• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

କୃଷି ବୀମା ପାଇଁ ସାରା ବଲାଙ୍ଗିର ଜିଲ୍ଳାରେ ବଢିବାରେ ଲାଗିଛି ଚାଷୀ ଅସନ୍ତୋଷ । ବିଭିନ୍ନ ଉପାୟରେ ଆନ୍ଦୋଳନ କରିବା ପରେ ଗତ ସେପ୍ଟେମ୍ବର ୨୬ ତାରିଖରେ ରେଳରୋକ କରିଥିଲେ ଚାଷୀ । ୭ ଦିନ ଭିତରେ ଦାବି ପୂରଣ ନେଇ ଲିଖିତ ପ୍ରତିଶୃତି ଦେଇଥିଲା ପ୍ରଶାସନ । କିନ୍ତୁ ୧୫ ଦିନ ପରେ ମଧ୍ୟ ଚାଷୀ ପାଇଲେ ନାହିଁ ବୀମା ଟଙ୍କା । ଯାହା ଫଳରେ ଏବେ କର ବା ମର ସ୍ଥିତି । ଆନ୍ଦୋଳନର ଡାକରା ଦେଇଛି ଜିଲ୍ଲା କୃଷକ ମହାସଂଘ । ଆସନ୍ତାକାଲି ଟିଟିଲାଗଡ ରେଲୱେ ଜଂକସନରେ ହଜାର ହଜାର ଚାଷୀଙ୍କୁ ନେଇ ରେଳରୋକ ସହିତ ଜୋରଦାର ଆନ୍ଦୋଳନ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି ଚାଷୀ । ଆଉ ସେପଟେ ଜିଲ୍ଳା ପ୍ରଶାସନଠୁ ଆରମ୍ଭ କରି କୃଷି ବିଭାଗ ପର୍ଯ୍ୟନ୍ତ ସମସ୍ତଙ୍କ ମୁହଁ ବନ୍ଦ ।

ଗତ ବର୍ଷ ବଲାଙ୍ଗିର ଜିଲ୍ଲାରେ ବ୍ୟାପକ ମରୁଡି ହୋଇଥିଲା । ସେ ସମୟରେ ଜିଲ୍ଳାର ହଜାର ହଜାର ଚାଷୀ ଲକ୍ଷ ଲକ୍ଷ ଟଙ୍କା ଡିପୋଜିଟ କରି ପ୍ରଧାନମନ୍ତ୍ରୀ ଫସଲ ବୀମା କରିଥିଲେ । କିନ୍ତୁ ଏ ପର୍ଯ୍ୟନ୍ତ ଜିଲ୍ଳାର ୧୦୪ ଟି ପଂଚାୟତର ଚାଷୀଙ୍କୁ କୃଷି ବୀମା ଟଙ୍କା ମିଳିନାହିଁ । ରାଜ୍ୟ, କେନ୍ଦ୍ର ସରକାର ଏବଂ ବୀମା କଂପାନୀର ବିବାଦ ଭିତରେ ପେଶି ହେଉଛନ୍ତି ଚାଷୀ । ବାରମ୍ବାର ରାଜରାସ୍ତାରେ ଆନ୍ଦୋଳନ କରିବା ପରେ ଗତ ସେପ୍ଟେମ୍ବର ୨୬ ତାରିଖରେ ବଲାଙ୍ଗିର,ଟିଟିଲାଗଡ ଓ ହରିଶଂକର ରୋଡ ରେଲୱେ ଷ୍ଟେସନରେ ରେଳରୋକ ସହିତ ଜୋରଦାର ଆନ୍ଦୋଳନ କରିଥିଲା ଜିଲ୍ଳା କୃଷକ ମହାସଂଘ । ସେ ସମୟରେ ସାତ ଦିନ ଭିତରେ ସମସ୍ୟା ସମାଧାନ ହେବ ବୋଲି ଲିଖିତ ପ୍ରତିଶୃତି ଦେଇଥିଲା ଜିଲ୍ଳା ପ୍ରଶାସନ । କିନ୍ତୁ କୌଣସି ପ୍ରକାର ପଦକ୍ଷେପ ନିଆଗଲା ନାହିଁ ।

ତେଣୁ ଆସନ୍ତାକାଲି ଟିଟିଲାଗଡ ରେଲୱେ ଜଂକସନ ଠାରେ ପ୍ରାୟ ୧୦ ହଜାର ଚାଷୀଙ୍କୁ ନେଇ ରେଳରୋକ କରିବାକୁ ନିଷ୍ପତ୍ତି ନେଇଛି କୃଷକ ସଂଗଠନ । ଆସନ୍ତାକାଲି କର ବା ମର ଆନ୍ଦୋଳନ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି ଜିଲ୍ଳା କୃଷକ ମହାସଂଘ ।

ଗତ ୨୬ ତାରିଖ ଦିନ ଜିଲ୍ଲା କୃଷକ ମହାସଂଘ ଦ୍ୱାରା ରେଳରୋକ କରିବା ସମୟରେ, ଜିଲ୍ଳା ପ୍ରଶାସନ ତରଫରୁ ଦିଆଯାଇଥିବା ଲିଖିତ ପ୍ରତିଶୃତିରେ ଚାରୋଟି ପଏଣ୍ଟରେ ଦିଆଯାଇଛି । ପ୍ରତିଶୃତିରେ ଲେଖାଯାଇଛି ଯେ, ୩୦ ସେପଟେମ୍ବର ସୁଦ୍ଧା ହାଇ ଲେଭେଲ କମିଟି ସହିତ ବୈଠକ କରି ବୀମା କଂପାନୀ ୭ ଦିନ ଭିତରେ ଟଙ୍କା ପ୍ରଦାନ ନକଲେ, ବୀମା କଂପାନୀ ନାଁରେ ଅପରାଧିକ ମାମଲା ରୁଜୁ କରାଯିବ । କିନ୍ତୁ କେବଳ ବାରବାର ବୈଠକ କରାଯାଉଛି, ସମାଧାନର ରାସ୍ତା ବାହାରି ପାରୁନାହିଁ ।

ରାଜ୍ୟ ସରକାର ବଲାଙ୍ଗିର ଜିଲ୍ଳାକୁ ମରୁଡି ଘୋଷଣା କଲେ ନାହିଁ । ଏହା ସହିତ ଚାଷୀଙ୍କୁ କୌଣସି ପ୍ରକାର ମରୁଡ଼ି ସହାୟତା ବି ମିଳିଲା ନାହିଁ । ଯାହା ଫଳରେ କ୍ରପକଟିଂ ରିପୋର୍ଟକୁ କେନ୍ଦ୍ର ସରକାରଙ୍କ ନିକଟରେ ପ୍ରତିବାଦ କଲା ବୀମା କଂପାନୀ । ରାଜ୍ୟ,କେନ୍ଦ୍ର ସରକାର ଓ ବୀମା କଂପାନୀର ତୁତୁ ମେମେ ଭିତରେ ଫଶିରହିଛନ୍ତି ବିଚରା ଚାଷୀ । ଆଉ ସେପଟେ ଏ ସଂର୍ପକରେ ପ୍ରତିକ୍ରୀୟା ଦେବାକୁ ମନା କରିଦେଇଛନ୍ତି ବଲାଙ୍ଗିର ଜିଲ୍ଳାପାଳ ଚଂଚଳ ରାଣା । ଆଉ ଜିଲ୍ଳା ମୁଖ୍ୟ କୃଷି ଅଧିକାରୀ ପ୍ରତିକ୍ରିୟା ଦେବା ପରିବର୍ତ୍ତେ, ଚିହିଁକି ଉଠୁଛନ୍ତି । ଆଉ କହୁଛନ୍ତି ଚାଷୀଙ୍କୁ ବୀମା ଟଙ୍କା ଦେବା ସଂର୍ପକରେ କେହି ବି କିଛି କହି ପାରିବେ ନାହିଁ କି କରିପାରିବେ ନାହିଁ ।

(ରିପୋର୍ଟ- ଘଟେଶ୍ୱର ମିଶ୍ର, ବଲାଙ୍ଗିର)