• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଭଦ୍ରକ (ପାର୍ଥ ସାରଥୀ ନାୟକ ): ଏବେ ଅନ୍ୟର ସାହାଯ୍ୟ ଭିକ୍ଷା କରୁଛନ୍ତି ବିଶିଷ୍ଚ ଚିତ୍ରଶିଳ୍ପୀ । ଭଦ୍ରକ ଜିଲ୍ଲାର ବନ୍ତ ବ୍ଲକ ଅଧିନସ୍ଥ ସେଣ୍ଡତିରା ପଞ୍ଚାୟତ ମହାନ୍ତିଆ ଗାଁର ୭୮ ବର୍ଷର ବୃଦ୍ଧ ନାରାୟଣ ସେନାପତି । ମୂର୍ତ୍ତି କାରିଗର, ନାଟ୍ୟକାର, କବି ଓ ପ୍ରାବନ୍ଧିକ ଭାବେ କେବଳ ଭଦ୍ରକ ଜିଲ୍ଲା ନୁହେଁ ସେ ସମଗ୍ର ଓଡିଶାରେ ବେଶ ସୁପରିଚିତ । ହେଲେ ଚଳିବା ପାଇଁ ପାଖରେ ଅର୍ଥ ନଥିବାରୁ ଚାଳ ଛପର ଘରେ ନିଜ ପରିବାର ସହିତ ବହୁ କଷ୍ଟରେ ରହୁଛନ୍ତି । ଆର୍ଥିକ ସମସ୍ୟା  କାରଣରୁ ତାଙ୍କର ସାରସ୍ୱତ ସାଧନା ଓ ଅସ୍ମିତା ସତେ ଯେମିତି ଆଜି ତାଙ୍କର ସେହି ଛୋଟ ଚାଳ ଛପର ଘରେ ସୀମିତ ହୋଇ ରହିଯାଇଛି ।

ସେ ଓଡ଼ିଆ ଯାତ୍ରା ଜଗତରେ ମଧ୍ୟ ବେଶ୍ ପରିଚିତ ଥିଲେ ।  ଜଣେ ସଫଳ ଚିତ୍ରଶିଳ୍ପୀ ଓ କବି ଭାବେ ମଧ୍ୟ ସାରସ୍ୱତ ଜଗତରେ ବେଶ୍‌ ଚର୍ଚ୍ଚିତ । ଆଜିକୁ ପ୍ରାୟ ୭୨ ବର୍ଷ ପୂର୍ବେ ଯେତେବେଳେ ନାରାୟଣ ଚାଟଶାଳୀରେ ପଢୁଥିଲେ ମାଟି ସିଲଟରେ ଚିତ୍ର ଆଙ୍କି ସେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଚିତ୍ର ଆଙ୍କିବାର ପ୍ରବଳ ଇଚ୍ଛା ଶକ୍ତି ତାଙ୍କୁ ଜଣେ ଜଣେ ସଫଳ ଚିତ୍ରଶିଳ୍ପୀ ଭାବେ ପରିଣତ କରିଛି ।

  • ବହୁମୁଖୀ ପ୍ରତିଭାର ଅଧିକାରୀ

ସେହିପରି ପ୍ରଥମ ଶ୍ରେଣୀରୁ ଏକକ ଅଭିନୟ ଆରମ୍ଭ କରିବା ସହିତ ପଞ୍ଚମ ଶ୍ରେଣୀରୁ ଏକାଙ୍କିକା ଓ ଅଷ୍ଟମ ଶ୍ରେଣୀରୁ ଯାତ୍ରା ନାଟକ ଲେଖିବା ଆରମ୍ଭ କରିଥିଲେ । ନାରାୟଣ ୧୬ ଖଣ୍ଡ ନାଟକ, ୮ଟି ଏକାଙ୍କିକା, ୨୪ ଗୋଟି କ୍ଷୁଦ୍ରଗଳ୍ପ,୨ଗୋଟି ଉପନ୍ୟାସ ରଚନା କରିଛନ୍ତି । ଶତାଧିକ ସବୁଜ ଓ ଆଧୁନିକ କବିତା ମଧ୍ୟ ଲେଖିଛନ୍ତି । ତାଙ୍କର ଏହି କୃତି ପାଇଁ ସେ ଡ଼ ହରେକୃଷ୍ଣ ମହତାବଙ୍କ ଠାରୁ ବାରମ୍ବାର ପୁରସ୍କୃତ ହେବା ସହ ବିଭିନ୍ନ ଅନୁଷ୍ଠାନ ଠାରୁ ମଧ୍ୟ ପୁରସ୍କୃତ ହୋଇଛନ୍ତି ।କେବଳ ସେତିକି ନୁହେଁ ପ୍ରଶାସକ, ରାଜନେତା ଓ ସାରସ୍ୱତ ସାଧକ ମାନେ ତାଙ୍କର ଅନେକ ପ୍ରଶଂସା କରିଥାନ୍ତି । ଏପରିକି ତାଙ୍କ ଦ୍ୱାରା ରଚିତ ନାଟକ ଡ଼ିଏସପି ରମା ୭୦ ରୁ ୮୦ ଦଶକର ଓଡ଼ିଆ ଯାତ୍ରା ରଙ୍ଗ ମଞ୍ଚରେ ବେଶ ଚହଳ ସୃଷ୍ଟି କରି ଆଦୃତି ଲାଭ କରିଥିଲା ।

  • ପ୍ରକାଶ ପାଇପାରୁନି ପାଣ୍ଡୁଲିପି

ନାରାରାୟଣଙ୍କ ଏହି ସବୁ ବହୁମୁଖୀ ପ୍ରତିଭା ପାଇଁ ରାଜ୍ୟ ସରକାର ତାଙ୍କୁ କଳାକାର ଭତ୍ତା ବାବଦରେ  ୧୨ ଶହ ଟଙ୍କା ଦେଉଛନ୍ତି । ଏଥିରେ ତାଙ୍କ ଚଳିବା କଷ୍ଟକର ହେଉଛି । ପାଖରେ ଟଙ୍କା ନଥିବାରୁ ନାରାୟଣ ଅନେକ ମୂଲ୍ୟବାନ ପାଣ୍ଡୁଲିପି ପ୍ରକାଶ କରିପାରୁନାହାଁନ୍ତି । ୱାଟର ପେଣ୍ଟିଙ୍ଗ, ଅୟଲପେଣ୍ଟିଙ୍ଗ ଓ କାନଭାସ ପେଣ୍ଟିଙ୍ଗ ଆଦିରେ ସେ ଅଳ୍ପ ସମୟ ମଧ୍ୟରେ ନିଖୂଣ ପ୍ରତିଛବି ସହ ଅନେକ ଆକର୍ଷଣୀୟ ଚିତ୍ର ଆଙ୍କିପାରନ୍ତି । ତାଙ୍କର ପ୍ରତିଟି ଚିତ୍ରରେ ବାସ୍ତବତା ରହିଥାଏ । ଚିତ୍ରଶିଳ୍ପୀ ଭାବେ ସେ ଓଡିଶାର ବିଭିନ୍ନ ସ୍ଥାନଙ୍କୁ ଯାଇ ଚିତ୍ର ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଛନ୍ତି ।

  • ବିକି ଦେଇଥିଲେ ଚିତ୍ରାଳୟ

କେବଳ ଏତିକି ନୁହେଁ ନାରାୟଣ ଅଭିନେତା ମାନଙ୍କୁ ଭଲ ମେକଅପ ମଧ୍ୟ କରିନ୍ତି । ତେଣୁ ସେ ଧାର କରଜ କରି ଏକ ଚିତ୍ରାଳୟ କରିଥିଲେ । ହେଲେ ଶେଷରେ ଆର୍ଥିକ ଅନଟନର ସମ୍ମୁଖୀନ ହେବା କାରଣରୁ ସେ ବାଧ୍ୟ ହୋଇ ଚିତ୍ରାଳୟକୁ ମଧ୍ୟ ବିକ୍ରି କରିଦେଇଥିଲେ । ତଥାପି ସ୍ୱାଭିମାନ ରକ୍ଷା ପାଇଁ ନାରାୟଣ କାହାରିକୁ ନିଜର ଦୁଃଖ ଦୁର୍ଦ୍ଦଶା କହିପାରୁନାହାଁନ୍ତି । ନାରାୟଣଙ୍କ ପରିବାର ଯେଉଁ ଆର୍ଥିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସେଥିରୁ ତାଙ୍କୁ ମୁକ୍ତି ଦେବା ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଗ୍ରାମର ଯୁବକ ମାନେ ଦାବି କରିଛନ୍ତି ।