• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ହୋ ହୋ ପାଟି ହେଉଛି...ପ୍ଲାଷ୍ଟିକ୍‌ ଡ୍ରମ ବଜାଇ ଘଡିକେ ଘଡିଏ କୁହାଟ ଛଡାଯାଉଛି । ଏମିତି ଦୃଶ୍ୟ ଦେଖିବା ପରେ କିଛି ବୁଝା ପଡିବନି କାହାକୁ । ଅଧ ରାତିରେ ବିଲ ଭିତରେ ସେମାନେ କଣ କରୁଛନ୍ତି ? କାହିଁକି ସେମିତି ରଡି ଛାଡୁଛନ୍ତି ? ଘଟଣା କଣ? ହେଲେ ପୂରା ଘଟଣା ଜାଣିଲେ ଆପଣ ବି ମୁଣ୍ଡରେ ହାତ ଦେବେ । ମଂଚା ବନ୍ଧା ଯାଇଛି...ମସୁରୀ ବି ପଡିଛି । ସାରା ରାତିରେ ଫସଲ ଜଗିବାକୁ ଅନିଦ୍ରା ହେଉଛନ୍ତି ଚାଷୀ ଭାଇ । ଆଜି କି କାଲିର ସମସ୍ୟା ନୁହେଁ ବରଂ ବର୍ଷବର୍ଷର । ହେଲେ ଆଜିଯାଏଁ ସମସ୍ୟାର କିନ୍ତୁ ହୋଇପାରୁନି ସମାଧାନ ।

ବାଲେଶ୍ୱର ସୋର ବନାଞ୍ଚଳ ଔପଦା ଅଞ୍ଚଳରେ ଏବେ ମାତିଛନ୍ତି ହାତୀ । ଦିନ ହେଉ କି ରାତି ...ଦଳ ଦଳ ହୋଇ ଆସୁଛନ୍ତି । ଯାହା ତ ଖାଉଛନ୍ତି ଖାଉଛନ୍ତି ଅଧିକାଂଶ ଫସଲକୁ ଦଳିଚକଟି ନଷ୍ଟ ବି କରୁଛନ୍ତି । ବର୍ଷକର ଫସଲ ଆଖି ସାମ୍ନାରେ ନଷ୍ଟ ହେବାକୁ କେହି ବି ବରଦାସ୍ତ କରିପାରିବେନି । ସହଜରେ ତ ମୁଣ୍ଡ ଝାଳକୁ ତୁଣ୍ଡରେ ମାରି ତଳି ରୋଇଛନ୍ତି । ତେଣୁ ଫସଲ ବଂଚାଇବାକୁ ନିଇତି ରାତି ଅନିଦ୍ରା ହେଉଛନ୍ତି ପୂରା ଗାଁଟା ଯାକର ଚାଷୀ ।

ଔପଦା ଅଞ୍ଚଳଟି ପାହାଡର ପାଦଦେଶରେ ହୋଇଥିବାରୁ ହାତୀ ଉପଦ୍ରବ ହୋଇଥାଏ । ତେଣୁ ପାହାଡିଆ ଅଞ୍ଚଳରେ ରହୁଥିବା ଲୋକମାନେ ଏବେ ନିଜର ଫସଲ ପାଇଁ ଗଛରେ ମଞ୍ଚା ବାନ୍ଧି ରହିଛନ୍ତି l ରାତିରେ ହାତୀ ସହିତ ପଣ୍ଡାମାନେ ଆସିଲେ ତାଙ୍କୁ ଗୋଡାଇବା ସହିତ ଫସଲ ବଂଚାଉଛନ୍ତି ଚାଷୀ । ଗୁରୁତ୍ୱପୂର୍ଣ୍ଣ କଥା ହେଲା ପ୍ରତିବର୍ଷ ଚାଷୀଙ୍କ ଫସଲକୁ ଏମିତି ନଷ୍ଟ କରୁଛନ୍ତି ହାତୀ ସହିତ ପଣ୍ଡା । ତେଣୁ ଫସଲକୁ ବଂଚାଇବାକୁ ତୁରନ୍ତ ପ୍ରଶାସନ କିଛି ପଦକ୍ଷେପ ନେବାକୁ ଜୋର ଧରିଛି ଦାବି ।

 

  • Reported by:
  • Niranjan Behera