• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଖୁଣ୍ଟ ଭାଙ୍ଗିକି ତଳେ ଲୋଟିଛି....ଖୀନଭିନ୍‌ ହୋଇ ଟାଇଲ୍‌ ପଡିଛି । ମାଙ୍କଡ଼ା ପଥର କାନ୍ଥ ସବୁ ଗୁଣ୍ଡ ହୋଇପଡିଛି । ଏମିତି ଦୃଶ୍ୟ ସବୁ ହଠାତ୍ ଦେଖିବା ପରେ କିଛି ବୁଝାପ଼ଡିବନି । ହେଲେ ଚିତ୍ର ପଛରେ ଯେଉଁ କାହାଣୀ ରହିଛି ତାହା ଜାଣିଲେ ଆପଣଙ୍କ ଆଖିରେ ବି ଜକାଇ ଆସିବ ଲୁହ ।

କେନ୍ଦୁଝର ବନଖଣ୍ଡ ଭୂଇଁୟା ଜୁଆଙ୍ଗ ପୀଢ଼ ଫରେଷ୍ଟ ରେଞ୍ଜ କାଞ୍ଜିପାଣି ଫରେଷ୍ଟ ସେକ୍ସନର ଦେଖିବାକୁ ମିଳିଛି ଅଭାବନୀୟ ଦୃଶ୍ୟ । ଗୋଟିଏ ଦନ୍ତାହାତୀ ସେହି ଅଂଚଳରେ ଏମିତି ଉତ୍ପାତ କରୁଛି ଯେ ଲୋକେ ତ୍ରାହି ତ୍ରାହି ଡାକିଲେଣି । ସ୍ଥିତି ଏମିତି ହେଲାଣି ଯେ ହାତୀ ଭୟରେ ଲୋକମାନେ ଗାଁ ଛାଡି ଚାଲିଯିବାକୁ ବାଧ୍ୟ ହେଉଛନ୍ତି । କଳା ମଚମଚ ପିଚୁ ରାସ୍ତା ତିଆରି ହୋଇଛି ଗାଁ ଭିତରକୁ । ହେଲେ ଗାଁ କହିଲେ ଦେଖିବାକୁ ମିଳିବ ମେଞ୍ଚା ମେଞ୍ଚା କାଠଖୁଣ୍ଟ...ଭଙ୍ଗା ମାଙ୍କଡ଼ା ପଥର ।

କାଞ୍ଜିପାଣି ଘାଟିରେ ଥିବା କାଳିଆପାଣି ଗାଁର ଅବସ୍ଥା ଏବେ ପୂରା ବେହାଲ । ଆଜିକୁ ପ୍ରାୟ ୨୫ ବର୍ଷ ତଳେ ୭ ପରିବାରକୁ ନେଇ ଗାଁ ଗଢିଉଠିଥିଲା । ପ୍ରଥମେ ପ୍ରଥମେ ଗାଁକୁ ରାସ୍ତା ନଥିଲା । ହେଲେ ପ୍ରଶାସନକୁ ଗୁହାରି କରିକରି ଶେଷରେ ଗାଁକୁ ରାସ୍ତାଟିଏ ହେଲା । ଗାଁ ଲୋକେ ଭାବିଥିଲେ ଏଇଠି ବିକାଶ ହେବ, ସରକାରୀ ସୁବିଧା ପାଇବେ ଆଉ ଚାଷ କରି ଭଲ ପରିବାର ଚଳେଇବେ । ହେଲେ ସବୁ ସ୍ୱପ୍ନ ସ୍ୱପ୍ନରେ ରହିଗଲା ।

ଏବେ ଦନ୍ତାହାତୀ ଉତ୍ପାତରେ ଅସ୍ତବ୍ୟସ୍ତ ହେଉଛନ୍ତି ଗାଁ ଲୋକେ । ଦିନ ହେଉ କିମ୍ବା ରାତି... ସବୁବେଳେ ଗାଁ ପାଖରେ ଡେରା ପକାଇଲା, ଘର ଭାଙ୍ଗିଲା, ଖାଦ୍ୟ ଶସ୍ୟ ନଷ୍ଟ କଲା ଦନ୍ତା । ସ୍ଥିତି ଏମିତି ହେଲା ଯେ ହାତୀ ଦାଉରୁ ନିଜ ଜୀବନ ବଞ୍ଚାଇବାକୁ ଲୁଚିଲେ ଗାଁ ଲୋକେ । ଦିନଦିନ ହୋମ୍‌ ପାଇପ୍‌ ଭିତରେ ଲୁଚିଲେ । ଶେଷରେ ଉପାୟଶୂନ୍ୟ ହୋଇ ଏବେ ଗାଁ ଛାଡିବାକୁ ବାଧ୍ୟ ହେଲେ ଲୋକେ ।

୨୫ ବର୍ଷ ହେଲା ଯେଉଁଠାରେ ରହୁଥିଲେ ଏବେ ସେଠାକୁ କେବେକେବେ ଯାଆନ୍ତି ଗାଁ ଲୋକେ । ହେଲେ ସେଠାରେ ପୁଣି ଥରେ ଘର କରିବାକୁ ସାହସ କରନ୍ତିନି । କାରଣ ପ୍ରତି ମୁହୂର୍ତ୍ତିରେ ଦନ୍ତାର ଡର ରହିଥାଏ ଗାଁ ଲୋକଙ୍କ ମନରେ । ବାରମ୍ବାର ହାତୀ କ୍ଷତି କରିବା ପରେ ବି ବନବିଭାଗ କିଛି ବୁଝିଲାନି । ତେଣୁ ଏବେ ସରକାରୀ ସହାୟତାକୁ ଅନାଇ ବସିଛନ୍ତି ଗାଁ ଲୋକେ । ସେପଟେ ହାତୀ ଗାଁ ଭିତରକୁ କେମିତି ପ୍ରବେଶ କରିପାରିବେ ନାହିଁ ସେଥିଲାଗି ଟ୍ରେଂଜ୍‌ ଓ ସୋଲାର ଫେନ୍ସି କରାଯାଉଥିବା କହିଛନ୍ତି କେନ୍ଦୁଝର ବନଖଣ୍ଡ ସହକାରୀ ବନ ସଂରକ୍ଷକ ।

ସରକାରୀ ନିୟମ ଅନୁସାରେ ବନ୍ୟଜନ୍ତୁ ଲୋକଙ୍କ କ୍ଷତି କଲେ ସେମାନଙ୍କୁ ସରକାରୀ ଭାବରେ କିଛି ସାହାଯ୍ୟ ମିଳେ । ହେଲେ ସେଇଠି ଗୋଟିଏ ଦନ୍ତାହାତୀ ପୂରା ଗାଁକୁ ଉଜାଡି ଦେଲା ହେଲେ ସରକାରୀ ସହାୟତା କିଛି ମିଳିଲାନାହିଁ । ଯାହାକୁ ନେଇ ତେଜିବାରେ ଲାଗିଲାଣି ତୀବ୍ର ଅସନ୍ତୋଷ ।

 

 

  • Reported by:
  • Chinmaya Sahoo