• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଦୁଆର ମୁହଁରେ କାନ୍ଦବୋବାଳି ପଡିଛି । ଭୋ ଭୋ ହୋଇ କାନ୍ଦୁଛନ୍ତି ପରିବାର ଓ ଆତ୍ମୀୟ ସୋଜନ । ସେପଟେ ସାହିପଡ଼ିଶା କୋକେଇ ଉଠାଇବାକୁ ସବୁ ପ୍ରସ୍ତୁତି ସାରିଲେଣି । ଏମିତି କିଛି ଦୃଶ୍ୟ ଦେଖିବା ପରେ ଆପଣ ବି କହିବେ ଜୀବନ ଯିବା ପରେ ହିନ୍ଦୁ ରୀତିନୀତି ଅନୁସାରେ ଏମିତି ଶବଦାହ ହୁଏ । ସେଥିରେ ନୂଆ କଣ? ଦର୍ଶକବନ୍ଧୁ ଏମିତି ଘଟଣା ପୂରା ନିଆରା । କାରଣ ସେଇଠି ଶବ ଶୋଭାଯାତ୍ରା ହୋଇଛି ବିନା ଶବରେ । କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏମିତି ଘଟଣା ଘଟିଛି ଭଦ୍ରକ ଧାମନଗରରେ ।

ଘର ସାମ୍ନାରୁ ଛଅ ଖଣ୍ଡ କାଠ, ଆଉ ପାଳ ଦଉଡ଼ିରେ ବନ୍ଧା ହେଲା କୋକେଇ । କାନ୍ଦ ବୋବାଳିରେ ଫାଟିପଡୁଥିଲା ପୂରା ଗାଁ । ଏମିତି ଦୃଶ୍ୟ ଦେଖିବାକୁ ମିଳିଥିଲା ଭଦ୍ରକ ଧାମନଗର ବ୍ଲକ୍ କୋରୁଆ ଗାଁରେ । ହେଲେ ସେଇଠି ମୃତଦେହ ବଦଳରେ କୋକେଇରେ ଶୋଇଥିଲା ଅରୁଆ ଚାଉଳ ବଟାରେ ତିଆରି ହୋଇଥିବା ଏକ ପିତୁଳା । ଯାହାର ଆଖି, କାନ, ହାତ ଗୋଡ଼ ସବୁ ତିଆରି ହୋଇଥିଲା । ଧୂପ ଦିଆ ହୋଇଥିଲା, ଦୀପ ଦିଆ ହୋଇଥିଲା । ଆଉ ଯାହାଙ୍କର ପ୍ରତିକୃତି ଶବ ତିଆରି ହୋଇଥିଲା ତାହା ହେଉଛି ଘରର ଲୀଳାବତୀ ନାୟକଙ୍କର, ଯିଏ ଆଜିକୁ ପ୍ରାୟ ୨୪ ବର୍ଷ ହେଲା ନିଖୋଜ ଅଛନ୍ତି । ଦୀର୍ଘଦିନ ଧରି ସବୁ ଆଡେ ଖୋଜିଛନ୍ତି ଦୁଇ ପୁଅ ଓ ସ୍ୱାମୀ ।

ପତ୍ନୀ ନଫେରିବା ଦୁଃଖରେ ୯ ବର୍ଷ ତଳୁ ସ୍ୱାମୀ ଆନନ୍ଦ ଚନ୍ଦ୍ର ନାୟକଙ୍କର ବି ଦେହାନ୍ତ ହୋଇ ସାରିଛି । ଦୁଇ ପୁଅ ଉମେଶ ଓ ରମାକାନ୍ତ ଭାବିଥିଲେ ମାଆ ହୁଏତ ଜୀବିତ ଥାଇପାରନ୍ତି । ହେଲେ କିଛିଦିନ ତଳେ ସାନ ପୁଅ ଉମେଶ ସ୍ବପ୍ନ ଦେଖିଲେ ମାଆଙ୍କୁ କାନ୍ଧରେ ବୋହି ମଶାଣୀକୁ ନେଉଛନ୍ତି । ମନ ପାପ ଛୁଇଁବାରୁ ପୁରୀ ଯାଇ ମୁକ୍ତିମଣ୍ଡପରେ ପଣ୍ଡିତଙ୍କ ସହିତ କଥା ହେବାରୁ ମାଆଙ୍କ ଶୁଦ୍ଧିକ୍ରିୟା ପାଇଁ ପରାମର୍ଶ ମିଳିଲା । ତେଣୁ ଯଥାବିଧି ଏମିତି ପ୍ରତିକୃତିକୁ ସତ୍କାର ସହ ଶୁଦ୍ଧି ହେଉଛନ୍ତି ପରିବାର ଓ ସାହି ଭାଇ ।

କେବଳ ଶବ ସତ୍କାର ନୁହେଁ, ଶୋକ ସହ ଶୁଦ୍ଧିକ୍ରିୟାର ସବୁ ବିଧି ବି ଚାଲିଥିଲା  । ଘରେ ଘଟ ମାଠିଆ ବସିଥିଲା...ତିକ୍ତ ଖିଆ ହେବା ସହ ପରିବାର, ବନ୍ଧୁ ବାନ୍ଧବକୁ ଖବର ବି ଯାଇଛି । ଦଶାହ ସାଙ୍ଗକୁ ଗ୍ରାମବାସୀଙ୍କୁ ଏକାଦଶାହ ଭୋଜିର ପ୍ରସ୍ତୁତି ବି ହୋଇଥିଲା । ଆଉ କେହି କେବେ ଦେଖି ନଥିବା ଏମିତି ଶୁଦ୍ଧିକ୍ରିୟାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ବି ଜୋର ଧରିଛି ।

 

  • Reported by:
  • Partha Sarathi nayak