/odishatv-khabar/media/post_attachments/uploadimage/library/16_9/16_9_0/elephant_1673102392.jpg)
elephant
ଭୋର୍ ଭୋରରୁ ମାତ୍ର କେଇ ଘଣ୍ଟାର ତାଣ୍ଡବ ତାରି ଭିତରେ ଚାଲିଗଲା ଜଣକ ପରେ ଜଣେ ଚାରି ଚାରିଟି ନୀରିହ ଜୀବନ । ଅନୁଗୁଳ ବନଖଣ୍ଡର ୪ଟି ଭିନ୍ନ ଭିନ୍ନ ସ୍ଥାନରେ ୪ ଜଣଙ୍କ ଜୀବନ ନେଇଛି ନରହନ୍ତା ହାତୀ । କୁହାଯାଉଛି, ଢେଙ୍କାନାଳ ହିନ୍ଦୋଳ ରେଞ୍ଜ ଅଞ୍ଚଳରୁ ଅନୁଗୁଳ ବନଖଣ୍ଡ ଅଞ୍ଚଳକୁ ଚାଲି ଆସିଥିବା ଏକ ମାଈ ହାତୀ, ପଲରୁ ଅଲଗା ହୋଇ ଏଣେତେଣେ ବୁଲୁଥିଲା । ଗତକାଲି ରାତିରେ ଅନୁଗୁଳ ବନଖଣ୍ଡର ବିଭିନ୍ନ ଜନବସତିରେ ପ୍ରବେଶ କରିବା ପରେ ଆଜି ଭୋରରୁ ଆତଙ୍କ ମଚାଇଥିଲା ।
ପ୍ରଥମେ ଛେଳିଆପଡ଼ା ଗାଁରେ ପଶି ଏଠାରେ ଚାଷଜମି ଜଗିଥିବା ସୁବାସ ବିଶ୍ୱାଳଙ୍କୁ ଆକ୍ରମଣ କରିଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ପରେ ଅଙ୍ଗାରବନ୍ଧ ଗାଁର ଅନିରୁଦ୍ଧ ସାହୁ, ବାରାସିଂହା ଗାଁର ରମେଶ ସ୍ୱାଇଁ ଓ ସନ୍ତ୍ରୀ ଗାଁର ଅଜୟ ସାମଲଙ୍କୁ ଆକ୍ରମଣ କରିଥିଲା । ଅନିରୁଦ୍ଧ ବି ଚାଷ ଜମିରେ ଆଖି ବୁଜିଥିବା ବେଳେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଣ ହରାଇଥିଲେ ରମେଶ ଓ ଅଜୟ ।
ଏପଟେ ସକାଳୁ ସକାଳୁ ଅଞ୍ଚଳରେ ହାତୀ ମାତିଥିବା ଏବଂ ଲୋକଙ୍କ ଜୀବନ ନେଉଥିବା ଖବର ପ୍ରଚାରିତ ହେବା ମାତ୍ରେ ଅନୁଗୁଳ ବନଖଣ୍ଡରେ ଲୋକଙ୍କ ଭିତରେ ସୃଷ୍ଟି ହୋଇଥିଲା କୋକୁଆ ଭୟ । ଲୋକେ ତାଟି କବାଟ ବନ୍ଦ କରି ଘର ଭିତରେ ରହିଥିଲେ । ସେପଟେ ନରହନ୍ତା ହାତୀର ଏ ନାରକୀୟ କାଣ୍ଡ ପାଇଁ ସିଧା ବନ ବିଭାଗର ଦାୟିତ୍ୱହୀନତାକୁ ଦାୟୀ କରିଥିଲେ ଅଞ୍ଚଳବାସୀ । ଏ ଅଞ୍ଚଳରେ ହାତୀର ଉପସ୍ଥିତି ସମ୍ପର୍କରେ ବନ ବିଭାଗ କୌଣସି ସୂଚନା ଦେଇନଥିବାରୁ ସେମାନଙ୍କ ଅବହେଳା ପାଇଁ ହିଁ ଚାରି ଚାରିଟି ଜୀବନ ଯାଇଥିବା ଅଭିଯୋଗ କରିଥିଲେ ।
ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ୩ ଜଣଙ୍କ ମୃତଦେହ ରଖି ଉପଯୁକ୍ତ କ୍ଷତିପୂରଣ, ଦୋଷୀ ବନ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଏବଂ ଅଞ୍ଚଳବାସୀଙ୍କୁ ହାତୀଠୁ ସୁରକ୍ଷା ଦାବି କରିଥିଲେ । ସ୍ଥାନୀୟ ଡିଏଫଓ ଏସବୁ ଦାବି ପୂରଣ ପାଇଁ ପ୍ରତିଶ୍ରୁତି ସହ ଘଟଣା ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।
ହାତୀ ଆକ୍ରମଣରେ ଗୋଟିଏ ଦିନରେ ଚାରି ଚାରିଟି ଜୀବନ ଯିବା ଘଟଣା ନିହାତି ଦୁଃଖଦାୟକ । ତେବେ ମାତ୍ର କେଇ ଘଣ୍ଟା ଭିତରେ ଘଟିଥିବା ଏତେବଢ଼ ଅଘଟଣ ପାଇଁ ଦାୟୀ କିଏ? ହାତୀ ଆକ୍ରମଣରେ ପରିବାରର ରୋଜଗାରିଆ ବ୍ୟକ୍ତି ଚାଲିଯିବା ପରେ ସେମାନଙ୍କ ପରିବାର ଚଳିବ କେମିତି ?
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)