/odishatv-khabar/media/post_attachments/uploadimage/library/16_9/16_9_0/IMAGE_1700109085.jpg)
Farmer ends life after locust destroys crops
ଦଶ ଏକର ଜମିରେ ଚାଷ କରିଥିଲେ । ସେଥିରୁ ପାଞ୍ଚ ଏକର ଜମିରେ ଚକଡ଼ା ପୋକ ମାଡ଼ିଗଲା । ଚାଷୀ ରମେଶଙ୍କ ମୁଣ୍ତରେ ପଡ଼ିଲା ଚଡ଼କ । ପୋକ ମାରିବାକୁ ଆଣିଥିବା ବିଷ ପିଇ କଲେ ଆତ୍ମହତ୍ୟା । ବଲାଙ୍ଗିର ଜିଲ୍ଲା ପୁଇଁତଲା ବ୍ଲକ ବୁବେଳ ଗାଁରୁ ଆସିଲା ଚାଷୀ ଆତ୍ମହତ୍ୟାର ଖବର ।
ଅମଳ ସମୟରେ ବିଲରେ ପୋକ.. ପୋକ ମାରିବାକୁ ପକାଇଲେ ବିଷ ..କିନ୍ତୁ, ସ୍ଥିତି ସୁଧୁରିଲାନି .. ପରିଶେଷରେ ଅନ୍ନଦାତା କଲା ଆତ୍ମହତ୍ୟା.. ଏନେଇ ଖବର ପାଉଛନ୍ତି ତ ସରକାର?
ବଲାଙ୍ଗିର ଜିଲ୍ଲା ପୁଇଁତଲା ବ୍ଲକ ବୁବେଳ ଗାଁ । ଚାଷୀ ରମେଶ ଭୋଇ ଦଶ ଏକର ଜମିରେ ଚାଷ କରିଥିଲେ । କିନ୍ତୁ ସୁନାର ଫସଲରେ ଲାଗିଲା ପୋକ । ପାଞ୍ଚ ଏକର ଜମିରେ ଚକଡ଼ା ପୋକ ଲାଗିଲା । ଉଜୁଡ଼ିଗଲା ଗର୍ଭିଣୀ ଫସଲ ।
ଏତେ କଷ୍ଟରେ କରିଥିବା ଫସଲକୁ ନିଜ ଆଖି ସାମ୍ନାରେ ଉଜୁଡ଼ୁଥିବାର ଦେଖି, ସହିପାରିଲେନି ରମେଶ । ପୋକ ମାରିବାକୁ ଆଣିଥିବା ବିଷକୁ ନିଜେ ପିଇ ଦେଲେ । ମେଡ଼ିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କଲେ । ଚାଷ ହିଁ ଚାଷୀକୁ ଖାଇଗଲା । ପୁଣି ଚାଷୀ ଆତ୍ମହତ୍ୟାର ଅପବାଦ ମୁଣ୍ଡାଇଲା ବଲାଙ୍ଗିର ଜିଲ୍ଲା ।
ନିଜ ଚାଷ ଜମିରେ ବିଷ ମାରୁ ମାରୁ ନିଜକୁ ମାରି ଦେଲେ ରମେଶ । ଏକର ଏକର ଜମିରେ ରୋଗ ଓ ପୋକ ସାଲୁ ବାଲୁ । ଖାଲି ଆଖିରେ ବି ଦେଖିଲେ ଦିଶୁଛି ମେଞ୍ଚେ ମେଞ୍ଚେ ପୋକ । ଚାଷୀ ଆତ୍ମହତ୍ୟାର ଖବର ପାଇ ବିଧାୟକ ଆସି ପହଞ୍ଚିଥିଲେ । ପରେ ପରେ ଜିଲ୍ଲା କୃଷି ଅଧିକାରୀ ମଧ୍ୟ ପହଞ୍ଚିଲେ । କିନ୍ତୁ ସେତେବେଳକୁ ସବୁକିଛି ସରି ଯାଇଥିଲା । ରମେଶଙ୍କ ଜୀବନଦୀପ ଲିଭି ଯାଇଥିଲା ।
ଚାଷୀ ଆତ୍ମହତ୍ୟା ପାଇଁ କିଏ ଦାୟୀ ? ପରସ୍ପର ମୁଣ୍ତରେ ଦୋଷ ବୋଳିବାକୁ ପ୍ରସ୍ତୁତ ରହୁଛନ୍ତି ଅଫିସର ଓ ନେତା । ଏପଟେ ଅକାଳରେ ଝଡ଼ି ପଡ଼ୁଛି ଜୀବନ । ପ୍ରତିଶ୍ରୁତି ବନାମ ବାସ୍ତବତା ଭିତରେ ଛନ୍ଦି ହୋଇ ପଡ଼ୁଛି ନୀରିହ ଚାଷୀ । କେବେ ଚେତିବେ ସରକାର .. କେବେ ସୁଧୁରିବ ସମସ୍ୟା .. ଏହା ବର୍ତ୍ତମାନ ବିରାଟ ପ୍ରଶ୍ନ ହୋଇ ଛିଡ଼ା ହୋଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)