• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଆଜିର ଦିନରେ ରାଷ୍ଟ୍ରର ମୁଖ୍ୟ ଭାବେ ଅବସ୍ଥାପିତ ହୋଇ ଗୌରବ ପାଲଟିଛନ୍ତି ଓଡ଼ିଆ ଝିଅ । ଏପଟେ କିନ୍ତୁ ରାଜ୍ୟରେ ଆଜି ବି ଲୋପ ପାଇନି ମହିଳା ବିରୋଧୀ କୁତ୍ସିତ ପ୍ରଥା । ବସ୍ ଯାତ୍ରା ଆରମ୍ଭ ବେଳେ ପ୍ରଥମ ଯାତ୍ରୀ ଭାବେ ମହିଳାଙ୍କୁ ବସ୍ ଭିତରକୁ ପ୍ରବେଶ ଅନୁମତି ପାଇଁ ଏବେ ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା । ନିକଟରେ ରାଜଧାନୀ ବରମୁଣ୍ଡା ବସଷ୍ଟାଣ୍ଡରେ ସର୍ବସମ୍ମୁଖରେ ଏଭଳି ଏକ ଘଟଣା ସାମ୍ନାକୁ ଆସିବା ପରେ ଏହା ବିରୋଧରେ ମହିଳା କମିଶନଙ୍କ ନିକଟରେ ଫେରାଦ୍ ହୋଇଥିବା ଜଣେ ସାମାଜିକ କର୍ମୀ । ତାଙ୍କ ପିଟିସନ ଆଧାରରେ କମିଶନ୍ ଏ ନିର୍ଦ୍ଦେଶ ଦେଇଛନ୍ତି ।

ବସରେ ପ୍ରଥମ ଯାତ୍ରୀ ଭାବେ ମହିଳାଙ୍କୁ ବାରଣର କୁତ୍ସିତ ପ୍ରଥା ଉଚ୍ଛେଦ ହେଉ ସେମାନଙ୍କ ନିରାପତ୍ତା ଓ ସମ୍ମାନକୁ ସୁରକ୍ଷା ମିଳୁ । ସରକାରୀ ଓ ଘରୋଇ, ସବୁ ବସରେ ପ୍ରଥମ ଯାତ୍ରୀ ଭାବେ ଚଢ଼ିବାକୁ ଅନୁମତି ମିଳୁ । ବସରେ ମହିଳାଙ୍କୁ ପ୍ରଥମ ଯାତ୍ରୀ ଚଢାଇ ନଦେବାର କଳଙ୍କିତ ପ୍ରଥା ଉପରେ ବ୍ରେକ୍ ଦେବାକୁ ପରିବହନ କର୍ତ୍ତୃପକ୍ଷଙ୍କୁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା । ସମାଜରେ ବର୍ଷ ବର୍ଷ ଧରି ଚଳି ଆସୁଥିବା ଏ ମହିଳା ବିରୋଧୀ ପ୍ରଥାକୁ ନେଇ ନିକଟରେ ଚର୍ଚ୍ଚା ପରେ ଏହାକୁ ଅତି ଗୁରୁତ୍ୱର ସହ ନେଇଛନ୍ତି ରାଜ୍ୟ ମହିଳା କମିଶନ୍ । କିଛି ଦିନ ତଳେ ଭୁବନେଶ୍ୱର ବରମୁଣ୍ଡାରୁ ମାଲକାନଗିରି ଯିବାକୁ ଚାହୁଁଥିବା ଜଣେ ମହିଳା ଯାତ୍ରୀ ବସରେ ଚଢ଼ିବାକୁ ଚାହିଁବାରୁ ତାଙ୍କୁ ବାରଣ କରିଥିଲେ କଣ୍ଡକ୍ଟର ।

ବସଟିରେ କେହି ପୁରୁଷ ଯାତ୍ରୀ ଚଢ଼ି ନଥିବାରୁ ମହିଳାଙ୍କୁ ପ୍ରଥମେ ବସ୍ ଭିତରକୁ ଯିବାକୁ ଅନୁମତି ମିଳିନଥିଲା । ଏହି ଘଟଣାକୁ ନେଇ ଘାସିରାମ ପଣ୍ଡା ନାମକ ଜଣେ ସାମାଜିକ କର୍ମୀ ରାଜ୍ୟ ମହିଳା କମିଶନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଆଉ କମିଶନ୍ ତାଙ୍କ ପିଟିସନକୁ ଗ୍ରହଣ କରି ସମସ୍ତଙ୍କ ଅଲକ୍ଷ୍ୟରେ ଚାଲି ଆସୁଥିବା ଏ ପ୍ରଥାକୁ ବନ୍ଦ କରିବାକୁ ପ୍ରଥମେ ପରିବହନ ବିଭାଗକୁ ଚିଠି କରିଛନ୍ତି ।

ବସରେ ମହିଳାଙ୍କୁ ପ୍ରଥମ ଯାତ୍ରୀ ଭାବେ ଗ୍ରହଣ ନକରିବା ଭଳି ମହିଳା ବିରୋଧୀ ପ୍ରଥା ସମ୍ପର୍କରେ ଅନେକ ହୁଏତ ଅବଗତ ନଥିବେ । କିନ୍ତୁ ବସ୍ କର୍ମଚାରୀ ବିଶେଷକରି କଣ୍ଡକ୍ଟରମାନେ କିନ୍ତୁ ଏ ଅନ୍ଧବିଶ୍ୱାସକୁ ଅଲିଖିତ ନିୟମ ଭାବେ ପାଳନ କରିଥାନ୍ତି । ସେଥିପାଇଁ ଅନେକ ସମୟରେ ଏଭଳି ଘଟଣା ନଜରକୁ ଆସୁଥିଲା ।

ରାଜ୍ୟରେ ପ୍ରଚଳିତ ଏ କୁତ୍ସିତ ପ୍ରଥାକୁ ବନ୍ଦ କରିବା ସହ ବସରେ ମହିଳାଙ୍କ ପାଇଁ ସିଟ୍‌ ସଂଖ୍ୟା ୫୦ ପ୍ରତିଶତ ବଢାଇବା ଏବଂ ମହିଳାଙ୍କ ପାଇଁ ଦିଆଯାଉଥିବା ସୁବିଧା ନେଇ କମିଶନର ସଦସ୍ୟା ଆକସ୍ମିକ ଯାଞ୍ଚ କରିବେ ବୋଲି କହିଛନ୍ତି ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ।

କଟକରୁ ଗୌତମ ପଣ୍ଡା ଓ ଭୁବନେଶ୍ୱରରୁ ସହ ସ୍ୱାତୀ ଜେନାଙ୍କ ରିପୋର୍ଟ, ଓଟିଭି

  • Reported by:
  • GAUTAM PANDA