/odishatv-khabar/media/post_attachments/uploadimage/library/16_9/16_9_0/IMAGE_1695286581.jpg)
Farmer cries
ପାନ ଚାଷୀଙ୍କ ଲାଗି ବଡ଼ ଯୋଜନା ଘୋଷଣା କଲେ ରାଜ୍ୟ ସରକାର । ଚାଷୀ ଭାଇ ଭାବିଥିଲା ଏଥର ଦୁଃଖ ଯିବ, ହସ ଫେରିବ । ହେଲେ ସବୁ ଆଶା ଆଶାରେ ରହିଗଲା । ସବୁ ସ୍ୱପ୍ନ ଧୂଳିସାତ୍ ହୋଇଗଲା । କାରଣ ଦୀର୍ଘଦିନ ହେବ ପାନ ଚାଷକୁ କୃଷିର ମାନ୍ୟତା ଦେବା ଲାଗି ଜୋର ଧରିଥିଲା ଦାବି । ମାତ୍ର ରାଜ୍ୟ ସରକାର କୃଷିର ମାନ୍ୟତା ନଦେଇ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଚାଷୀଙ୍କୁ ଋଣ ମିଳିବ ବୋଲି କହିଲେ । ହେଲେ ଏଥିରେ ଚାଷୀର କିଛି ଲାଭ ହେବନି ବରଂ ପାନ ଚାଷୀଙ୍କୁ ଲଲିପପ୍ ଦିଆଯାଇଥିବା ଅଭିଯୋଗ କରିଛନ୍ତି ବାଲେଶ୍ୱର ଭୋଗରାଇର ଶ୍ରୀହରି ସାମଲ ।
ବାଲେଶ୍ୱର ଭୋଗରାଇ ଏବଂ ବାଲିଆପାଳ ବ୍ଲକର ପ୍ରାୟ ୫୦ ହଜାରରୁ ଅଧିକ ପାନ ଚାଷୀ ଅଛନ୍ତି । ପାନ ଚାଷକୁ କୃଷିର ମାନ୍ୟତା ଦେବା ଲାଗି ଦୀର୍ଘ ଦିନ ହେଲାଣି ସେମାନେ ଦାବି ବି କରୁଛନ୍ତି । ହେଲେ ଚାଷର ମାନ୍ୟତା ତ ମିଳିଲାନି ବରଂ ୧ ଲକ୍ଷ ପର୍ଯ୍ୟନ୍ତ ଋଣ ଦିଆଯିବ ଓ ପରେ ତାହାକୁ ଚଷା ଭାଇ ସୁଝିବ ବୋଲି ସରକାର କହିଲେ । ତେଣୁ ଏହାକୁ ନିର୍ବାଚନ ଲଲିପପ୍ ବୋଲି ଅଭିଯୋଗ କରିଛନ୍ତି ଚାଷୀ ।
ପାନ ବରଜରେ ଏବେ କିଛି ଲାଭ ହେଉନି । କରୋନା ସମୟରେ ସବୁ ଚାଷ ନଷ୍ଟ ହୋଇଗଲା । ବାତ୍ୟା ଆସିଲେ କି ପବନ ଆସିଲେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୁଅନ୍ତି ଚାଷୀ । ହେଲେ କ୍ଷତିପୂରଣ କିଛି ମିଳେନି । ପାନ ଚାଷୀଙ୍କର ଖାଲି ଏତିକି ଅଭିଯୋଗ ଅଛି ତାହା ନୁହେଁ ବରଂ ପାନ ପାଇଁ ଶୀତଳ ଭଣ୍ଡାରର ଆବଶ୍ୟକତା ରହିଛି । ହେଲେ ସରକାରୀ ସ୍ତରରେ ଏନେଇ କୌଣସି ପଦକ୍ଷେପ ନିଆଯାଇନାହିଁ । ଏ ଦାବି ଆଜି କି କାଲିର ନୁହେଁ ବରଂ ୧୯୭୦ ମସିହାର ।
ଏହାରି ଭିତରେ ୫୦ ବର୍ଷ ପୂରିଗଲାଣି କିନ୍ତୁ ଚାଷୀଙ୍କ ଦାବି ପୂରଣ ହୋଇପାରିଲା ନାହିଁ । ସେପଟେ ସମାଜସେବୀ ପ୍ରଦୀପ ଦାସ କହିଛନ୍ତି, ଗୋଟିଏ ପଟେ ସରକାର ଚାଷୀଙ୍କ ସହ ଅଛନ୍ତି ବୋଲି କହୁଛନ୍ତି ଅନ୍ୟପଟେ ବରଜ ଭାଙ୍ଗିବା ପାଇଁ ନିର୍ଦ୍ଦେଶ ଦେଉଛନ୍ତି । ତେବେ ସମୟ କହିବ କେବେ ପାନ ଚାଷୀଙ୍କ ଦୁଃଖ ବୁଝୁଛନ୍ତି ସରକାର ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)