/odishatv-khabar/media/post_attachments/uploadimage/library/16_9/16_9_0/IMAGE_1712501669.jpg)
ITI student Making Footwear
କାଳ କାଳରୁ ବଣ ପାହାଡ଼ର ବନ୍ଧୁରତା ସହୁଥିବା ଖାଲିପାଦକୁ ଏବେ ଆରାମ ମିଳୁଛି । କମ୍ ଦରରେ ମୁଲାୟମ୍ ଚପଲ ପିନ୍ଧିବାକୁ ଆଦିବାସୀଙ୍କୁ ସୁଯୋଗ ମିଳିଛି । କୋରାପୁଟ ସେମିଳିଗୁଡ଼ା ଅଞ୍ଚଳର ଜଣେ ITI ପଢ଼ୁଆ ଯୁବକ ନିଜ ଗାଁରେ ମେସିନ୍ ପକାଇ, ନିଜ ଲୋକଙ୍କ ପାଇଁ ତିଆରି କରୁଛନ୍ତି ଶସ୍ତା ସୁନ୍ଦର ଚପଲ । ୟୁଟ୍ୟୁବ୍ ଭିଡିଓ ଦେଖି ଏଥିପାଇଁ ପ୍ରେରଣା ପାଇଥିବା ଧନପତି ସୁପିଆ, ନିଜ ଅଞ୍ଚଳର ଲୋକଙ୍କ ପାଇଁ ଖାଲି ଜଣେ ଉଦ୍ୟୋଗୀ ନୁହେଁ, ବାସ୍ତବରେ ଏକ ଉତ୍ସାହ ପାଲଟିଛନ୍ତି।
ଇଏ ଏମିତି ସେମିତି ଚପଲ ନୁହେଁ। ଇଏ 'ଚପଲ୍: ମେଡ୍-ଇନ୍ ଚାଲାଣପୁଟ'। ହଁ, ଚାଲାଣପୁଟ ହେଉଛି, କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ବ୍ଲକ୍ ରାଜପୁଟ ପଞ୍ଚାୟତର ଏକ ଛୋଟିଆ ଆଦିବାସୀ ଗାଁ । ସେଇ ଗାଁର ଉଦ୍ୟମୀ ଯୁବକ ଧନପତି ସୁପିଆ ଗଢ଼ିଛନ୍ତି ଏହି ଚପଲ କାରଖାନା । ତା ପୁଣି ୟୁ-ଟ୍ୟୁବ୍ ଦେଖି । ଆଇଟିଆଇ ପଢ଼ିଥିବା ଧନପତି ଚାକିରି ପଛରେ ନ ଧାଇଁ, ନିଜେ କିଛି କରିବାର ସ୍ୱପ୍ନ ଦେଖୁଥିଲେ । ଆଉ କଥାରେ ଅଛି- ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ । ଥରେ ମୋବାଇଲ ୟୁଟ୍ୟୁବରେ ନଜର ପଡ଼ିଲା ଏଇ ଚପଲ ତିଆରି ଛୋଟିଆ ମେସିନ ଭିଡିଓ ଉପରେ । ଡେରି ନ କରି ଧାରକରଜ କରି ତାକୁ କିଣି ଆଣିଲେ ଧନପତି । ଭବାନୀପାଟଣାରୁ ଭଲ ରବର ମ୍ୟାଟ୍ କିଣି, ଆରମ୍ଭ କରିଦେଲେ ଶସ୍ତା ସୁନ୍ଦର ଚପଲ ତିଆରି । ବାପା ଗୁରୁ ଓ ମାଆ ଦାନମତିଙ୍କ ନାଁ ଅନୁସାରେ କାରଖାନାର ନାଁ ଦେଲେ ଗୁରୁଦାନ ଫୁଟୱେର୍ । ନିଜ ଇଲାକାର ପିଲାଟିଏ ଚପଲ ତିଆରି କରୁଛି ଶୁଣି, ଆଖ ପାଖ ଲୋକମାନେ ବି ସ୍ୱଳ୍ପ ମୂଲ୍ୟରେ ତାହାକୁ କିଣି ନେଉଛନ୍ତି ଖୁବ୍ ଆଗ୍ରହର ସହ ।
କେବଳ ଚପଲ ତିଆରି ନୁହେଁ, କର୍ମଠ ଧନପତି ବହୁ କାର୍ଯ୍ୟରେ ନିପୁଣ । ବାପାଙ୍କ ସହ ମିଶି କିଆରୀରେ ଚାଷ କରୁଥିବା ବେଳେ, ସେ ଜଣେ ପୋଖତ ଚାଷୀ। ମାଟି ସହ ମାଟି ହୋଇ ଫଳାନ୍ତି ଭଳି କି ଭଳି ପନିପରିବା । ଦେଶୀ କୁକୁଡ଼ା ଫାର୍ମ ବି ତାଙ୍କ ରୋଜଗାରର ଆଉ ଏକ ଉତ୍ସ । ତେବେ ତାଙ୍କୁ ଏ ଆଦିବାସୀ ଇଲାକାରେ ନିଆରା ପରିଚୟ ଦେଇଛି ତାଙ୍କର ଏହି ଛୋଟିଆ ଚପଲ କାରଖାନା । ଏବେ ସୁଦ୍ଧା ସେ ଶତାଧିକ ହଳ ଚପଲ ବିକିସାରିଥିବା ବେଳେ, ଆଗକୁ ଅଟୋମେଟିକ ମେସିନ କିଣି ସୁନାବେଡ଼ା ଓ ସେମିଳିଗୁଡ଼ାରେ ହୋଲସେଲ ଚପଲ ବ୍ୟବସାୟ କରିବାକୁ ଲକ୍ଷ୍ୟ ରଖିଛନ୍ତି ।
ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଚାଷ ପରେ ପରେ ଆରମ୍ଭ ହୋଇଯାଏ ଦାଦନ ଋତୁ । ତେବେ କାମଧନ୍ଦା ପାଇଁ ଧାଁ ଦୌଡ଼ ଭିତରେ ଆଜିର ଯୁବପିଢ଼ିଙ୍କୁ ନିଶ୍ଚିତ ରୂପେ ଉଦ୍ୟୋଗୀ ବନିବାର ସ୍ୱପ୍ନ ଦେଖାଇବ ଧନପତିଙ୍କ 'ଚପଲ୍: ମେଡ୍-ଇନ୍ ଚାଲାଣପୁଟ'।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)