• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ତାରିଖ ବଦଳିବ, ଦିନ ବଦଳିବ, ସମୟ ବଦଳିବ । ପୁରୁଣା ବର୍ଷକୁ ବିଦାୟ ଦେଇ ନୂଆ ବର୍ଷକୁ ସ୍ୱାଗତ କରିବେ ଲୋକ । ଆଉ ପ୍ରାୟ ୧ ମାସ ପରେ ଅନେକ ଆଶା ଓ ଉଦ୍ଦୀପନା ନେଇ ଆସୁଛି ନବବର୍ଷ । ଅଧାରାତିରେ ବାଣ ଫୁଟାଇ ଆଲୁଅର ରୋଷଣୀରେ ନୂଆ ବର୍ଷ ମନେଇବେ ଯୁବଗୋଷ୍ଠୀ । ତେବେ ଏଥର ନୂଆ ବର୍ଷରେ ଆପଣ ମଜାଦାର ରୋଡ୍ ଟ୍ରିପ୍‌ରେ ଯାଇପାରିବେ । ନୂଆବର୍ଷରେ ଭ୍ରମଣ କରିବାର ଯୋଜନା କରୁଥିଲେ ଆଜି ଆମେ ଆପଣଙ୍କୁ ଏମିତି କିଛି ସୁନ୍ଦର ସ୍ଥାନ ସମ୍ପର୍କରେ ଆମେ କହିବୁ, ଯେଉଁଠାକୁ ଆପଣ ରୋଡ୍ ଟ୍ରିପରେ ଯାଇପାରିବେ ଓ ମଜା ଉଠାଇ ପାରିବେ ।

ପୁରୀରୁ କୋଣାର୍କ

ଭାରତର ଚାରି ଧାମ ମଧ୍ୟରୁ ପୁରୀ ଅନ୍ୟତମ । ଭଗବାନଙ୍କ କରୁଣା ଲାଭ ପାଇଁ ବର୍ଷକ ବାର ମାସ ଏଠାରେ ପର୍ଯ୍ୟଟକଙ୍କ ଭିଡ଼ ଜମେ । ତେବେ ପୁରୀ ଦର୍ଶନ କରୁଥିବା ଅନେକ ଲୋକ କୋଣାର୍କ ସୂର୍ଯ୍ୟ ମନ୍ଦିର ମଧ୍ୟ ବୁଲି ଆସନ୍ତି । ପୁରୀ-କୋଣାର୍କ ରାସ୍ତା ଓଡିଶାର ପ୍ରାକୃତିକ ସୌନ୍ଦର୍ଯ୍ୟର ମୂକସାକ୍ଷୀ । ଏହି ମାର୍ଗର ମୁଖ୍ୟ ଆକର୍ଷଣ ହେଉଛି ସମାନ୍ତରାଳ ରାସ୍ତା । ଯେଉଁଠାରେ ରାସ୍ତା ସମୁଦ୍ର ସହିତ ସମାନ୍ତରାଳ ଭାବରେ ଚାଲିଥାଏ ।

ମୁମ୍ବାଇରୁ ଗୋଆ

ମୁମ୍ବାଇରୁ ଗୋଆ ରୋଡଟ୍ରିପ୍‌କୁ ବେଶ୍ ପସନ୍ଦ କରନ୍ତି ମୁମ୍ବାଇବାସୀ । ଚକାଚକ୍ ରାସ୍ତା କଡ଼େ କଡ଼େ ସୁଉଚ୍ଚ ପାହଡ଼ ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରେ । ମୁମ୍ବାଇରୁ ଗୋଆକୁ ଯିବା ପାଇଁ ଦୁଇଟି ରୁଟ୍ ରହିଛି । ଗୋଟିଏ ପୁଣେ-କୋଲହାପୁର NH 4 ମାର୍ଗରେ ନନଷ୍ଟପ୍ ୧୦ ଘଣ୍ଟା ଗାଡ଼ି ଚଳାଇଲେ ଆପଣ ଗନ୍ତବ୍ୟ ସ୍ଥାନରେ ପହଞ୍ଚିଯିବେ । ଅନ୍ୟଟି ହେଲା ଚିପଲୁନ୍-ରତ୍ନାଗିରି ମାର୍ଗ  । NH 66ରେ ନନଷ୍ଟପ୍ ୧୨ ଘଣ୍ଟା ଗାଡ଼ି ଚଳାଇ ଆପଣ ଗୋଆରେ ପହଞ୍ଚିଯିବେ ।

ଚେନ୍ନାଇରୁ ପଣ୍ଡିଚେରୀ

ଚେନ୍ନାଇରୁ ରୋଡଟ୍ରିପ୍‌ରେ ବାହାରିଲେ ଆପଣ ମାତ୍ର ୩ ଘଣ୍ଟାରେ ପହଞ୍ଚିଯିବେ ପଣ୍ଡିଚେରୀ । ଚେନ୍ନାଇ-ପଣ୍ଡିଚେରୀ ରାସ୍ତାର ଗୋଟିଏ ପଟେ ସମୁଦ୍ରର ଚମତ୍କାର ଦୃଶ୍ୟ ଆଉ ଜଳ ଉପରେ ସୂର୍ଯ୍ୟଙ୍କ ପ୍ରତିଫଳନ ସତରେ ଖୁବ୍ ମନଲୋଭା । ଆପଣ ମଝିରେ ମହାବାଲିପୁରମରେ ଅଟକି ପାରିବେ । ସୁନ୍ଦର ବେଳାଭୂମିରେ କିଛି ସମୟ ବିତାଇ ପାରିବେ ।

ଗୁଆହାଟିରୁ ତୱାଙ୍ଗ

ଉତ୍ତର-ପୂର୍ବ ଭାରତରେ ସଡ଼କ ଯାତ୍ରାର ମଜା ଉଠାଇବା ପାଇଁ ଗୁଆହାଟିରୁ ତୱାଙ୍ଗ ଯାଇପାରିବେ । ପ୍ରାୟ ୧୪ ଘଣ୍ଟା ମଧ୍ୟରେ ଆପଣ ଗନ୍ତବ୍ୟ ସ୍ଥଳରେ ପହଞ୍ଚିଯିବେ । ରାସ୍ତା ଗୁଡ଼ିକ ଦୁର୍ଗମ ଥିଲେ ସୁଦ୍ଧା ପ୍ରାକୃତି ସୌନ୍ଦର୍ଯ୍ୟ ଭିତରେ ଆପଣ ହଜିଯିବେ । ଏହା ଏକ ଦୀର୍ଘ ସଡ଼କ ଯାତ୍ରା ହୋଇଥିବାରୁ ଆପଣ ଦିରାଙ୍ଗରେ ରହିପାରିବେ । କିମ୍ବା ଆସାମର ତେଜପୁରରେ ଐତିହାସିକ ସ୍ଥାନକୁ ପରିଦର୍ଶନ କରିପାରିବେ ।

ବେଙ୍ଗାଲୁରୁରୁ ଉଟି

ପ୍ରକୃତି ଏବଂ ଫଟୋଗ୍ରାଫିରେ ରୁଚି ରଖୁଥିବା ଲୋକଙ୍କ ପାଇଁ ଏହି ରୋଡଟ୍ରିପ୍ ସର୍ବୋତ୍ତମ କହିପାରିବେ । ସବୁଜ ପର୍ବତମାଳା ଭିତରେ ଆପଣ ମାଇଲ୍ ମାଇଲ୍ ରାସ୍ତା ଅତିକ୍ରମ କରିବେ । ଭ୍ରମଣ ଥକ୍କାପଣ ଆଦୌ ଜଣାପଡ଼ିବ ନାହିଁ । ପ୍ରାକୃତି ସୌନ୍ଦର୍ଯ୍ୟରେ ଆପଣ ନିଜକୁ ହରାଇ ବସିବେ । ଏହି ରୋଡଟ୍ରିପରେ ମହୀଶୂରର ଐତିହାସିକ ପ୍ରାସାଦ ଗୁଡିକୁ ଦେଖିପାରିବେ । ବେଙ୍ଗାଲୁରୁରୁ ଉଟି ଚା ’ଗଛର ଅପୂର୍ବ ସୌନ୍ଦର୍ଯ୍ୟ ତଥା ସ୍ୱଚ୍ଛ ହ୍ରଦଗୁଡ଼ିକ ସତରେ ମନ କିଣି ନେବ । ମାତ୍ର ଛଅ ଘଣ୍ଟା ମଧ୍ୟରେ ଆପଣ ଗନ୍ତବ୍ୟ ସ୍ଥଳରେ ପହଞ୍ଚିଯିବେ ।