• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ନକଲି ସାର୍ଟିଫିକେଟ୍‌ ଲାଗି ବଲାଙ୍ଗିର ଭାରି ଚର୍ଚ୍ଚାରେ ଥିଲା । ହେଲେ ଏବେ ନକଲି ସାର୍ଟିଫିକେଟ୍‌ର ଚେର ନୂଆପଡାରେ ବି ଦେଖିବାକୁ ମିଳିଲାଣି । ହେଲେ ଏଠି ଚାକିରି ଲାଗି ନୁହେଁ ବରଂ ବିସ୍ଥାପିତଙ୍କ ଥଇଥାନ ଟଙ୍କା ହଡପ ପାଇଁ ବ୍ୟବହାର ହେଉଛି ଶହଶହ ନକଲି ସାର୍ଟିଫିକେଟ । ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପରେ ନକଲି ସାର୍ଟିଫିକେଟ ପାଇଁ ଚିନ୍ତାରେ ଅଧିକାରୀ ।

ଚିନ୍ତାରେ ପ୍ରକୃତ ବିସ୍ଥାପିତ, ଚିନ୍ତାରେ ଅଧିକାରୀ । କାରଣ ଏବେ ସମସ୍ତଙ୍କୁ ଘାରିଛି ନକଲି ସାର୍ଟିଫିକେଟର ଭୂତ । ନୂଆପଡା ଜିଲ୍ଲାରେ ନିର୍ମିତ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପର ବିସ୍ଥାପିତଙ୍କୁ ସରକାରଙ୍କ ପକ୍ଷରୁ ଥଇଥାନର ବ୍ୟବସ୍ଥା ରହିଛି । ୧୮ ବର୍ଷ ବୟସରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ହିଁ ବିସ୍ଥାପିତ ବୋଲି ଗଣନା କରାଯାଏ । ତେଣୁ ନାବାଳକ ଓ ନାବାଳିକାଙ୍କ ବୟସ ବଢାଇ ତଥା ନକଲି ବିସ୍ଥାପିତମାନେ ନକଲି ବାସିନ୍ଦାର ପ୍ରମାଣପତ୍ର ଆଣି ବିସ୍ଥାପିତ ଟଙ୍କା ହଡପ ପାଇଁ ସ୍ୱତନ୍ତ୍ର ଭୁ ଅର୍ଜନ ତଥା ଥଇଥାନ ଅଧିକାରୀଙ୍କ ପାଖରେ ଆବେଦନ କରିଛନ୍ତି । ପୂର୍ବରୁ କିଛି ନକଲି ସାର୍ଟିଫିକେଟରେ ଲକ୍ଷଲକ୍ଷ ଟଙ୍କା ହଡପ ବି କରିଛନ୍ତି । ହେଲେ ପ୍ରକୃତ ବିସ୍ଥାପିତ ଏଯାଏଁ ଥଇଥାନ ହୋଇ ନାହାନ୍ତି ।

ଜିଲ୍ଲାରେ ନିର୍ମିତ ହୋଇଥିବା ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପରେ ୩୩ଟି ଗାଁ ପ୍ରଭାବିତ ହୋଇଛି । ୧୨ଟି ଗାଁ ସଂପୂର୍ଣ୍ଣ ବୁଡି ଯାଇଥିବା ବେଳେ ୧୯ ଟି ଗାଁ ଆଂଶିକ ବୁଡିଛି । ୨ଟି ଗାଁ କେନାଲ ଦ୍ୱାରା ପ୍ରଭାବିତ ବି ହୋଇଛି । ଆଉ ଏହି ପ୍ରକଳ୍ପ ଲାଗି ମୋଟ୍‌ ୧୦ହଜାର ୬୨ ଜଣ ବିସ୍ଥାପିତ ହୋଇଛନ୍ତି । କିନ୍ତୁ ଅନେକ ନକଲି ସାର୍ଟିଫିକେଟ ଦେଇ ଥଇଥାନ ଟଙ୍କା ହାତେଇବା ପାଇଁ ଆବେଦନ କରିଛନ୍ତି ।

ହେଲେ ସାର୍ଟିଫିକେଟ ଭେରିଫିକେସନ ପରେ ନକଲି ଥିବା ଜଣାପଡିଛି । ବିଶେଷ କରି ବୟସ ବଢାଇ ଲକ୍ଷଲକ୍ଷ ଟଙ୍କା ହଡପ ପାଇଁ ଆବେଦନ କରାଯାଇ ଥିବା ଘଟଣା ସାମ୍ନାକୁ ଆସିବା ପରେ ଏବେ ଚିନ୍ତାରେ ପ୍ରକୃତ ହିତାଧିକାରୀ । ଅନେକ ନକଲି ସାର୍ଟିଫିକେଟ ଦେଇ ଆବେଦନକାରୀଙ୍କ ବିରୋଧରେ ଥାନାରେ ମାମଲା ବି ରୁଜୁ କରାଯାଇ ଥିବା ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପର ସ୍ୱତନ୍ତ୍ର ଭୁଅର୍ଜନ ଓ ଥଇଥାନ ଅଧିକାରୀ ଜଣାଇଛନ୍ତି । ହେଲେ ଏମିତି ନକଲି ସାର୍ଟିଫିକେଟ୍‌ର ଚେର କେଉଁଠୁ ବାହାରିଛି ତାହାକୁ ନେଇ ଏବେ ଭାରି ଚର୍ଚ୍ଚା ।

 

  • Reported by:
  • MAYADHAR SARAF