• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ପେଶା ଇଞ୍ଜିନିୟରିଂ...ନିଶା ବେପାର କରିବା । ସେଇଥି ଲାଗି ତ ଉଚ୍ଚ ବେତନର ଚାକିରି ଛାଡି ଏବେ ଆରମ୍ଭ କରିଛନ୍ତି ଜୋତା ବେପାର । ଦୃଢ ଇଚ୍ଛାଶକ୍ତି ଓ ମନୋବଳ ଲାଗି ଆଜି ଜୋତା ବେପାର କରି ରୋଜଗାର କରୁଛନ୍ତି ଲକ୍ଷଲକ୍ଷ ଟଙ୍କା । ନିଜେ ତ ଭଲ ରୋଜଗାର କରୁଛନ୍ତି, ପାଖଆଖ ଯୁବକ-ଯୁବତୀଙ୍କୁ ଆତ୍ମନିର୍ଭରଶୀଳ କରିଛନ୍ତି । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ଏବେ ଭାରି ଚର୍ଚ୍ଚା ।

ବାଲେଶ୍ୱର ବସ୍ତା ବ୍ଲକ କୋଠପଦା ଗାଁର ପାର୍ଥସାରଥି ସାହୁ ଓ ଅମର୍ଦାରୋଡ ବଡଚାରିଗାଁର ରାଜକିଶୋର ସେନାପତି । ଉଭୟ ଇଞ୍ଜିନିୟରଂ ପାସ୍‌ କରିବା ପରେ ଚାକିରି କରିଥିଲେ । ହେଲେ ସେଥିରୁ ଯେତିକି ଟଙ୍କା ଦରମା ମିଳୁଥିଲା ସେତିକିରେ ପରିବାର ଚଳାଇବା ସେମାନଙ୍କ ପକ୍ଷରେ କଷ୍ଟକର ଥିଲା । କେମିତି ଭଲରେ ରୋଜଗାର କରିବେ ସେନେଇ ଚିନ୍ତାରେ ଥିଲେ ଉଭୟେ । ଚାକିରି କାଳରେ ଦିଲ୍ଲୀଠୁ ମୁମ୍ବାଇ...ହାଇଦ୍ରାବାଦ୍‌ରୁ ଦୁବାଇ...ଅନେକ ସହରରେ ବୁଲିବୁଲି କାମ କଲେ । ଆଉ ଚିନ୍ତା କଲେ ଚାକିରି ଛାଡି ନିଜେ କିଛି ବେପାର କରିବେ ବୋଲି । ଖାଲି ଚିନ୍ତା କଲେ ତାହା ନୁହେଁ ବରଂ ନିଜସ୍ୱ ଉଦ୍ୟମରେ ଜୋତା କାରଖାନା ତିଆରି କଲେ ।

ଦିଲ୍ଲୀର ଜଣେ ବନ୍ଧୁଙ୍କ ସାହାଯ୍ୟରେ ଚପଲ ପାଇଁ ର ମେଟେରିଆଲ ଯୋଗାଡ କରିବା ପରେ ଏବେ ତିଆରି କରୁଛନ୍ତି ଜୋତା । କାରଖାନାରେ ଏବେ ଶ୍ରମିକମାନେ କାମ କରିବାରେ ବ୍ୟସ୍ତ ଅଛନ୍ତି । ଖାଲି ଶ୍ରମିକ କାହିଁକି ବରଂ ନିଜେ ବି କାମ କରୁଛନ୍ତି ପାର୍ଥସାରଥୀ ଓ ରାଜକିଶୋର । ବର୍ତ୍ତମାନ ସମୟରେ ୧୦ ରୁ ୧୨ ଜଣଙ୍କୁ ନିଜ କାରଖାନାରେ ନିଯୁକ୍ତି ଦେବା ସହିତ ଜିଲ୍ଲା ସହ ବାହାର ଜିଲ୍ଲାକୁ ମଧ୍ୟ ଜୋତା ରପ୍ତାନୀ କରୁଛନ୍ତି ସେମାନେ ।

କାରଖାନାରେ ପିଲାଙ୍କ ପାଇଁ ଜୋତା ତିଆରି ହେଉଥିବା ବେଳେ ଆଗାମୀ ଦିନରେ ବିଭିନ୍ନ ପ୍ରକାର ଷ୍ଟାଇଲିସ୍‌ ଚପଲ, ଜୋତା ଓ ବୁଟ୍‌ ତିଆରି କରିବାକୁ ଚିନ୍ତା କରାଯାଉଥିବା ଉଭୟେ କହିଛନ୍ତି । ତେବେ ଚାକିରି ଛାଡିବା ପରେ ନିଜେ କାରଖାନା କରି ଜୋତା ତିଆରି କରିବା ସହିତ ପାଖଆଖ ଯୁବକ-ଯୁବତୀଙ୍କୁ ନିଯୁକ୍ତି ଦେଇଥିବାରୁ ସ୍ଥାନୀୟ ଅଂଚଳରେ ଉଭୟଙ୍କୁ କରାଯାଉଛି ପ୍ରଶଂସା ।

 

  • Reported by:
  • Ajit Das