• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଶୀତ ଋତୁ ଆସିଲେ ଭିତରକନିକା ଜାତୀୟ ଉଦ୍ୟାନରେ ଶୁଭେ ଦେଶବିଦେଶର ପକ୍ଷୀଙ୍କ କୋଳାହଳ । ସୌନ୍ଦର୍ଯ୍ୟଭରା ପ୍ରାକୃତିକ ପରିବେଶ ସାଙ୍ଗକୁ ବିଭିନ୍ନ ପ୍ରଜାତିର ପକ୍ଷୀଙ୍କ ଆଗମନ ପର୍ଯ୍ୟଟକଙ୍କୁ ବେଶ୍‌ ଆକର୍ଷିତ କରୁଛି । କିନ୍ତୁ ଏବେ ଭିତରକନିକାରେ ପକ୍ଷୀଙ୍କ ସଂଖ୍ୟା କମୁଛି, ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ପରିବେଶବିତ୍ । ସେପଟେ ଏନେଇ ପକ୍ଷୀଙ୍କ ଆଗମନ ବୃଦ୍ଧି ପାଇଁ ପଦକ୍ଷେପ ନିଆଯାଉଥିବା ରାଜନଗର ବନଖଣ୍ଡ ଅଧିକାରୀ କହିଛନ୍ତି ।

ପକ୍ଷୀଙ୍କ କିଚିରିମିଚିରି ରାବ ଆଉ ପ୍ରକୃତି ରାଣୀର ଅପରୂପ ସୌନ୍ଦର୍ଯ୍ୟ ବେଶ୍ ମନମୁଗ୍ଧକର । ହଜାର ହଜାର ପକ୍ଷୀଙ୍କ ଏ କୋଳାହଳ ପର୍ଯ୍ୟଟକଙ୍କୁ ଟାଣି ଆଣୁଛି ଭିତରକନିକାକୁ । ଶୀତ ଆସିଲେ ମାଇଲ ମାଇଲ ଦୂର ଅତିକ୍ରମ କରି ଦେଶବିଦେଶର ଅନେକ ପ୍ରଜାତିର ପକ୍ଷୀ ଧାଇଁ ଆସନ୍ତି ଏଠାକୁ । ସାତଭାୟା, ରାଇପାଟିଆ, ଧାନିଚଡା, ଟାପୁ ଅଗରନାସୀ ଓ ହୁକିଟୋଲା ଭଳି ପ୍ରମୁଖ ଅଞ୍ଚଳରେ ଏହି ପକ୍ଷୀମାନଙ୍କ ସମାଗମ ହୋଇଥାଏ । ଏହାକୁ ଦେଖି ୨୦୦୨ ମସିହାରେ ଭିତରକନିକା ରାମସାରର ମାନ୍ୟତା ପାଇଛି । ପକ୍ଷୀଙ୍କ କୋଳାହଳକୁ ଉପଭୋଗ କରିବାକୁ ପ୍ରତିବର୍ଷ ପର୍ଯ୍ୟଟକଙ୍କ ଭିଡ଼ ଜମିଥାଏ ।

ସେପଟେ କିନ୍ତୁ ଭିତକନିକାରେ ପକ୍ଷୀଙ୍କ ଆଗମନ କମିବା ଓ ପକ୍ଷୀଗଣନା ପ୍ରକିୟାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ପରିବେଶବିତ ହେମନ୍ତ ରାଉତ । ଗଣନା ପ୍ରକିୟାରେ ପକ୍ଷୀ ବିଶାରଦ ଓ ସ୍ଥାନିୟ ବାସିନ୍ଦାଙ୍କ ସହଯୋଗ ନିଆ ନଯିବାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ଏହାସହ ସ୍ଥାନୀୟ ଅଞ୍ଚଳରେ ଅଧିକରୁ ଅଧିକ ଚିଙ୍ଗୁଡ଼ି ଘେରି ଫଳରେ ପକ୍ଷୀଙ୍କ ଆଗମନ କମୁଥିବାବେଳେ କେବଳ କାଗଜ କଲମରେ ସଂଖ୍ୟା ଅଧିକ ଦର୍ଶାଯାଉଛି ବୋଲି ପରିବେଶବିତ କହିଛନ୍ତି । ଏନେଇ ରାଜନଗର ବନଖଣ୍ଡ ଅଧିକାରୀ ଯଜ୍ଞଦତ ପତି କିନ୍ତୁ କହିଛନ୍ତି ଯେ, ଲୋକଙ୍କୁ ସଚେତନ କରାଯିବା ସହ ପକ୍ଷୀଙ୍କ ଆଗମନ କିଭଳି ବୃଦ୍ଧି ପାଇଁ ସେନେଇ ପଦକ୍ଷେପ ନିଆଯାଉଛି ।

ଦୂରଦୂରାନ୍ତରୁ ଆସୁଥିବା ପକ୍ଷୀ ଯେମିତି ଭିତରକନିକାକୁ ସୁରକ୍ଷିତ ମଣିବେ ଏବଂ ସେମାନଙ୍କ ଖାଦ୍ୟପେୟ ଓ ବାସୋପଯୋଗୀ ସ୍ଥାନ ସେମାନଙ୍କୁ ମିଳିପାରିବ ସେନେଇ ବନବିଭାଗ ପଦକ୍ଷେପ ନେବାକୁ ଦାବି ହୋଇଛି ।

ରିପୋର୍ଟର- ପ୍ରବୀର କୁମାର ନାୟକ