ହୋଇ ଗାଁକୁ ଆସିଥିବା ବୋହୂର ମନ କିନ୍ତୁ ଭାଙ୍ଗିଯାଇଛି । ଘର ଖମ୍ବରେ ବିବାହର ମୁକୁଟ ସେମିତି ବନ୍ଧା ହୋଇ ରହିଛି । ଅପୂଜା ହୋଇ ରହିଛନ୍ତି ଦିଅଁ ଦେବତା । ଅପୂଜା ହୋଇ ରହିଛନ୍ତି ଗାଁ ଠାକୁରାଣୀ । ଅଭିଶପ୍ତ ହୋଇ ପଡିଛି ତୁଳସୀ ଚଉରା । ଘର ଅଗଣାରେ ଏବେ ବି ପାରା ତା ବସାରେ ବସିଛି । ଗାଁରେ କେତେ ଉତ୍ସବ, ପ୍ରଥା ପରଂପରା ପାଳନ କରା ଯାଉଥିଲା । ଆଉ ସ୍ୱପ୍ନରେ ବି ସେ ଦିନ ଆସିବ ନାହିଁ ।

Advertisment

ସେଦିନର କଥାକୁ ଭୁଲି ପାରୁ ନାହାନ୍ତି ଗାଁର ବୟସ୍କ । କଥା କହୁ କହୁ ସେମାନଙ୍କ ଆଖି ଛଳ ଛଳ ହୋଇ ଯାଉଛି । ଦୁଃଖ ଏତିକି ଗାଁ ଛାଡି ବିସ୍ଥାପିତ ହେଉଛନ୍ତି । କିଏ ତା ବାହା ସମୟର କଥା ମନେ ପକାଉଛି, ତ ଆଉ କିଏ ତା ପିଲାଦିନର କଥା । ଏ ଦୃଶ୍ୟ ହେଉଛି ନୂଆପଡା ଜିଲ୍ଲାର ରଘୁପାଲି ଗାଁର । ଜିଲ୍ଲାରେ ନିର୍ମାଣାଧୀନ ଲୋୟର ଇନ୍ଦ୍ର ଜଳ ସେଚନ ପ୍ରକଲ୍ପରେ ରଘୁପାଲି ଗାଁ ସଂପୂର୍ଣ୍ଣ ବୁଡି ଅଂଚଳ ଘୋଷିତ ହେଲା । ପ୍ରଶାସନର ନାଲି ଆଖି ସାମ୍ନାରେ ଲୋକେ ଭୟଭୀତ ହୋଇ ଗାଁ ଛାଡିଲେ । ଗାଁ ସିନା ଛାଡିଲେ, ଗାଁର ମୋହ, ଗାଁର ମମତା ଏଯାଏ ଭୁଲି ପାରୁ ନାହାନ୍ତି । ଆଖି ସାମନାରେ ତାଙ୍କ ସ୍ୱପ୍ନର ଘର ଭାଙ୍ଗି ଦିଆଗଲା ।

ଯେଉଁଠି ଖେଳୁ ଥିଲେ ବୁଲୁ ଥିଲେ ସେ ସ୍ଥାନ ପାଣିରେ ବୁଡି ଯିବ । ୩୫୦ ପରିବାର ବିଶିଷ୍ଟ ଗାଁ ଏବେ ଶୂନଶାନ । କେତେ ପରିବାର ଗାଁ ପାଖରେ ଏକ ନୂଆଁ ବସତି କଲେ , ବହୁତ ପରିବାର ଗାଁ ଛାଡି କେଉଁ ଆଡେ ଗଲେ, ତାଙ୍କର ଖୋଜ ଖବର ବି ନାହିଁ । ଗାଁ ଛାଡିବାର ଦୁଃଖରେ ଅନେକ କାନ୍ଦିଛନ୍ତି, ଏବେ ଆଖି ଲୁହ ଶୁଖି ଯାଇଛି । କିନ୍ତୁ ସେ ଦୁଃଖକୁ ଭୁଲି ପାରୁନାହାନ୍ତି।

Advertisment

ଗାଁ ମାଟି ବାସ୍ନାରେ ସବୁ କିଛି ଭରି ହୋଇଥାଏ। ସେଥିପାଇଁ ତ ଗାଁ ମାଟିର ପ୍ରେମର ସମସ୍ତେ ପାଗଳ ଥାଆନ୍ତି । ଆଉ ନିଜ ଗାଁ ଛାଡ଼ିବାର ଦୁଃଖ ଯେ କେତେ ତାହା ବୋଧହୁଏ ଏମାନଙ୍କଠାରୁ ଆଉ ଅଧିକ କିଏ ବା କହିପାରିବ?

ରିପୋର୍ଟର- ମାୟାଧର ସରାଫ

Special Story Lower Indra Water Irrigation Project Villagers Forced To Vacate Native Place
Advertisment
Advertisment