Advertisment

ଅଙ୍ଗଦାନ ପ୍ରତି ବଢୁଛି ଆଗ୍ରହ; ମରି ବି ପୁଣି ଅମର ଦୁଇ +୨ ଛାତ୍ର

ଅଙ୍ଗଦାନ ପ୍ରତି ବଢୁଛି ଆଗ୍ରହ । ମରି ବି ପୁଣି ଅମର ଦୁଇ +2 ଛାତ୍ର । ଓମ୍ ଶିବୁ ଓ ରାଜେନ୍ଦ୍ରଙ୍କ ମହତ ଦାନ । ପୁଅର ଅଙ୍ଗଦାନ କରି ପ୍ରେରଣା ସାଜିଲେ ପରିବାର  ।

author-image
Otv Khabar Bureau
undefined

children's organs

ଜୀବନ ଯିବା ପୂର୍ବରୁ ଅନ୍ୟକୁ ଜୀବନ ଦାନ । ନିଜ ଅଙ୍ଗରେ ଆଉ ଜଣେ ପାଇବେ ନୂଆ ଜୀବନ । ମହତ ଏ ଦାନ, ମହତ ଏ ଉଦ୍ଦେଶ୍ୟ। ରାଜ୍ୟରେ ଅଙ୍ଗଦାନ କ୍ଷେତ୍ରରେ ସାମିଲ ହୋଇଛି ଆଉ ଦୁଇଟି କାହାଣୀ। ଗୋଟିଏ କେନ୍ଦ୍ରାପଡା ଆଉ ଗୋଟିଏ ମୟୂରଭଂଜର। ଦୁଇ ଜଣ ଯାକ ଯୁକ୍ତ ଦୁଇ ଛାତ୍ର। 
ଜଣଙ୍କର ଦୁଇଟି କିଡନୀ ଦାନ କରାଯାଇଥିବା ବେଳେ ଅନ୍ୟ ଜଣଙ୍କର ଆଖି ଦାନ କରାଯାଇଛି।

Advertisment

ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷର ଛାତ୍ର ଓମ୍ ଶିବୁ। ପିଲାଟି ବେଳୁ ମେଧାବୀ। କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ବ୍ଲକ୍ ନୟାକୋର୍ଟ ଗାଁର, ଶିବୁର ଇଛା ଥିଲା ଆଇଆଇଟି 
ଇଞ୍ଜିନିୟର ହେବାକୁ। ପ୍ରସ୍ତୁତି ଚାଲିଥିଲା, ପରୀକ୍ଷା ମଧ୍ୟ ଦେଇଥିଲେ। ହେଲେ ଗତ ଜାନୁଆରୀ 17ରେ ମସ୍ତିଷ୍କରେ ଯନ୍ତ୍ରଣା ହେବାରୁ କଟକ ଏସସିବିରେ ଭର୍ତ୍ତି କରିଥିଲେ ପରିବାର। ଜଣାପଡିଲା ଶିବୁର ବ୍ରେନ ଟ୍ୟୁମର ହୋଇଛି । ଗୁରୁବାର ସନ୍ଧ୍ୟାରେ ଡାକ୍ତରଙ୍କ ସମସ୍ତ ଚେଷ୍ଟା ସତ୍ତ୍ୱେ ଶିବୁର ବ୍ରେନ ଡେଡ୍ ହୋଇଗଲା ।

ଏକୋଇର ବଳା ପୁଅକୁ ହରାଇବାର ଦୁଃଖ ଭିତରେ ବାପା-ମାଆ ନେଇଥିଲେ ଅଙ୍ଗଦାନ ଭଳି ମହତ ନିଷ୍ପତ୍ତି । ଦାନ କରିଦେଇଥିଲେ ପୁଅର ଦୁଇଟି କିଡନୀ। ଏସସିବିର ବିଭିନ୍ନ ବିଭାଗର ଏକ୍ସପର୍ଟଙ୍କୁ ନେଇ ତୁରନ୍ତ ଟିମ୍ ଗଠନ ହେଲା। ରାତି ସାରା ଚାଲିଲା ପ୍ରକ୍ରିୟା । ପରେ ସଫଳତାର ସହ ଡାକ୍ତରୀ ଟିମ୍ ଶିବୁର ଦୁଇଟି କିଡନୀ ବାହାର କରିବା ସହ ଗୋଟିଏ ଏସସିବିରେ ଓ ଆଉ ଗୋଟିଏ କିଡନୀକୁ ଭୁବନେଶ୍ବରର ଏକ ବେସରକାରୀ ହସ୍ପିଟାଲ ପ୍ରତ୍ୟାରୋପଣ ପାଇଁ ପଠାଇଥିଲେ । ଜୀବନ ଯିବା ପୂର୍ବରୁ ଦୁଇ ଜଣଙ୍କୁ ନୂଆ ଜୀବନ ଦେଇଯାଇଛି ଓମ୍ ଶିବୁ। 

Advertisment

ଓମ୍ ଭଳି ଯୁକ୍ତ ଦୁଇ ଛାତ୍ର ହେଉଛନ୍ତି ରାଜେନ୍ଦ୍ର ସିଂ। ମୟୂରଭଞ୍ଜ ବଡ଼ସାହି ବ୍ଲକ ଯଦୁନାଥପୁର ଗାଁର ରାଜେନ୍ଦ୍ର, ଗତକାଲି ନୂଆ ଡ୍ରେସ୍ କିଣିବାକୁ ବାଇକରେ ଦୁଇ ସାଙ୍ଗଙ୍କ ସହ ଯିବା ବେଳେ ଦୁର୍ଘଟଣା ଘଟିଥିଲା । ପରେ ହସ୍ପିଟାଲରେ ପ୍ରାଣ ହରାଇଥିଲେ ରାଜେନ୍ଦ୍ର। ହେଲେ ପୁଅର ଜୀବନ ଯିବା ପୂର୍ବରୁ ଗରିବ ଆଦିବାସୀ ପରିବାର ନେଇଥିଲେ ଅଙ୍ଗଦାନ ଭଳି ମହତ ନିଷ୍ପତ୍ତି । ବାରିପଦା ମେଡିକାଲ କଲେଜ ଚକ୍ଷୁ ବିଭାଗରେ ରାଜେନ୍ଦ୍ରଙ୍କ ଚକ୍ଷୁ ଦାନ କରାଗଲା । 

ରାଜେନ୍ଦ୍ରଙ୍କ ସହ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲକ୍ଷ୍ମଣଙ୍କ ପରିବାର ମଧ୍ୟ ପୁଅର ଆଖି ଦାନ କରିଥିଲେ । ପୁଅ ସିନା ଚାଲିଗଲା ହେଲେ ତାରି ଆଖିରେ ଅନ୍ୟମାନେ ଦୁନିଆ ଦେଖିବେ ବୋଲି ବୁଝିନେଇଥିଲେ ଆଦିବାସୀ ପରିବାର। ହେଲେ ସେମାନଙ୍କ ଅବଶୋଷ ରହିଗଲା ଯେ, ସରକାର ଅଙ୍ଗଦାନ କଲେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ କରାଯିବ ବୋଲି ଯେଉଁ ଘୋଷଣା କରିଥିଲେ, ତାହା ଭୁଲିଗଲେ।

୨୩ ଫେବ୍ରୁଆରୀ ୨୦୨୪ରେ ଭୁବନେଶ୍ବରର ୧୪ ବର୍ଷୀୟା ଝିଅ ଦମୟନ୍ତୀର ଅକାଳ ବିୟୋଗ ପରେ, ତାର ଯକୃତ ଦାନ କରିଥିଲେ ଅଟୋ ଚାଳକ ବାପା ଦୁଃଖବନ୍ଧୁ ମହାନ୍ତି । ୫ ନଭେମ୍ବର ୨୦୨୩ରେ ଦୁର୍ଘଟଣାରେ ବ୍ରେନ ଡେଡ୍ ବ୍ରହ୍ମପୁରର କ୍ରିଷ୍ଣା ପଣ୍ଡାଙ୍କ ଫୁସଫୁସ, କିଡନୀ ଓ ଯକୃତ ଦାନ କରିଥିଲେ ପରିବାର। କେବଳ ଏହି ଦୁଇ ଜଣ ନୁହଁନ୍ତି, ଅଙ୍ଗଦାନ ଭଳି ମହତ ଦାନ ପାଇଁ ରାଜ୍ୟରେ ବଢୁଛି ଆଗ୍ରହ। ଓମ୍ ଶିବୁ ଓ ରାଜେନ୍ଦ୍ର। ରାଜ୍ୟରେ ଅଙ୍ଗଦାନ କ୍ଷେତ୍ରରେ ଯୋଡ଼ି ହୋଇଛି ଏହି ଦୁଇ ଅମର ଆତ୍ମାର ପ୍ରେରଣାଦାୟୀ କାହାଣୀ।

ବାରିପଦାରୁ ମାଣିକଲାଲ ପାଣିଙ୍କ ସହ କଟକରୁ ଦେବାଶିଷ ମହାନ୍ତି ଓ ଗୌତମ ପଣ୍ଡାଙ୍କ ରିପୋର୍ଟ, ଓଟିଭି 

Organ Donation
Advertisment
Advertisment