• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ରାଜ୍ୟରେ ହାତୀଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଛି । ସେମାନଙ୍କ ପାଇଁ ରାଜ୍ୟରେ ଆଉ ନାହିଁ କି ଅନୁକୂଳ ପରିବେଶ ? ନିକଟରେ ହାତୀଙ୍କ ସହ ଘଟିଥିବା କିଛି ଅମାନବୀୟ ଓ ନୃଶଂସ ଘଟଣାକୁ ନେଇ ଠିଆ ହୋଇଛି ଏମିତି ପ୍ରଶ୍ନ । କେବେ ଶିକାରୀ ଗୁଳି ତ ଆଉ କେବେ ଟ୍ରେନ୍ ଇଂଜିନ ନେଉଛି ଜୀବନ । ଏବେ ସ୍ଥିତି ଏମିତି ଯେ, ରାସ୍ତା ପାର୍ ବେଳେ ଗାଡ଼ି ଧକ୍କାରୁ ବି ବର୍ତ୍ତୁନାହାନ୍ତି ହାତୀପଲ । ଫସଲ ନଷ୍ଟ କରୁଥିବାରୁ ଗୁଳି ଚଳାଇବାକୁ ବି ପଛାଉ ନାହାଁନ୍ତି ଲୋକେ । କିଛି କ୍ଷେତ୍ରରେ ବନ କର୍ମଚାରୀଙ୍କ ତ୍ରୁଟି ଓ ଉଦାସୀନତାରୁ ବି ହାତୀଙ୍କ ଜୀବନ ଯାଉଛି । ଏଭଳି ବିଭିନ୍ନ କାରଣକୁ ନେଇ ଆମ ରାଜ୍ୟର ହାତୀ ଏବେ ସଙ୍କଟରେ ।

ଗତ ଫେବ୍ରୁଆରୀ ମାସରେ ଆଠଗଡ଼ ବନଖଣ୍ଡର ବଡ଼ମ୍ବା ରେଞ୍ଜରୁ ଏକ ହାତୀର କଙ୍କାଳ ଉଦ୍ଧାର ହୋଇଥିଲା । ଗତମାସ ୨ ଓ ୩ ତାରିଖରେ ଏ ବନଖଣ୍ଡରୁ ଆଉ ଦୁଇ କଙ୍କାଳ ମିଳିଥିଲା । ଏହାର କିଛି ଦିନ ପରେ ନରସିଂହପୁର ୱେଷ୍ଟ ରେଞ୍ଜରୁ ଗୁଳିବିଦ୍ଧ ଅବସ୍ଥାରେ ଆଉ ଏକ ଦନ୍ତାହାତୀ ଉଦ୍ଧାର ହୋଇଥିଲା । ସେହିପରି ଗତକାଲି ଭୋର ୫ଟାରେ ୨୩ଟିକିଆ ହାତୀପଲ ଦେବଗଡ଼ ସୀମାବର୍ତ୍ତୀ ସମ୍ବଲପୁରର ବଞ୍ଜାରୀ ନିକଟସ୍ଥ ୪୯ ନମ୍ବର ଜାତୀୟ ରାଜପଥ ଅତିକ୍ରମ କରୁଥିବା ବେଳେ ପିକ୍ ଅପ୍ ଭ୍ୟାନ୍ ଧକ୍କା ଦେଇଥିଲା । ଏଥିରେ ଏକ ମାଈ ହାତୀ ଆହତ ହୋଇଛି ତାର ଏଯାଏଁ ଚିକିତ୍ସା ଆରମ୍ଭ ହୋଇନଥିବାରୁ ସେ ବି ସମଦଶା ଭୋଗିବା ଆଶଙ୍କା ବଢିଛି ।

ସୂଚନା ଅନୁସାରେ, ଆଠଗଡ଼ ବନଖଣ୍ଡରୁ ଉଦ୍ଧାର ୩ଟି ହାତୀ କଙ୍କାଳର ନମୁନାକୁ ଫୋରେନ୍ସିକ୍ ଟେଷ୍ଟ ପାଇଁ ଓୟୁଏଟି ୱାଇଲ୍ଡ ଲାଇଫ୍ ସେଣ୍ଟରକୁ ପଠାଯାଇଛି । ପରୀକ୍ଷଣରୁ ହାତୀଗୁଡ଼ିକର ଲିଙ୍ଗ ନିରୂପଣ ସହ ମୃତ୍ୟୁର କାରଣ ଓ କେବେ ମୃତ୍ୟୁ ହୋଇଥିଲା ତାହା ସ୍ପଷ୍ଟ ହେବ । ରିପୋର୍ଟ ଆସିବା ମାତ୍ରେ ଏହାକୁ ପିସିସିଏଫ୍‌ଙ୍କ ନିକଟକୁ ପଠାଯିବ ବୋଲି ଓୟୁଏଟି ବନ୍ୟଜନ୍ତୁ ସ୍ବାସ୍ଥ୍ୟକେନ୍ଦ୍ର ସଂଯୋଜକ କହିଛନ୍ତି ।

ସେହିଭଳି ନରସିଂହପୁରରେ ଗୁଳିବିଦ୍ଧ ହାତୀର ମୃତ୍ୟୁ ଓ ‌ଆଠଗଡ଼ ବନଖଣ୍ଡ ଅଞ୍ଚଳରୁ ଉଦ୍ଧାର ହୋଇଥିବା ୩ ହାତୀ କଙ୍କାଳ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ପିସିସିଏଫ୍ କହିଛନ୍ତି ଯେ, ‘ନରସିଂହପୁରରେ କାଜୁ ବଗିଚାରେ ପଶିବାରୁ ଲୋକେ ହାତୀକୁ ଗୁଳିମାଡ଼ କରିଥିଲେ । ଏ ଘଟଣାରେ ଜଡ଼ିତ ୪ ଜଣଙ୍କ ମଧ୍ୟରୁ ୩ ଜଣଙ୍କୁ ଗିରଫ କରାଯାଇଛି । ହାତୀ କଙ୍କାଳ ଉଦ୍ଧାର ଘଟଣାର ତଦନ୍ତ ଚାଲିଛି । ଏଥିରେ ବନ କର୍ମଚାରୀ ଜଡ଼ିତ ଅଛନ୍ତି, ସେମାନଙ୍କ ବିରୋଧରେ ତତ୍କାଳ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ।’

ଏହିସବୁ ଭିତରେ ବନ ବିଭାଗ ରାଜ୍ୟରେ ହାତୀ ଚୋରା ଚାଲାଣ ରାକେଟ୍‌ର ପର୍ଦ୍ଦାଫାଶ କରିଛି । ଜାଲ୍ ଦସ୍ତାବିଜ୍ ଜରିଆରେ ଗୁଜରାଟରୁ ୬ଟି ଓ ଆସାମରୁ ଗୋଟିଏ ହାତୀ ଓଡ଼ିଶା ଆଣିବା ପାଇଁ ହୋଇଥିବା କାରସାଦିର ପର୍ଦ୍ଦାଫାଶ କରାଯାଇଥିବା ପିସିସିଏଫ୍ ସୂଚନା ଦେଇଛନ୍ତି । ତେବେ ଆଗାମୀ ଦିନରେ ଏଭଳି ଚୋରା ଚାଲାଣ ରୋକିବାକୁ କେନ୍ଦ୍ର ସରକାରଙ୍କ ପ୍ରୋଜେ ଏଲିଫ୍ୟାଣ୍ଟ, ୱାଇଲ୍ଡ ଲାଇଫ୍ କ୍ରାଇମ୍ କଣ୍ଟ୍ରୋଲ ବ୍ୟୁରୋ ସମେତ ସବୁ ରାଜ୍ୟର ପିସିସିଏଫ୍‌ଙ୍କୁ ଚିଠି ଲେଖାଯାଇଛି ।