• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ମରି ମଧ୍ୟ ଅମର । ତାଙ୍କରି ଆଖିରେ ଦୁନିଆର ସୁନ୍ଦର ଦୃଶ୍ୟକୁ ଦେଖିପାରିବେ ଆଉ ଦୁଇଜଣ । ଗତକାଲି ତାଙ୍କର ଆଖିକୁ ଦାନ କରାଯାଇଛି । ସୂର୍ଯ୍ୟପାତ୍ରଙ୍କ ଶେଷ ଇଚ୍ଛା ଓ ପରିବାର ଲୋକଙ୍କ ସହମତିରେ ଚକ୍ଷୁ ଦାନ କରାଯାଇଛି । ଏକ ଡାକ୍ତରୀ ଟିମ୍ ତାଙ୍କ ଆଖିକୁ ମାତ୍ର ୧୦ ମିନିଟ୍ ଭିତରେ ସୁରକ୍ଷିତ ଭାବେ ବାହାର କରିଥିଲେ । ଏହାପରେ ଆଖିର ମାନ ପରୀକ୍ଷା ସହ ରକ୍ତ ନମୂନା ପରୀକ୍ଷା କରାଯାଇ ଚକ୍ଷୁ ପ୍ରତିରୋପଣ କରାଯିବ । ପୂର୍ବରୁ ସୂର୍ଯ୍ୟ ପାତ୍ରଙ୍କ ମାଙ୍କ ମୃତ୍ୟୁ ପରେ ଚକ୍ଷୁ ଦାନ କରାଯାଇଥିଲା ।

ଗତକାଲି ପୂର୍ବତନ ବାଚସ୍ପତି ତଥା ବରିଷ୍ଠ ବିଜେଡି ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପରଲୋକ ହୋଇଥିଲା । ଗତକାଲି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୫ବର୍ଷ ବୟସ ହୋଇଥିଲା । ଅନେକ ବିଶିଷ୍ଟ ବ୍ୟକ୍ତି ତାଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହ ଅନେକ ବ୍ୟକ୍ତି ଶୋକ ବ୍ୟକ୍ତ କରି ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି । ସୂର୍ଯ୍ୟପାତ୍ରଙ୍କୁ .ଶେଷ ଦର୍ଶନ ପାଇଁ ତାଙ୍କ ନୟାପଲ୍ଲୀ ସ୍ଥିତ ବାସଭବନରେ ଅନେକ ବ୍ୟକ୍ତିଙ୍କ ଭିଡ ଜମିଛି । ମୁଖ୍ୟମନ୍ତ୍ରୀ ଆଜି ସକାଳ ୯ଟା ୩୦ ବେଳେ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଶେଷ ଦର୍ଶନ କରିବେ ।

ତାଙ୍କର ପାର୍ଥିବ ଶରୀରକୁ ବିଧାନସଭା ଓ ବିଜେଡି କାର୍ଯ୍ୟାଳୟକୁ ନିଆଯିବ । ଏହାପରେ ପାର୍ଥିବ ଶରୀରକୁ ବ୍ରହ୍ମପୁର ଦେଇ ତାଙ୍କ ନିର୍ବାଚନମଣ୍ଡଳୀ ଦିଗପହଣ୍ଡିକୁ ନିଆଯିବ । ସେଠାରେ ଅପରାହ୍ନ ୩ଟା ବେଳେ ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ସୂର୍ଯ୍ୟ ପାତ୍ରଙ୍କ ପୁଅ ବିପ୍ଲବ ପାତ୍ର ସୂଚନା ଦେଇଛନ୍ତି ।

  • Reported by:
  • SOUMYA RANJAN SAHOO